ଦ୍ବିତୀୟ ଲହରରେ ସଂକ୍ରମିତ ଗର୍ଭବତୀ, ପ୍ରସୂତିଙ୍କ ସଂଖ୍ୟା ଦି’ ଗୁଣା ହୋଇଛି

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହର ସଂକ୍ରମଣ ବେଳେ ପୂର୍ବ ଲହର ତୁଳନାରେ ପ୍ରାୟ ଦୁଇଗୁଣା ଗର୍ଭବତୀ ଓ ପ୍ରସୂତି ସଂକ୍ରମଣର ଶିକାର ହୋଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି। ସଂକ୍ରମିତ ମହିଳାମାନଙ୍କ ଭିତରେ ପ୍ରଥମ ଲହର ବେଳେ ୧୪.୨ ପ୍ରତିଶତ ଗର୍ଭବତୀ ଓ ପ୍ରସୂତିଙ୍କ ଠାରେ ଲକ୍ଷଣଯୁକ୍ତ ସଂକ୍ରମଣ ଦେଖାଯାଇଥିବା ବେଳେ ଏହି ଦ୍ବିତୀୟ ଲହର ବେ​ଳେ ୨୮.୭ ପ୍ରତିଶତ ଏହି ବର୍ଗର ମହିଳା ଅନୁରୂପ ସଂକ୍ରମଣର ଶିକାର ହୋଇଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର) ତଥ୍ୟ ବିଶ୍ଳେଷଣରୁ ଜଣାଯାଇଛି।

ସେହିପରି ଏହି ବର୍ଗର ମହିଳାଙ୍କ କ୍ଷେତ୍ରରେ ମୃତ୍ୟୁ ହାର ମଧ୍ୟ ଏହି ଦ୍ବିତୀୟ ଲହର ବେଳେ ୫.୭ ପ୍ରତିଶତ ପରି ଯଥେଷ୍ଟ ଉଚ୍ଚ ରହିଛି ଯାହା କି ପ୍ରଥମ ଲହର ବେଳେ ମାତ୍ର ୦.୭ ପ୍ରତିଶତ ଥିଲା। ତେବେ ମୋଟାମୋଟି ଭାବେ ଦୁଇଟି ଯାକ ଲହରରେ ମାତୃମତ୍ୟୁ ହାର ୨ ପ୍ରତିଶତ ରହିଛି ଯାହା କି ଚିନ୍ତାର କାରଣ। ତେବେ ଦ୍ବିତୀୟ ଲହର ବେଳେ ଗର୍ଭବତୀ ଓ ଶିଶୁକୁ କ୍ଷୀରପାନ କରାଉଥିବା ମହିଳାମାନେ ବେଶୀ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କ ଟିକାକରଣ ଉପରେ ଗୁରୁତ୍ବାରୋପ କରାଯାଇଛି। ଅପରପକ୍ଷେ, ସମ୍ପ୍ରତି ଦେଶର ଏପରି ମାଆମାନଙ୍କୁ ଯେ କୌଣସି କୋଭିଡ୍‌ ଟିକା ନେବାକୁ ପରାମର୍ଶ କରାଯାଇଥିବା ବେଳେ ଆବଶ୍ୟକ ନୈଦାନିକ ପରୀକ୍ଷଣ ଅଭାବ ଯୋଗୁଁ ଗର୍ଭବତୀମାନଙ୍କୁ ସେଥି ପାଇଁ ବାରଣ କରାଯାଇଛି। ଗୁରୁତର ରୋଗରେ ପୀଡ଼ିତ ଥିବା ଗର୍ଭବତୀମାନଙ୍କର ଟିକାକରଣ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସୁପାରିସ କରିଥିବା ବେଳେ ଭାରତ ସରକାର ଏଯାଏ କୌଣସି ନିଷ୍ପତ୍ତି ନେଇପାରିନାହାନ୍ତି।

ସମ୍ବନ୍ଧିତ ଖବର