ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର: ପୁଡ଼ୁଚେରି ଓ ତାମିଲନାଡ଼ୁରେ ମୋଦୀ, ଆସାମରେ ଶାହ, ପଶ୍ଚମବଙ୍ଗରେ ନଡ୍ଡା

କୋଏମ୍ବାଟୁର୍‌ : ଆଗକୁ ବିଭିନ୍ନ ରାଜ୍ୟରେ ବିଧାନସଭା‌ ନିର୍ବାଚନ ଥିବାବେଳେ ଏବେଠାରୁ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ବାଚନ କମିସନ ଆସନ୍ତାମାସ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡ଼ୁ ଏବଂ ପୁଡ଼ୁଚେରିରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆସାମ ଏବଂ ବିଜେପି ସଭାପତି ଜେ ପି ନଡ୍ଡା ଆଜି ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କ ପାଇଁ ନେଭେଲି ଲିଗଲାଇଟ୍‌ କର୍ପୋରେସନ୍‌ (ଏନ୍‌ଏଲ୍‌ସି)ର ୨ଟି ୫୦୦ ମେଗାୱାଟ୍‌ ବିଶିଷ୍ଟ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ୍‌କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏଥିସହିତ ୭୦୯ ମେଗାୱାଟ ବିଶିଷ୍ଟ ସୌର ଶକ୍ତି ପ୍ରକଳ୍ପର ଉତ୍ସର୍ଗ କରିଛନ୍ତି। ଗୃହ ମନ୍ତ୍ରୀ ଶାହ ଆସାମରେ କହିଛନ୍ତି, ୫ ବର୍ଷ ପୂର୍ବେ ବି‌ଜେପି ଯେଉଁ ଯାତ୍ରା ଆରମ୍ଭ କରିଥିଲା ତାହା ଜାରି ରହିବ। ସେହିପରି ପଶ୍ଚିମବଙ୍ଗରେ ଟିଏମ୍‌ସିକୁ ହଟାଇବା ପାଇଁ ବିଜେପି ଜୋରଦାର ପ୍ରୟାସ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଶାହଙ୍କ ପରେ ଏବେ ପୁଣି ନଡ୍ଡା ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ନଡ୍ଡା ଆଜି ପଶ୍ଚିମବଙ୍ଗରେ ‘ସୋନାର୍‌ ବାଂଲା’ ମିସନ୍‌ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧି ନିର୍ବାଚନ ହେବାକୁ ଥିବା କେରଳରେ ମତ୍ସ୍ୟଜୀବୀଙ୍କ ଗହଣରେ ସମୟ କଟାଇଛନ୍ତି। ଆରବ ସାଗରରେ ଡଙ୍ଗାରେ ଯାଇ ଜାଲ ପକାଇବା ସହିତ ସମୁଦ୍ରରେ ୧୦ ମିନିଟ୍‌ ପହଁରିଛନ୍ତି।

ସମ୍ବନ୍ଧିତ ଖବର