ପାଟନା: ବିହାରରେ ସରକାର ଗଠନ ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଆସନ୍ତା ୩ ଦିନ ମଧ୍ୟରେ ବିହାରରେ ସରକାର ଗଠନ ହେବ।  ସୂଚନାନୁଯାୟୀ, ନଭେମ୍ବର ୧୯ କିମ୍ବା‌ ୨୦ ତାରିଖରେ ଶପଥ ଗ୍ରହଣ ଉତ୍ସବ ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପଲବ୍ଧତା ସ୍ପଷ୍ଟ ହେବାପରେ ଚୂଡ଼ାନ୍ତ ତାରିଖ ସ୍ପଷ୍ଟ ହେବ। ଶପଥ ଗ୍ରହଣ ଉତ୍ସବ ପାଇଁ ପାଟନାର ଗାନ୍ଧୀ ମଇଦାନରେ ଜୋରଦା‌ର ପ୍ରସ୍ତୁତି ଚାଲିଛି। ଉତ୍ସବରେ ପ୍ରଧାନମନ୍ତ୍ରୀ ଏବଂ ବିଜେପି ନେତୃତ୍ବାଧୀନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ ବୋଲି ଜଣାପଡ଼ିଛି।

Advertisment

ମିଳିଥିବା ସୂଚନାନୁଯାୟୀ ନିର୍ବାଚନ କମିସନ ଆଜି ଅଷ୍ଟାଦଶ ବିହାର ବିଧାନସଭା ନିର୍ବାଚନ ଫଳ ଓ ନବନିର୍ବାଚିତ ବିଧାୟକଙ୍କ ତାଲିକା ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କ ନିକଟରେ ଦାଖଲ କରିଛନ୍ତି।  ନୂଆ ବିଧାନସଭା ଗଠନ ହେବାନେଇ ଖୁବ୍‌ଶୀଘ୍ର ଏକ ବିଜ୍ଞପ୍ତି ଜାରି ହେବ।  ଇତିମଧ୍ୟରେ ଜାଣିବାକୁ ମିଳିଛି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଦାୟୀ ସପ୍ତଦଶ ବିଧାନସଭା ଭଙ୍ଗକୁ ଅନୁମୋଦନ ଦେବାପାଇଁ ସୋମବାର  କ୍ୟାବିନେଟ୍‌ ବୈଠକ ଡାକିଛନ୍ତି। ଏହାପରେ ନୀତୀଶ ରାଜଭବନ ଯାଇ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବେ।  ନୀତୀଶଙ୍କ ଇସ୍ତଫା ପରେ ଏନ୍‌ଡିଏର ସହଯୋଗୀ ଦଳମାନେ ମେଣ୍ଟର ପରବର୍ତ୍ତୀ ନେତା ବାଛିବାପାଇଁ ସେମାନଙ୍କ ବିଧାୟକ ଦଳ ବୈଠକ କରିବେ।  ବିଧାୟକ ଦଳ ନେତା ଏହାପରେ ନୂଆ ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକ‌ଟରେ ଦାବି କରିବେ। ଏନ୍‌ଡିଏ ଅଷ୍ଟାଦଶ ବିଧାନସଭାରେ ସ୍ପଷ୍ଟ ବହୁମତ ପାଇଛି। ବିଜେପି ୮୯ ଆସନ ସହ ଏକକ ବୃହତ୍ତମ ଦଳ ହୋଇଛି ଏବଂ ନୀତୀଶ କୁମାରଙ୍କ ଜେଡିୟୁ ୮୫ ଆସନ ପାଇଛି।  ଅନ୍ୟ ସହଯୋଗୀଙ୍କ ମଧ୍ୟରେ ଏଲ୍‌ଜେପି (ରାମବିଳାସ)୧୯ ଆସନ, ହାମ୍‌ ଦଳ ୫, ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୪ ଆସନରେ ଜିତିଛି। ଅନ୍ୟପ‌‌କ୍ଷେ ମହାମେଣ୍ଟକୁ ମାତ୍ର ୩୫ ଆସନ ମିଳିଛି।