ନୂଆ ସାଂସଦଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତି, ସମୀକ୍ଷା କଲେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ

ନୂଆଦିଲ୍ଲୀ (ନଇମ୍‌ ଅଖତାର୍‌): ସାଧାରଣ ନିର୍ବାଚନ ପାଇଁ ୫ଟି ପ୍ରର୍ଯ୍ୟାୟ ଭୋଟଦାନ ଶେଷ ହୋଇଛି। ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବଳକା ରହିଛି। ମେ’ ମାସ ୧୨ରେ ଷଷ୍ଠ ଓ ୧୯ରେ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ହେବ। ନିର୍ବାଚନ ଫଳାଫଳ ମେ’ ମାସ ୨୩ରେ ଘୋଷଣା କରାଯିବ। ନିର୍ବାଚନ ଫଳାଫଳ ଘୋଷଣା ପରେ ଦେଶର ବିଭିନ୍ନ ରାଜ୍ୟରୁ ନବନିର୍ବାଚିତ ସାଂସଦ ମାନେ ମେ’ ମାସ ୨୪ରୁ ଦିଲ୍ଲୀ ଆସିବେ। ତେବେ ନୂଆ ସାଂସଦ ମାନଙ୍କ ସ୍ୱାଗତ କରିବାକୁ ଦୁଇ ମାସ ପୂର୍ବରୁ ଆରମ୍ଭ କରାଯାଇଥିବା ପ୍ରସ୍ତୁତି କାର୍ଯ୍ୟକ୍ରମ ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି, ଯାହାର ସମୀକ୍ଷା ନିକଟରେ ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନ କରିଥିଲେ।

ସାଧାରଣ ନିର୍ବାଚନରେ ହାରାହାରି ୫୦ ପ୍ରତିଶତ ନୂଆ ସାଂସଦ ମାନେ ନିର୍ବାଚିତ ହୋଇ ସଂସଦକୁ ଆସିଥାନ୍ତି। ନୂଆ ନିର୍ବାଚିତ ହୋଇଥିବା ସାଂସଦମାନେ ପ୍ରଥମଥର ପାଇଁ ଦିଲ୍ଲୀ ଆସୁଥିବାରୁ ରାଜଧାନୀ ଦିଲ୍ଲୀକୁ ନେଇ ସେମାନେ ବିଶେଷ ରୂପେ ପରିଚିତ ହୋଇନଥାନ୍ତି। ସଂସଦୀୟ ନିୟମାବଳୀ ସମ୍ପର୍କରେ ମଧ୍ୟ ଅବଗତ ହୋଇନଥାନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ଲୋକସଭା ସଚିବାଳୟର ଅଧିକାରୀ ମାନେ ସେମାନଙ୍କୁ ସହାୟତା ପ୍ରଦାନ କରିଥାନ୍ତି।

photo by : sanatanprabhat.org

ଲୋକସଭା ସଚିବାଳୟର ସୂତ୍ରରୁ ମିଳିଥିବା ଖବର ଅନୁସାରେ ନବନିର୍ବାଚିତ ସାଂସଦମାନଙ୍କୁ ସ୍ୱାଗତ କରିବା ପାଇଁ ସଂସଦ ଭବନର ୬୨ ନମ୍ବର ପ୍ରକୋଷ୍ଠ କଣ୍ଟ୍ରୋଲ ରୁମ ରୂପେ କାର୍ଯ୍ୟ କରିବ। ମଇ ୨୨ ତାରିଖ ଅପରାହ୍ନରୁ ଏହି କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ। ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ଗୋଟିଏ ଦିନକ ପରେ ସଚିବାଳୟ ଦ୍ଵାରା ବିମାନବନ୍ଦର ଓ ରେଳଷ୍ଟେସନରେ ତିନୋଟି କାଉଣ୍ଟର ଖୋଲାଯିବ। ବିମାନବନ୍ଦରରୁ ଓ ରେଳ ଷ୍ଟେସନରୁ ସାଂସଦମାନଙ୍କୁ ସ୍ୱାଗତ କରାଯିବା ସହିତ ସଚିବାଳୟ କର୍ମଚାରୀ ମାନଙ୍କ ଦ୍ଵାରା ସେମାନଙ୍କ ରହିବା ପାଇଁ ନିର୍ଦ୍ଧାରିତ କରାଯାଇଥିବା ଜନପଥ ସ୍ଥିତ ଷ୍ଟେର୍ଣ୍ଣ କୋର୍ଟ ତଥା ରାଜ୍ୟ ସରକାର ମାନଙ୍କର ଅତିଥି ଭବନରେ ପହଞ୍ଚାଇ ଦିଆଯିବ। ଏଥର ପ୍ରଥମ ଥର ପାଇଁ ଜନପଥ ସ୍ଥିତ ର୍ଷ୍ଟେର୍ଣ୍ଣକୋର୍ଟରେ ନବନିର୍ବାଚିତ ସାଂସଦମାନଙ୍କ ଅସ୍ଥାୟୀ ବାସସ୍ଥାନର ୧୬୪ଟି ରୁମର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏତଦ୍‌ ବ୍ୟତୀତ ଏଠାରେ ଅବସ୍ଥାନ କରିବା ସମସ୍ତ ସାଂସଦମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସାଂସଦମାନେ ଅସ୍ଥାୟୀ ବାସସ୍ଥାନରୁ ସିଧାସଳଖ ସଂସଦର ୬୨ ନମ୍ବର ପ୍ରକୋଷ୍ଠକୁ ଆସିବେ। ସେଠାରେ ସେମାନଙ୍କର ପରିଚୟ ପ୍ରସ୍ତୁତ ପାଇଁ ଫଟୋ ଓ ଠିକଣା ଆଦି ଦେବେ। ସର୍ବପ୍ରଥମେ ସାଂସଦମାନଙ୍କୁ ସେମାନଙ୍କର ନିର୍ବାଚନ ଜିଣିବା ସମ୍ବନ୍ଧୀୟ ପ୍ରମାଣପତ୍ର ଲୋକସଭାର ସଚିବାଳୟରେ ଦାଖଲ କରିବାକୁ ପଡ଼ିବ। ପ୍ରମାଣପତ୍ର ଦାଖଲ କରିବା ପରେ ହିଁ ଅନ୍ୟାନ୍ୟ ଔପଚାରିକତା ଆରମ୍ଭ କରାଯିବ। କଣ୍ଟ୍ରୋଲ ରୁମରେ ସ୍ଥାପନ କରାଯାଇଥିବା ଷ୍ଟୁଡିଓରେ ସେମାନଙ୍କର ଫଟୋ ଉଠାଯିବା। ପ୍ରଥମେ ସାଂସଦମାନଙ୍କ ଅସ୍ଥାୟୀ ପରିଚୟପତ୍ର ଦିଆଯିବ। ତା’ପରେ ସ୍ଥାୟୀ ପରିଚୟପତ୍ର ସହିତ ସେମାନଙ୍କୁ ସାଂସଦର ଇ-ମେଲ ଆଇଡି ପ୍ରଦାନ କରାଯିବ। ଏଥି ସହିତ ସାଂସଦମାନଙ୍କୁ ୧୫-୨୦ଟି ବିଭିନ୍ନ ଫର୍ମ ଗୁଡ଼ିକ ପୂରଣ କରିବାକୁ ପଡ଼ିବ। ସଂସଦର ପ୍ରଥମ ମହଲାରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ କାର୍ଯ୍ୟଳୟରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବ। ସେହିପରି ଏମଟିଏନଏଲର ନୂଆ ସିରିଜ୍‌ର ମୋବାଇଲ ନମ୍ବର ପ୍ରଦାନ କରାଯିବାର ବ୍ୟବସ୍ଥା ମଧ୍ୟ ଏଥର ହୋଇଛି। ୧୭ତମ ଲୋକସଭା ଗଠନ ଜୁନ୍‌ ୩ ତାରିଖ ପୂର୍ବରୁ ହେବା ଦୃଷ୍ଟିରୁ ସାଂସଦମାନଙ୍କ ପାଇଁ ରୁଲ୍‌ ବୁକ୍‌ ଓ ଅନ୍ୟାନ୍ୟ ସୂଚନା ସମ୍ବନ୍ଧୀୟ ପୁସ୍ତିକା ଗୁଡ଼ିକର ପ୍ରକାଶନ ହୋଇସାରିବା ପରେ ଫୋଲ୍‌ଡର ଜରିଆରେ ସେମାନଙ୍କୁ ପ୍ରଦାନ କରାଯିବ। ନୂଆ ସାଂସଦମାନଙ୍କ ପାଇଁ ବ୍ୟୁରୋ ଅଫ୍‌ ପାର୍ଲାମେଣ୍ଟାରୀ ଷ୍ଟଡିଜ୍‌ ଦ୍ଵାରା ସଂସଦୀୟ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ଅବଗତ କରିବା ପାଇଁ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ।

ସାଂସଦମାନଙ୍କୁ ସ୍ୱାଗତ କରିବା ପାଇଁ ସେଣ୍ଟ୍ରାଲ ହଲ ଓ ସଂସଦ ପରିସରକୁ ମଧ୍ୟ ସାଜସଜା କରାଯିବାର କାର୍ଯ୍ୟ ଜାରି ରହିଛି। ସାଂସଦମାନଙ୍କୁ ସ୍ୱାଗତ କରିବା ପାଇଁ ଲୋକସଭା ସଚିବାଳୟ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ବେଳେ ୧୭ତମ ଲୋକସଭାରେ କେତେ ଜଣେ ନୂଆ ସାଂସଦ ଆସିବେ ତାହା ୨୩ ତାରିଖ ଫଳାଫଳରୁ ହିଁ ଜଣା ପଡ଼ିବ।

ସମ୍ବନ୍ଧିତ ଖବର