ନୂଆଦିଲ୍ଲୀ: ଭାରତ-ଚୀନ୍‌ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଡୋକ୍‌ଲାମ ପରେ ପ୍ରଥମ ଥର ପାଇଁ ଉଭୟ ଦେଶ ପୁଣି ଥରେ ବଡ଼ ଧରଣର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଲଦାଖ୍‌ ସୀମାରେ ୩ଟି ଅଂଚଳରେ ଚୀନ୍‌ର ଅତିକ୍ରମଣ ପ୍ରୟାସକୁ ଭାରତ ପଣ୍ଡ କରିବା ସହ ଏବେ ସେନା ମୁତୟନ ବଢ଼ାଇଛି। ଉଭୟ ଦେଶ ୫ ଦିନ ମଧ୍ୟରେ ୩ଟି ପର୍ଯ୍ୟାୟରେ ସେନା ମୁତୟନ ବଢ଼ାଇଛନ୍ତି ଏବଂ କଡ଼ା ଜବାବ ଦେବାପାଇଁ ଭାରତ ପ୍ରସ୍ତୁତ ହୋଇଛି। ଲଦାଖ୍‌ରେ ଏବେ ଜାରି ରହିଥିବା ବିବାଦ ଓ ଉତ୍ତେଜନା ଆଗକୁ ଆହୁରି ବଢ଼ିବା ସ୍ପଷ୍ଟ ହୋଇଯାଇଥିବାରୁ ଏହାର ମୁକାବିଲା ପାଇଁ ଲମ୍ବା ଲଢ଼େଇ ନିମନ୍ତେ ଭାରତ ପ୍ରସ୍ତୁତ ହୋଇଛି। ଲଦାଖ୍‌ ସୀମାରେ ଭାରତ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଏଥିରେ ସାମାନ୍ୟତମ ପ୍ରତିବନ୍ଧକକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇଛି। ଅନ୍ୟପକ୍ଷରେ ଚୀନ୍‌ ଲଗାତାର ସେନା ମୁତୟନ ବଢ଼ାଇ ଉତ୍ତେଜନା ଜାରି ରଖିଛି। ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ପୂର୍ବ ସ୍ଥିତି ଫେରାଇ ଆଣିବା ପାଇଁ ଉଭୟ ଦେଶର ବରିଷ୍ଠ ସେନା ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା ମଧ୍ୟ ଜାରି ରହିଛି। କିନ୍ତୁ ତୁହାକୁ ତୁହା ଆଲୋଚନା ସତ୍ତ୍ବେ କୌଣସି ସମାଧାନ ପନ୍ଥା ବାହାରୁନାହିଁ।

Advertisment

ଏବେ ଚୀନ୍‌ ଏବଂ ଭାରତର ସେନା ପେଙ୍ଗୋଙ୍ଗ୍‌ ହ୍ରଦ, ଗଲୱାନ ଘାଟି ଏବଂ ଦେମ୍‌ଚୌକ ଅଂଚଳରେ ନିଜ ନିଜ ସ୍ଥିତିରେ କାଏମ ଅଛନ୍ତି। ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଥିବା ପେଙ୍ଗୋଙ୍ଗ୍‌ ହ୍ରଦ ଏବଂ ଗଲୱାନ ଘାଟିରେ ଭାରତ ଏବଂ ଚୀନ୍‌ ସେନା ମଧ୍ୟରେ ପୂର୍ବରୁ ଅନେକ ଥର ନିକଟରେ ହୋଇଥିବା ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷର ସୈନିକ ଆହତ ହୋଇଛନ୍ତି। ତେବେ ଡୋକ୍‌ଲାମ ପରେ ପ୍ରଥମ ଥର ପାଇଁ ଚୀନ୍‌ ପୁଣି ବଡ଼ ଉତ୍ତେଜନା ସୃଷ୍ଟି କରିଛି ଏବଂ ଏହାର ମୁକାବିଲା ପାଇଁ ଭାରତ ଦୃଢ଼ ରଣନୀତି ଆପଣାଇଛି। ଚୀନ୍‌ର ଯେ କୌଣସି ଅତିକ୍ରମଣର କଡ଼ା ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ରହିଛନ୍ତି। ଗତକାଲି ଚୀନ୍‌ର ବିଦେଶ ମନ୍ତ୍ରୀ ୱାଙ୍ଗ୍‌ ୱି କରିଥିବା ସାମ୍ବାଦିକ ସମ୍ମିଳନୀରେ ଭାରତର ନାମ ନେଇଥିବା ବେଳେ ଭାରତର ବିଦେଶ ମନ୍ତ୍ରାଳୟ ମଧ୍ୟ ଚୀନ୍‌ ନାଁ ଧରିନାହିଁ। ଏଭଳି ସ୍ଥିତିରେ କୌଣସି ଆଲୋଚନା ସଫଳ ହେବା ଆଶା ଖୁବ୍‌ କ୍ଷୀଣ ବୋଲି କୁହାଯାଉଛି।