ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ, ଲଢେଇ କର ଓ ବିଜୟୀ ହୁଅ : ଚୀନ ସେନାକୁ କହିଲେ ସି ଜିନ ପିଙ୍ଗ୍

ବେଜିଂ : ଚୀନର ଜାତୀୟ ସୁରକ୍ଷା ପ୍ରତି ବିପଦ ବଢିବାରେ ଲାଗିଛି, ଏଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା, ଲଢେଇ କରି ଜିତିବାକୁ ଚୀନ ସାମରିକ ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ ।

ଗତ ମାସରେ କ୍ରମାଗତ ୩ୟ ଥର ପାଇଁ ଚୀନ କମ୍ୟୁନିଷ୍ଟ ପାର୍ଟି ଓ ଚୀନ ରାଷ୍ଟ୍ରପତି ଭାବେ ପଦ ଭାର ଗ୍ରହଣ କରିବା ପରେ ସେ ବୁଧବାରଦିନ ଚୀନ ସାମରିକ ବାହିନୀର ସର୍ବୋଚ୍ଚ ସଂସ୍ଥା ସେଣ୍ଟ୍ରାଲ ମିଲିଟାରି କମିସନର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଦାୟିତ୍ବ ଗ୍ରହଣ ଅବସରରେ ସେ ଚୀନ ସେନାର ଅପରେସନ କମାଣ୍ଡ ସେଣ୍ଟର ପରିଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନ ଅବସରରେ ସେ ଚୀନ ସେନାକୁ ସମ୍ବୋଧନ କରି କହିଥିଲେ ଯେ ପୃଥିବୀରେ ଏବେ ଏକ ବଡ଼ ପରିବର୍ତ୍ତନ ଆସୁଛି । ଏପରି ପରିବର୍ତ୍ତନ ଗୋଟିଏ ଶତାବ୍ବୀରେ ଥରେ ହୋଇଥାଏ । ଚୀନର ରାଷ୍ଟ୍ରୀୟ ସୁରକ୍ଷା ଅସ୍ଥିରତା ଓ ଅନିଶ୍ଚିତତାର ସମ୍ମୁଖୀନ ହେଉଛି । ଏହା ଫଳରେ ଚୀନ ସାମରିକ ବାହିନୀ ଆଗରେ ବଡ଼ ଆହ୍ବାନ ଦେଖାଦେଇଛି ।

ଏଣୁ ଚୀନ ସେନା ନିଜକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିବାକୁ ସବୁ ଶକ୍ତି ଖଟାଇଦେବା ଉଚିତ ଓ ଯୁଦ୍ଧ ଲଢିବା ସହିତ ଯୁଦ୍ଧ ଜିତିବାକୁ  ଓ ନିଜର ମିସନ ବା ଲକ୍ଷ୍ୟ ହାସଲ କରିବାକୁ ପ୍ରସ୍ତୁତ ରହିବା ଉଚିତ ।

ଏହା ସହିତ ଚୀନର ଅଖଣ୍ଡତା, ନିରାପତ୍ତାକୁ ସୁରକ୍ଷିତ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର