କୋଭିଡ୍‌ ସହିତ ଡେଙ୍ଗୁ ମୁକାବିଲା ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ: ସମ୍ପ୍ରତି ମହାମାରୀ କୋଭିଡ୍‌ ପାଇଁ ବିସ୍ତାରିତ ହୋଇ ପଡ଼ିଥିବା ସ୍ବାସ୍ଥ୍ୟସେବାକୁ କିଭଳି ଅଧିକ ଶାଣିତ କରି ଆଗକୁ ବର୍ଷା ଋତୁରେ ସମ୍ଭାବ୍ୟ ଡେଙ୍ଗୁ ସଂକ୍ରମଣର ମୁକାବିଲା କରିହେବ, ସେଥିପାଇଁ ଦେଶର ବିଭିନ୍ନ ରାଜ୍ୟ ସରକାର ନିଜସ୍ବ ବିଧି ବ୍ୟବସ୍ଥା ବାହାର କରୁଥିବା ଜଣାଯାଇଛି। ଡେଙ୍ଗୁରୋଗର ସଂକ୍ରମଣ ପାଇଁ ଦାୟୀ ଏଡିସ୍‌ ମଶାଗୁଡ଼ିକ ସାଧାରଣତଃ ସହରାଞ୍ଚଳରେ ବେଶୀ ମାତ୍ରାରେ ଥାଆନ୍ତି ଏବଂ ସହରାଞ୍ଚଳର ସମ୍ପ୍ରସାରଣ ଓ ପାଣିପାଗ ପରିବର୍ତ୍ତନ ଜନିତ ତାପମାତ୍ରା ବୃଦ୍ଧି ହିଁ ଏହି ମଶାବଂଶ ବଢ଼ାଇବାରେ ପ୍ରମୁଖ କାରଣ ସାଜିବେ ବୋଲି ଅତୀତରେ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ତେଣୁ ମହାମାରୀ କୋଭିଡ୍‌-୧୯ ପାଇଁ ଦେଶବାସୀ ନୟାନ୍ତ ହୋଇଚାଲିଥିବା ବେଳେ ଯେପରି ଆଗକୁ ଡେଙ୍ଗୁ ଆଉ ଅଧିକ କୋକୁଆ ଭୟ ସୃଷ୍ଟି ନକରିବ ସେଥିପାଇଁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ସତର୍କ କରାଇଦେଇଛନ୍ତି। ତଦନୁଯାୟୀ, ପଞ୍ଜାବ ସରକାର ଗତ ସପ୍ତାହରୁ ଏକ ପରିଚ୍ଛନ୍ନତା ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ପଶ୍ଟିମବଙ୍ଗ ସରକାର ଏକ ନୂଆ ନୀତି ଜାରି କରିଛନ୍ତି ଯେଉଁଥିରେ ସ୍ବାସ୍ଥ୍ୟକର୍ମୀମାନେ ପ୍ରାୟ ସମାନ ଲକ୍ଷଣଯୁକ୍ତ କୋଭିଡ୍‌ ଓ ଡେଙ୍ଗୁ ରୋଗୀଙ୍କୁ ପରସ୍ପରଠାରୁ ପୃଥକ୍ କରିପାରିବେ। ସେହିପରି ଜିଲ୍ଲା ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି।

ସୂଚନା ଥାଉ କି, ଡେଙ୍ଗୁ ସଂକ୍ରମଣକୁ ରୋକିବା ଲାଗି ମୁଖ୍ୟତଃ ପଚାଶଢ଼ା ପାଣି । ଜମୁଥିବା ବର୍ଜ୍ୟ ବସ୍ତୁ ରୂପକ ଏଡିସ୍‌ ମଶାର ବଂଶବୃଦ୍ଧି ସ୍ଥଳଗୁଡ଼ିକୁ ନଷ୍ଟ କରିବା ଜରୁରୀ। ଆଗରୁ ଡେଙ୍ଗୁଋତୁ(ବର୍ଷାଋତୁ) ଆବିର୍ଭାବ ପୂର୍ବରୁ ସେପରି କାର୍ଯ୍ୟ ଜାରି ରହୁଥିଲା। ମାତ୍ର କୋଭିଡ୍‌ ଜନିତ ଲକ୍‌ଡାଉନ୍‌ ସ୍ଥିତି ଯୋଗୁଁ ଅନ୍ୟ ସମସ୍ତ ପ୍ରକାର ସତର୍କତାକୁ ଅଣଦେଖା କରାଯାଇଛି। ଏଣେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନା ମୁତାବକ ୨୦୧୯ ମସିହା ହିଁ ସର୍ବାଧିକ ଡେଙ୍ଗୁ ମାମଲା ରେକର୍ଡ କରିଛି। ସେହିପରି ଆମ ଦେଶର ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଯୋଜନା(ଏନ୍‌ଭିବିଡିସିପି) ଅନୁସାରେ ୨୦୧୯ ମସିହାରେ ଦେଶରେ ଲକ୍ଷେ ୨୩ ହଜାର ୪୨୨ ଜଣ ଡେଙ୍ଗୁ ରୋଗୀଙ୍କର ଚିକିତ୍ସା କରାଯାଇଥିବା ବେଳେ ୧୩୨ ଜଣଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷେ, ଚଳିତ ବର୍ଷ କୋଭିଡ୍‌-୧୯ର ସଂକ୍ରମଣ ଜାରି ଥିବା ବେଳେ ଡେଙ୍ଗୁ ଆକ୍ରାନ୍ତଙ୍କୁ ଆବଶ୍ୟକ ଚିକିତ୍ସାସେବା ମିଳିବା କଷ୍ଟକର ହୋଇପଡ଼ିବ। ସୁତରାଂ ଡେଙ୍ଗୁ ଯେପରି ଅଧିକ ଚିନ୍ତାର କାରଣ ନହୁଏ ସେଥିପାଇଁ ଯଥା ସମ୍ଭବ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ରାଜ୍ୟମାନେ ତତ୍ପର ହେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର