ନୂଆଦିଲ୍ଲୀ: ଭାରତ ଏହାର ବନ୍ଧୁ ରାଷ୍ଟ୍ରମାନଙ୍କ ସହ ସମରାଭ୍ୟାସ କରି ଯୁଦ୍ଧ ଦକ୍ଷତା ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଚୀନ୍ର ଏଲ୍ଏସି (ବାସ୍ତବ ସୀମା ରେଖା) ନିକଟରେ ଆମେରିକା ସହ ଏକ ସାମରିକ ସମରାଭ୍ୟାସ ପାଇଁ ପ୍ରସ୍ତୁତି ଆରମ୍ଭି କରିଛି। ଆଗାମୀ ନଭେମ୍ବର ୮ରୁ ୧୮ ମଧ୍ୟରେ ଜାପାନରେ ହେବାକୁ ଥିବା ମାଲାବାର ସମରାଭ୍ୟାସରେ ଭାରତ ସାମିଲ ହେବ। ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ଯୁଦ୍ଧ ଜାହାଜ, ବୁଡ଼ାଜାହାଜ, ଯୁଦ୍ଧବିମାନ ଏବଂ ହେଲିକପ୍ଟରକୁ ମାଲାବାର ସମରାଭ୍ୟାସ ପାଇଁ ମୁତୟନ କରାଯିବ।
ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଚୀନ୍ର ବିସ୍ତାରବାଦୀ ନୀତିକୁ ପ୍ରତିହତ କରିବାପାଇଁ କ୍ବାଡ୍ ରାଷ୍ଟ୍ରମାନଙ୍କର ଲକ୍ଷ୍ୟ ରହିଛି। ଏହାବାଦ ନଭେମ୍ବର ୧୫ରୁ ଡିସେମ୍ବର ୧୨ ମଧ୍ୟରେ ଭାରତ ଏବଂ ଆମେରିକା ସେନା ମଧ୍ୟରେ ଉତ୍ତରାଖଣ୍ଡର ଅଉଲିରେ ଏକ ‘ଯୁଦ୍ଧ ଅଭ୍ୟାସ’ ହେବ। ଚୀନ୍ ସୀମା ନିକଟରୁ ଏହା ମାତ୍ର ୧୦୦ କିମି ଦୂର। ଗତ ଅଗଷ୍ଟରେ ଭାରତ ଏବଂ ଆମେରିକା ହିମାଚଳ ପ୍ରଦେଶରେ ‘ବଜ୍ର ପ୍ରହାର’ ସମରାଭ୍ୟାସ କରିଥିଲେ। ‘ଯୁଦ୍ଧ ଅଭ୍ୟାସ’ରେ ଉଭୟ ଭାରତ ଏବଂ ଆମେରିକାର ୩୫୦ ସୈନିକ ସାମିଲ ହେବେ। ଅନ୍ୟପକ୍ଷେ ଅଷ୍ଟ୍ରେଲିଆ ସହ ସାମରିକ ସମ୍ପର୍କ ସୁଦୃଢ଼ କରୁଥିବା ଭାରତ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୧ ମଧ୍ୟରେ ଅଷ୍ଟ୍ରେଲିଆ ସହ ମଧ୍ୟ ସମରାଭ୍ୟାସ କରିବ। ରାଜସ୍ଥାନର ମହାଜନ ଫିଲ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ‘ଅଷ୍ଟ୍ରା-ହିନ୍ଦ’ ଇନଫ୍ୟାଣ୍ଟ୍ରି ସମରାଭ୍ୟାସ କରିବେ।