ସିଡିଏସ ବିପିନ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣାର କାରଣ କଣ ?  ଆସିଲା ପ୍ରାରମ୍ଭିକ ରିପୋର୍ଟ

ନୂଆଦିଲ୍ଲୀ : ତାମିଲନାଡୁର କୁନ୍ନୁରରେ ହୋଇଥିବା ସିଡିଏସ ବିପିନ ରାଓ୍ବତଙ୍କ ହେଲିକପ୍ଟର ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ଆସିଛି । ମାନବିନ୍ଦର ସିଂଙ୍କ ନେତୃତ୍ବରେ ଥିବା କମିଟି ଆଜି ସରକାରଙ୍କୁ ନିଜର ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରିବାର ସମ୍ଭାବନା ରହିଛି ।

ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି ଯେ ଘଟଣାସ୍ଥଳରେ ପ୍ରବଳ କୁହୁଡ଼ି ହୋଇଥିଲା । ଖରାପ ପାଗରୁ ଦୁର୍ଘଟଣା ହୋଇଥାଇପାରେ । ତେବେ ଖରାପ ପାଗ ଯୋଗୁଁ ହେଲିକାପ୍ଟର ଖରାପ ହେଲା କି ପାଇଲଟଙ୍କ ତ୍ରୁଟି ଯୋଗୁଁ ଦୁର୍ଘଟଣା ହେଲା ସେ ସମ୍ପର୍କରେ ବ୍ଲାକ ବକ୍ସ ରେକର୍ଡିଂରୁ ବିଶେଷ ସୂଚନା ମିଳିପାରି ନାହିଁ ।

ତେବେ ଚୂଡ଼ାନ୍ତ ରିପୋର୍ଟ ଆସନ୍ତା ମାସରେ ସରକାରଙ୍କୁ ଦିଆଯିବ । ତଦନ୍ତକାରୀ ଦଳ ଏବେ ଏମଆଇ-୧୭ ହେଲିକପ୍ଟର ନିର୍ମାଣ କରୁଥିବା ଋଷିଆ କମ୍ପାନି ସହ ଯୋଗାଯୋଗ କରିଛି । ଦୁର୍ଘଟଣାର କାରଣ ସଂପର୍କରେ ଋଷୀୟ ବିଶେଷଜ୍ଞଙ୍କ ମତାମତ ଲୋଡ଼ାଯାଇଛି । ସେମାନଙ୍କ ମତାମତ ପରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ ।

ଗତ ୮ ତାରିଖରେ ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ଏମଆଇ-୧୭ ହେଲିକପ୍ଟରରେ ସିଡିଏସ ବିପିନ ରାଓ୍ବତଙ୍କ ସମେତ ମୋଟ ୧୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣ ସେହିଦିନ ପ୍ରାଣ ହରାଇଥିବାବେଳେ କେବଳ ଗ୍ରୁପ କ୍ୟାପଟେନ ବରୁଣ ସିଂ କିଛି ଦିନ ମୃତ୍ୟୁ ସହ ଲଢେଇ କରିବା ପରେ ଡିସେମ୍ବର ୧୫ରେ ମୃତ୍ୟୁବରଣ କରିଥିଲେ ।  ଏହି ଦୁର୍ଘଟଣା ପରେ ସିଡିଏସ ପଦଟି ହଠାତ ଖାଲି ହୋଇଯାଇଥିଲା ।

ସମ୍ବନ୍ଧିତ ଖବର