ରାଜ୍ୟସଭା ପାଇଁ ଏବେଠୁ ଅଙ୍କକଷା; ଜୁଲାଇ ପହିଲାରେ ସରୁଛି ତିନି ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ

ପ୍ରସନ୍ନ, ଭାସ୍କର ଓ ସସ୍ମିତଙ୍କ କାର୍ଯ୍ୟକାଳ ଶେଷ ହେବ

ଜୁନମାସରେ ରାଜ୍ୟସଭା ନିର୍ବାଚନ ହେବା ସମ୍ଭାବନା
ରାଜ୍ୟସଭା ବୁଲେଟିନ୍ ଜାରି ପରେ ରାଜ୍ୟ ରାଜନୀତି ସରଗରମ

ନୂଆଦିଲ୍ଲୀ/ଭୁବନେଶ୍ୱର : ଆସନ୍ତା ଜୁଲାଇ ପହିଲାରେ ଓଡିଶାର ତିନି ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେ‌‌ଷ ହେଉଛି। ଗୁରୁବାର ରାଜ୍ୟସଭା ସଚିବାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବୁଲେଟିନ୍‌ ପ୍ରକାଶ ପାଇଛି। ଏଥିରେ ଚଳିତବର୍ଷ କାର୍ଯ୍ୟକାଳ ଶେଷ ହେଉଥିବା ଦେଶର ମୋଟ ୭୭ ଜଣ ରାଜ୍ୟସଭା ସାଂସଦଙ୍କ ନାମ ମଧ୍ୟ ରହିଛି। ରାଜ୍ୟସଭାରୁ ଏ ସଂକ୍ରାନ୍ତ ସୂଚନା ମିଳିବା ପରେ ଓଡ଼ିଶାରେ ଖାଲିପଡ଼ୁଥିବା ଆସନରେ କାହାକୁ ରାଜ୍ୟସଭା ପଠାଯିବ, ସେ ନେଇ ଶାସକ ବିଜେଡି ସମେତ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଅଙ୍କକଷା ଆରମ୍ଭ କରିଛନ୍ତି। ବିଜେଡି ଶୀର୍ଷସ୍ତରରେ ମଧ୍ୟ କିଛି ଆଶାୟୀ ଏବେଠାରୁ ଲବି ଜୋର କରିଥିବା ସୂଚନା ମିଳିଛି।

ଓଡିଶାରୁ ପ୍ରସନ୍ନ ଆଚାର୍ଯ୍ୟ, ଏନ.ଭାସ୍କର ରାଓ ଓ ଡ. ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଜୁଲାଇ ୧ ତାରିଖରେ ଶେ‌ଷ ହେଉଛି।

ଜୁନ ମାସରେ ଏହି ଆସନ ଲାଗି ନିର୍ବାଚନ ହେବ। ରାଜ୍ୟସଭା ନିର୍ବାଚନ ଗଣିତ ଅନୁସାରେ, ବିଧାନସଭାରେ ବିେଜଡି ସଭ୍ୟ ସଂଖ୍ୟା ଦୃଷ୍ଟିରୁ ତିନିଟି ଯାକ ଶାସକ ଦଳ ସପକ୍ଷରେ ଯିବ। ବିରୋଧୀ ଦଳ ପାଖେ ଆବଶ୍ୟକ ସଂଖ୍ୟା ନାହିଁ। ସଂପ୍ରତି ବ୍ରଜରାଜନଗର ବିଧାନସଭା ଆସନ ଖାଲି ରହିଛି ଓ ୧୧୩ଜଣ ସଦସ୍ୟଙ୍କୁ ନେଇ ଶାସକ ଦଳ କ୍ଷମତାରେ ଅଛନ୍ତି। ବିଜେପିର ୨୨ଜଣ, କଂଗ୍ରେସର ୯ ଜଣ ସଦସ୍ୟ ରହିଛନ୍ତି। ଅନ୍ୟ ଦୁଇ ବିଧାୟକଙ୍କ ମଧ୍ୟରୁ ଜଣେ ସ୍ବାଧୀନ ଓ ଅନ୍ୟ ଜଣେ ବାମଦଳର।
ଏପଟେ ରାଜ୍ୟସଭା ନିର୍ବାଚନ ସମୟ ଆସୁଥିବା ଜାଣି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଗଣମାଧ୍ୟମକୁ ଆସି ସାରିଛନ୍ତି। ତାଙ୍କୁ ଏକଦା ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପଠାଇବାକୁ ପ୍ରତିଶ୍ରୁତି ଦେଇଥିବା କଥା ସେ ଇତିମଧ୍ୟରେ ମନେ ପକାଇ ଦେଇଛନ୍ତି।

ତେବେ ଏହି ରାଜ୍ୟସଭା ନିର୍ବାଚନଟି ରାଜନୈତିକ ଦୃଷ୍ଟିରୁ ବିଜେଡି ପାଇଁ ଅତି ଗୁରୁତ୍ବପୂର୍ଣ୍ଣ। କାରଣ ଅନେକ ଟାଣୁଆ ନେତା ଗତ ନିର୍ବାଚନରେ ପରାଜୟ ବରଣ କରି କୌଣସି ପଦପଦବି ଅପେକ୍ଷାରେ ଅଛନ୍ତି। ଏଣୁ ସେମାନେ ରାଜ୍ୟସଭା ମୁଆଁକୁ ଆଖେଇବା ସ୍ବାଭାବିକ। ଏହି ନିର୍ବାଚନର ଅନ୍ୟ ଏକ ସ୍ବତନ୍ତ୍ରତା ହେଲା, ଆଗକୁ ପଶ୍ଚିମ ଓଡ଼ିଶାରେ (ବ୍ରଜରାଜନଗର ବିଧାନସଭା ଆସନ ଖାଲିପଡିଛି) ଉପନିର୍ବାଚନ ହେବ। ଏଣୁ ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ନେତା ଶ୍ରୀ ଆଚାର୍ଯ୍ୟଙ୍କ କ୍ଷେତ୍ରରେ ବିଜେଡିର ଗଣିତ କଣ ହେବ, ତାହା ଉପରେ ସମସ୍ତଙ୍କ ଆଖି ରହିଛି। ରାଜନୈତିକ ମହଲର କହିବା କଥା ହେଉଛି, ସଂପ୍ରତି ବିଜେଡି ପଶ୍ଚିମ ଓଡ଼ିଶାରେ ନିଜକୁ ସଶକ୍ତ କରିବା ଲାଗି କସରତ କରୁଛି। ହେଲେ କଳାହାଣ୍ଡିରୁ ସୁଜିତ କୁମାର ରାଜ୍ୟସଭାକୁ ଯାଇଛନ୍ତି। ଏଣୁ ସଂପ୍ରତି ବିଜେଡି ଯେଉଁ ସମୟ ଦେଇ ଗତିକରୁଛି, ସେଥିରେ ଏହି ସିଟ୍ ଏଥର ଉପକୂଳକୁ ଆସିବା ସମ୍ଭାବନା ଅଧିକ।

ସେହିଭଳି ଦକ୍ଷିଣ ଓଡ଼ିଶାରୁ ଭାସ୍କର ରାଓଙ୍କ କାର୍ଯ୍ୟକାଳ ଏଥର ସରୁଛି। ନିକଟରେ ପୂର୍ବତନ ସାଂସଦ ତଥା କଂଗ୍ରେସ ଉପସଭାପତି ପ୍ରଦୀପ ମାଝୀଙ୍କୁ ବିଜେଡି ସାମିଲ କରିଛି। ପୂର୍ବରୁ ଯେଭଳି ଭୂପିନ୍ଦର ସିଂହଙ୍କୁ କଂଗ୍ରେସରୁ ଆଣିବା ବେଳେ ରାଜ୍ୟସଭାକୁ ପଠାଇ ସମ୍ମାନ ଦେଇଥିଲା ଶ୍ରୀ ମାଝୀଙ୍କ କ୍ଷେତ୍ରରେ ଦଳ ଅନୁରୂପ ଫର୍ମୁଲା ପ୍ରୟୋଗ କରିବା ସମ୍ଭାବନା ଅଧିକ ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି।

ତୃତୀୟ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ପୂର୍ବତନ ସାଂସଦ ପ୍ରତାପ ଦେବଙ୍କ ସ୍ଥାନରେ ଶ୍ରୀ ପାତ୍ରଙ୍କୁ ରାଜ୍ୟସଭା ପଠାଯାଇଥିଲା। ୨୦୧୯ ଜୁନ ୨୮ ତାରିଖରେ ସେ ଦାୟିତ୍ବ ନେଇଥିଲେ। ଅତଏବ ମାତ୍ର ୩ବର୍ଷ ପାଇଁ ସେ ସାଂସଦ ଥିଲେ ହେଁ ସେ ସଂସଦରେ ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ଶ୍ରୀ ପାତ୍ରଙ୍କୁ ବିଜେଡି ଆଉ ଥରେ ଦେବ ନା ତାଙ୍କ ସ୍ଥାନରେ ଆଉ କୌଣସି କ୍ଷମତାଶାଳୀ ଯୁବ ନେତାଙ୍କୁ ପଠାଇବ, ତାହାକୁ ନେଇ ଯୁବ ବର୍ଗରେ ଚର୍ଚ୍ଚା ଆଲୋଚନା ଜମିଲାଣି।

ସୁଚନାଯୋଗ୍ୟ ଯେ ରାଜ୍ୟ ସଭାରେ ବର୍ତ୍ତମାନ ବିଜେଡିର ୯ ଜଣ ସାଂସଦ ରହିଛନ୍ତି। ଏହାବ୍ୟତୀତ ବିଜେ଼ଡି ସମର୍ଥନରେ ବିଜେପିରୁ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାକୁ ଯାଇ ଏବେ କେନ୍ଦ୍ରରେ ରେଳବାଇ ମନ୍ତ୍ରୀ ଅଛନ୍ତି।

ଓଡିଶାର ୩ ଜଣ ରାଜ୍ୟ ସଭା ସଦସ୍ୟଙ୍କ ସମେତ ୨୦୨୨ରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୧୧ ଜଣ, ପଞ୍ଜାବରୁ ୭, ତାମିଲନାଡୁ ଓ ମହାରାଷ୍ଟ୍ରରୁ ୬ ଜଣ ଲେଖାଏଁ,ବିହାରରୁ ୫, ଆନ୍ଧ୍ର ପ୍ରଦେଶ , କର୍ଣ୍ଣାଟକ ଓ ରାଜସ୍ଥାନରୁ ୪ ଜଣ ଲେଖାଏଁ, ମଧ୍ୟ ପ୍ରଦେଶ, କେରଳରୁ ୩ ଜଣ ଲେଖାଏଁ, ଆସାମ ,ଛତିଶଗଡ,ହରିଆଣା,ଜାମ୍ମ-କାଶ୍ମୀର,‌ ତେଲେଙ୍ଗାନାରୁ ୨ ଜଣ ଲେଖାଏଁ, ଉତ୍ତରାଖଣ୍ଡ, ନାଗାଲ୍ୟାଣ୍ଡ, ହିମାଚଳ ପ୍ରଦେଶରୁ ଜଣେ ଲେଖାଏଁ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ସରିବ। ଏଥି ସହିତ ଚଳିତ ବର୍ଷ ରାଜ୍ୟ ସଭାରୁ ୭ ଜଣ ମନୋନୀତ ସଦସ୍ୟଙ୍କର କାର୍ଯ୍ୟକାଳ ମଧ୍ୟ ‌ଶେଷ ହେବ।

ସମ୍ବନ୍ଧିତ ଖବର