ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିବା ଘଟଣାରେ ଭାରତ ଆଜି ଆଉ ପାଦେ ଆଗକୁ ଯାଇଛି। ପାକିସ୍ତାନର ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦର ମୁକାବିଲା ପାଇଁ ଭାରତର ପ୍ରତିକ୍ରିୟା ଉପରେ ଆଲୋଚନା ଲାଗି ସରକାରଙ୍କ ଶକ୍ତିଶାଳୀ ନିଷ୍ପତ୍ତି ଗ୍ରହଣକାରୀ କ୍ୟାବିନେଟ୍ ନିରାପତ୍ତା କମିଟି (ସିସିଏସ୍)ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହା ଥିଲା ସିସିଏସ୍ର ଦ୍ୱିତୀୟ ବୈଠକ। ପ୍ରଥମ ବୈଠକରେ ସିସିଏସ୍ ସିନ୍ଧୁ ଜଳଚୁକ୍ତି ସ୍ଥଗିତ ଭଳି ଅନେକ ନିିଷ୍ପତ୍ତି ନେଇଥିଲା। ସିସିଏସ୍ ବୈଠକ ପରେ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିପିଏ)ର ଆଉ ଏକ ବୈଠକରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଆଲୋଚନା ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବା ଲାଗି ବିରୋଧୀଙ୍କ ଅନୁରୋଧ ଉପରେ ଆଲୋଚନା ହୋଇଥିଲା। ଖୁବ୍ଶୀଘ୍ର ଏ ବାବଦରେ ନିଷ୍ପତ୍ତି ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ସିସିପିଏ ହେଉଛି ଭାରତର ସର୍ବାଧିକ ପ୍ରଭାବଶାଳୀ ରାଜନୈତିକ କମିଟି ଏବଂ ଏହା ପୂର୍ବରୁ ୨୦୧୯ରେ ପୁଲୱାମା ଆକ୍ରମଣ ପରେ ସିସିପିଏର ବୈଠକ ହୋଇଥିଲା। ଆଜିର ବୈଠକରେ ପହଲଗାମ ଆକ୍ରମଣର ଜବାବ ଦେବାପାଇଁ ଭାରତର ରଣନୀତି ଉପରେ ଆଲୋଚନା ହୋଇଥିଲା।
ଅତୀତର ଉଦାହରଣକୁ ଦୃଷ୍ଟିରେ ରଖି ଆଜିର ସିସିପିଏ ବୈଠକ ଗୁରୁତ୍ବପୂର୍ଣ୍ଣ ହେବା ସହ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଓ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ।
ଆଜି ରାତିରେ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ନିଜ ବାସଭବନରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ ଓ ବୈଦେଶିକ ମନ୍ତ୍ରୀ ଡ.ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି। ଭାରତ ପକ୍ଷରୁ ନିଆଯିବାକୁ ଥିବା ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଅନ୍ତର୍ଜାତୀୟ ସମର୍ଥନ ହାସଲ ବଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଘନଘନ ରଣନୀତିକ ବୈଠକ ପାକିସ୍ତାନରେ ଆତଙ୍କ ସୃଷ୍ଟି କରିଛି। ଆଜି ଉଭୟ କ୍ୟାବିନେଟ୍ ବୈଠକ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଶୀର୍ଷ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ଆଉ ଏକ ବୈଠକ କରିଥିଲେ। ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଆତଙ୍କବାଦୀ ଆକ୍ରମଣ ବିରୋଧରେ ସାମୂହିକ ସଂକଳ୍ପ ଉପସ୍ଥାପନ କରିବା ପାଇଁ ସଂସଦର ଅଧିବେଶନ ଡାକିବାକୁ ଦାବି କରିଥିଲେ। ଆଜି ରାହୁଲ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ପହଲଗାମ ପ୍ରସଙ୍ଗରେ କୌଣସି ଟାଳଟୁଳ ନୀତି ଅବଲମ୍ବନ ନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ମୃତକ ପରିବାରଙ୍କ ଦାବି ଅନୁଯାୟୀ ସେମାନଙ୍କୁ ସହିଦ ମାନ୍ୟତା ଦେବାପାଇଁ ମଧ୍ୟ ରାହୁଲ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ ୨୩ରେ ସିସିଏସ୍ ଏହାର ପ୍ରଥମ ବୈଠକରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଠୋର ଶବ୍ଦରେ ନିନ୍ଦା କରିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲା।
ସିସିଏସ୍ ପରେ ସିସିପିଏ ବୈଠକ
ଡୋଭଲ, ଜୟଶଙ୍କରଙ୍କ ସହ ଆଲୋଚନା
ଖୁବ୍ଶୀଘ୍ର ସଂସଦର ସ୍ବତନ୍ତ୍ର ଅଧିବେଶନ ନିଷ୍ପତ୍ତି
ତ୍ବରିତ କାର୍ଯ୍ୟାନୁଷ୍ଠାନ ଦାବି କଲେ ରାହୁଲ ଗାନ୍ଧୀ
ପାକିସ୍ତାନକୁ ଭାରତର ବାୟୁସୀମା ମନା
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନରେ ଆଜି ଭାରତ ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି। ପାକିସ୍ତାନରୁ ଆସୁଥିବା ବିମାନ ନିମନ୍ତେ ଭାରତ ନିଜ ବାୟୁସୀମା ବନ୍ଦ କରିଦେଇଛି। ମେ ୨୩ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ପାକିସ୍ତାନ ପୂର୍ବରୁ ଭାରତୀୟ ବିମାନ ପାଇଁ ନିଜ ଆକାଶମାର୍ଗ ବନ୍ଦ କରିଥିବା ବେଳେ ଭାରତ ମଧ୍ୟ ଏହାର ଜବାବରେ ଏଭଳି ପଦକ୍ଷେପ ଗ୍ରହଣ କରିଛି। ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖାଯିବା, ଅଟାରୀ-ୱାଘା ସୀମା ବନ୍ଦ କରାଯିବା ଏବଂ ପାକିସ୍ତାନୀ ନାଗରିକଙ୍କ ଭିସା ପ୍ରତ୍ୟାହାର ପରେ ଭାରତ ଆଜି ନିଜର ବାୟୁସୀମା ପାକିସ୍ତାନ ବିମାନ ପାଇଁ ବନ୍ଦ କରି ବହୁତ ବଡ଼ ସଙ୍କେତ ଦେଇଛି। ପୂର୍ବରୁ ଭାରତ-ପାକ୍ ବାଣିଜ୍ୟ କାରବାର ଛିନ୍ନ ହୋଇଥିବା ବେଳେ ଏବେ ଉଭୟ ରାଷ୍ଟ୍ରର ଆକାଶମାର୍ଗ ପରସ୍ପର ପାଇଁ ବନ୍ଦ ହେବା ଅତ୍ୟନ୍ତ ଜଟିଳ ସ୍ଥିତିକୁ ଦର୍ଶାଉଛି।
ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଏବାର ଶାଖା ସଙ୍ଗଠନ ‘ଦି ରେଜିଷ୍ଟାନ୍ସ ଫୋର୍ସ’ ପହଲଗାମ ଆକ୍ରମଣ କରିଥିବା ଏବଂ ପାକିସ୍ତାନୀ ଆତଙ୍କୀମାନେ ଏଥିରେ ସାମିଲ ଥିବାରୁ ଏହାକୁ ନେଇ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଦିନରେ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏବଂ ଏହାପରେ ରାଜନୈତିକ ବ୍ୟାପାର କମିଟି ବୈଠକ ବସିଥିବା ବେଳେ ରାତିରେ ବାୟୁସୀମା ବନ୍ଦ ଘୋଷଣା ପାକିସ୍ତାନ ଉପରେ ଆଉ ଏକ କୂଟନୈତିକ ତଥା ଆର୍ଥିକ ପ୍ରହାର ବୋଲି କୁହାଯାଉଛି।