ଚୀନ୍‌-ପାକ୍‌ର ମୁକାବିଲା ପାଇଁ ପ୍ରସ୍ତୁତି: ପ୍ରତିରକ୍ଷା ବଜେଟ୍‌ ୫.୯୪ ଲକ୍ଷ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ: ଚୀନ୍‌ ଏବଂ ପାକିସ୍ତାନର ମିଳିତ ବିପଦର ମୁକାବିଲା ପାଇଁ ଭାରତ ସବୁ ଦିଗରୁ ପ୍ରସ୍ତୁତ ହେଉଛି ଏବଂ ଏହି ପରିପ୍ରେକ୍ଷୀରେ ପ୍ରତିରକ୍ଷା ବଜେଟ୍‌କୁ ବଢ଼ାଇ ଦିଆଯାଇଛି। ବର୍ଷ ୨୦୨୩-୨୦୨୪ ପାଇଁ ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ୫.୯୪ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହା ଗତ ବର୍ଷ ତୁଳନାରେ ୧୨.୯୫ ପ୍ରତିଶତ ଅଧିକ। ଭାରତ ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ମୋଟ ଅଟକଳକୁ ୧୦ ହଜାର କୋଟି ଟଙ୍କା ବଢ଼ାଇ ୧.୬୨ ଲକ୍ଷ କୋଟି କରିଛି। ଡଲାର ହିସାବରେ ଦେଖିଲେ ଭାରତର ପ୍ରତିରକ୍ଷା ବଜେଟ୍‌ ୫୨.୮ ବିଲିୟନ ଡଲାରରେ ପହଞ୍ଚିଯାଇଛି। ପାକିସ୍ତାନର ରକ୍ଷା ବଜେଟ୍‌ଠାରୁ ଏହା ୭ ଗୁଣ ଅଧିକ। ପାକିସ୍ତାନର ଗତବର୍ଷର ପ୍ରତିରକ୍ଷା ବଜେଟ୍‌ ୭.୫ ବିଲିୟନ ଡଲାର ଥିଲା।

ଅନ୍ୟପକ୍ଷରେ ଲଦାଖଠାରୁ ଆରମ୍ଭ କରି ଭାରତ ମହାସାଗର ପର୍ଯ୍ୟନ୍ତ ଭାରତକୁ ନାଲି ଆଖି ଦେଖାଉଥିବା ଚୀନ୍‌ର ମୁକାବିଲା ପାଇଁ ମଧ୍ୟ ଭାରତ ଜୋର୍‌ଦାର ପ୍ରସ୍ତୁତି କରିଛି। ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁଯାୟୀ ଚୀନ୍‌ର ପ୍ରତିରକ୍ଷା ବଜେଟ୍‌ ୨୯୩ ବିଲିୟନ ଡଲାର। ଭାରତ ପ୍ରତିରକ୍ଷା ବ୍ୟୟ କ୍ଷେତ୍ରରେ ଶୀର୍ଷ ୫ଟି ଦେଶ ମଧ୍ୟରେ ରହିଛି। ଭାରତର ପ୍ରତିରକ୍ଷା ବଜେଟ୍‌ର ସିଂହଭାଗ ଦରମାରେ ଖର୍ଚ୍ଚ ହୋଇଯାଉଛି। ଏବେ ଅସ୍ତ୍ର କ୍ରୟ କ୍ଷେତ୍ରରେ ଅଟକଳ ବଢ଼ାଇ ସରକାର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବାକୁ ଚାହୁଛନ୍ତି। ଚଳିତ ବର୍ଷର ପ୍ରତିରକ୍ଷା ବଜେଟ୍‌ରେ ୬୯ ହଜାର କୋଟି ଟଙ୍କା ବୃଦ୍ଧି ଅନେକ ଯୋଜନାକୁ ସୁଗମ କରିବ।
ଭାରତର ସୀମା ୭ଟି ଦେଶକୁ ଲାଗିଛି। ସେହିପରି ଚୀନ୍‌ର ସୀମା ୧୪ଟି ଦେଶକୁ ଏବଂ ପାକିସ୍ତାନର ସୀମା ମାତ୍ର ୪ଟି ଦେଶକୁ ଲାଗିଛି। ଏସବୁ ଦେଶର ପ୍ରତିରକ୍ଷା ବଜେଟ୍ ତଦନୁଯାୟୀ କମ୍‌-ବେଶି ହେବାର ଦେଖାଯାଏ। ଚୀନ୍‌ର ପୂର୍ବ ପ୍ରତିରକ୍ଷା ବଜେଟ୍ ସବୁଠୁ ଅଧିକ ଥିଲା- ପ୍ରାୟ ୧୯ ଲକ୍ଷ କୋଟି।

ବାଂଲାଦେଶ, ଶ୍ରୀଲଙ୍କା ଓ ନେପାଳର ପୂର୍ବ ପ୍ରତିରକ୍ଷା ବଜେଟ୍ ଥିଲା ଯଥାକ୍ରମେ ୩୧ ହଜାର କୋଟି, ୯ ହଜାର କୋଟି ଓ ୩,୫୭୯ କୋଟି । ନେପାଳ ଓ ଆଫଗାନିସ୍ତାନର ଚାରିପଟ ସ୍ଥଳଭାଗ ହେତୁ ସେମାନଙ୍କର ନୌସେନାର ଆବଶ୍ୟକତା ନାହିଁ। ତେଣୁ ନୌସେନା ବାବଦକୁ ସେମାନଙ୍କର ଖର୍ଚ୍ଚ ବଞ୍ଚିଗଲା। ଚୀନ୍‌ର ସୀମା ୧୪ଟି ଦେଶକୁ ଲାଗିଛି ଏବଂ ପ୍ରାୟ ସବୁଠି ତାଙ୍କର ବିବାଦ ଲାଗିଛି। ଯେଉଁଠି ବିବାଦ ନାହିଁ, ସେଠାରେ ବି ତ ତାଙ୍କୁ ସୁରକ୍ଷା ବ୍ୟବସ୍ଥା କରିବାକୁ ପଡ଼ିବ। ସେଥିପାଇଁ ସେମାନଙ୍କର ସୈନ୍ୟ, ଅସ୍ତ୍ରଶସ୍ତ୍ର ଓ ପ୍ରତିରକ୍ଷା ବଜେଟ୍ ସବୁଠୁ ଅଧିକ। ଚଳିତ ବର୍ଷର ବଜେଟ୍‌ରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଯେଉଁ ୫.୯୪ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି ସେଥିରୁ ୨.୭୦ ଲକ୍ଷ କୋଟି ସେନା, ନୌସେନା ଓ ବାୟୁସେନାରେ ଖର୍ଚ୍ଚ ହେବ। ବଳକା ଅର୍ଥ ଅସ୍ତ୍ର କ୍ରୟରେ ବିନିଯୋଗ ହେବ।

ସମ୍ବନ୍ଧିତ ଖବର