ନୂଆଦିଲ୍ଲୀ: କରୋନା ଭାଇରସ୍ ବିରୋଧରେ ଲଢ଼େଇ ପାଇଁ ଆଗାମୀ ୧୬ ତାରିଖରୁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହେବ। ଏଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଚାଲିଥିବା ପ୍ରସ୍ତୁତି ଏବେ ଜୋର୍ଦାର ହୋଇଛି। ଆସନ୍ତାକାଲି (ସୋମବାର) ପ୍ରଧାନମନ୍ତ୍ରୀ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ। ଅପରାହ୍ନ ୪ଟାରେ ଭର୍ଚୁଆଲ୍ ବୈଠକ ହେବ ବୋଲି ଜଣାପଡ଼ିଛି। ଟିକାକରଣ ବାବଦରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଆଲୋଚନା କରିବା ସମ୍ଭାବନା ରହିଛି। ଟିକାକରଣକୁ ନେଇ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହ ତାଳମେଳ ରକ୍ଷା କରି ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୨୭ କୋଟି ଭାରତୀୟଙ୍କୁ କୋଭିଡ୍ ଟିକା ଦିଆଯିବ। ଦେଶର କୋଣ ଅନୁକୋଣରେ କରୋନା ଟିକା ପହଞ୍ଚାଇବା ପାଇଁ ସରକାର ବ୍ୟାପକ ଭିତ୍ତିଭୂମି ପ୍ରସ୍ତୁତ ରଖିଛନ୍ତି। ମୋଟ ୨୯୦୦୦ କୋଲ୍ଡ ଚେନ୍ କେନ୍ଦ୍ର ପ୍ରସ୍ତୁତ ରହିଛି। ପରିବହନ ପାଇଁ ୨୪୦ଟି ୱାକ୍ ଇନ୍ କୁଲର, ୭୦ଟି ୱାକ୍ ଇନ୍ ଫ୍ରିଜର, ୪୫ ହଜାର ରେଫ୍ରିଜେରେଟର, ୪୧ ହଜାର ଡିପ୍ ଫ୍ରିଜର୍ ଆଦି ବ୍ୟବସ୍ଥା କରାଯାଇଛି।
ଦେଶ ଏବେ ଦୁଇଟି ଟିକାର ବ୍ୟବହାର ପାଇଁ ମଂଜୁରି ଦେଇଥିବା ବେଳେ ତୁରନ୍ତ ବ୍ୟବହାର ପାଇଁ ଅକ୍ସଫୋର୍ଡର କୋଭିସିଲ୍ଡ ଟିକା ପ୍ରସ୍ତୁତ ରହିଛି। ସିରମ୍ ଇନ୍ଷ୍ଟିଚ୍ୟୁଟ୍ ପ୍ରଥମ ଦଫାରେ ୫ କୋଟି ଟିକା ଯୋଗାଇ ଦେବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଟିକାକରଣ ନିମନ୍ତେ ପଂଜୀକରଣ କରାଇବାକୁ ସ୍ବତନ୍ତ୍ର ଆପ୍ ଏବଂ ପୋର୍ଟାଲ ପ୍ରସ୍ତୁତ ହୋଇଛି। ଟିକା ଲଗାଇବାକୁ ଚାହୁଥିବା ବ୍ୟକ୍ତିମାନେ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରି ଅତି ସହଜରେ ଏଥିରେ ସାମିଲ ହୋଇପାରିବେ। ରେଜିଷ୍ଟ୍ରେସନ ପାଇଁ ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର୍ ପରିଚରପତ୍ର ଏବଂ ପାନ୍ କାର୍ଡ ମଧ୍ୟରୁ ଯେ କୌଣସି ଗୋଟିଏ ଡକ୍ୟୁମେଣ୍ଟ ଆବଶ୍ୟକ ହେବ। ଏହା ବ୍ୟତୀତ ପାସ୍ପୋର୍ଟ, ଜବ୍ କାର୍ଡ, ପେନ୍ସନ ଦସ୍ତାବିଜ, ମନରେଗା କାର୍ଡ, ବ୍ୟାଙ୍କ୍ କିମ୍ବା ପୋଷ୍ଟ୍ ଅଫିସ୍ ପାସ୍ ବୁକ୍କୁ ମଧ୍ୟ ରେଜିଷ୍ଟ୍ରେସନ ପାଇଁ ବ୍ୟବହାର କରାଯାଇ ପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/vaccine-3.jpg)