ଓଡ଼ିଶାରେ ନିର୍ମାଣାଧୀନ ରାଜପଥ ପ୍ରକଳ୍ପର ସ୍ଥିତି ଉପସ୍ଥାପନ

ଲୋକସଭାରେ ଗଡ଼କରୀଙ୍କ ସୂଚନା
୨୦୧୮-୧୯, ୨୦୧୯-୨୦ ଓ ୨୦୨୦-୨୧ର ତଥ୍ୟ ଦେଲେ

ନୂଆଦିଲ୍ଲୀ : ଗୁରୁବାର ଲୋକସଭାରେ ଓଡ଼ିଶାରେ ଜାତୀୟ ରାଜମାର୍ଗ (ଏନ୍‌ଏଚ୍‌) ସଂପ୍ରସାରଣ ଅନ୍ତର୍ଗତ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପର ସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡ଼କରୀ। ବିଜେଡି ସାଂସଦ ମହେଶ ସାହୁଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଓଡ଼ିଶାରେ ଗତ ତିନି ବର୍ଷ ୨୦୧୮-୧୯, ୨୦୧୯-୨୦ ଓ ୨୦୨୦-୨୧ର ତଥ୍ୟ ଉପସ୍ଥାପନ କରିଛନ୍ତି।

ଶ୍ରୀ ଗଡ଼କରୀଙ୍କ ସୂଚନା ଅନୁସାରେ ୨୦୧୮-୧୯ର ଜାତୀୟ ରାଜମାର୍ଗ -୨୬ ଅନ୍ତର୍ଗତ ବୋରିଗୁମା-ଜୟପୁର ୨୧.୦୫ କିମି କାର୍ଯ୍ୟ ଶେଷ ହୋଇଥିବା ତଥା ପ୍ରକଳ୍ପର ବଳକା କାର୍ଯ୍ୟ ନଭେମ୍ବର ୩, ୨୦୨୧ ସୁଦ୍ଧା ଶେଷ ହେବା। ସେହିଭଳି ଏନଏଚ ୨୨୦ ଅନ୍ତର୍ଗତ ଟାଙ୍ଗାବାଲୀ-କରଂଜିଆ ପ୍ରକଳ୍ପର ୧୨.୪୦ କିମି ଶେଷ ହୋଇଛି ଓ ଏହି ପ୍ରକଳ୍ପର କାର୍ଯ୍ୟ ଡିସେମ୍ବର ୨୨, ୨୦୨୧ ସୁଦ୍ଧା ଶେଷ ହେବା ସମ୍ଭାବନା ରହିଛି । ଏନଏଚ ୩୨୬ ଅନ୍ତର୍ଗତ ସିଲେରୁ ବ୍ରିଜର କାର୍ଯ୍ୟ ନଭେମ୍ବର ୨୦୧୯ରେ ସମାପ୍ତ ହୋଇଛି। ଏନ୍‌ଏଚ୍‌ ୩୧୬ ଅନ୍ତର୍ଗତ ପୁରୀ ବାଇପାସର କାର୍ଯ୍ୟ ଜାନୁଆରି ୨୨, ୨୦୨୦ରେ ଶେଷ ମଧ୍ୟ ହୋଇଛି।

ଏନ୍‌ଏଚ୍‌ ୫୩ ଅନ୍ତର୍ଗତ ତାଳଚେର- କାମାକ୍ଷାନଗର-ଡୁବୁରି ପ୍ରକଳ୍ପର ୭୬.୯୨ କିମି କାର୍ଯ୍ୟ ଶେଷ ହୋଇଥିବା ବେଳେ ବଳକା କାର୍ଯ୍ୟ ମାର୍ଚ୍ଚ ୩୧, ୨୦୨୨ ସୁଦ୍ଧା ଶେଷ ହେବା ସମ୍ଭାବନା ରହିଛି। ଏନଏଚ-୧୬ ଅନ୍ତର୍ଗତ ପୁଇଁତଳା-ଟାଙ୍ଗୀ, ଭଦ୍ରକ-ବାଲେଶ୍ବର, ଚଣ୍ଡିଖୋଲ-ଭଦ୍ରକର ୧୦୬.୦୬ କିମି କାର୍ଯ୍ୟ ଶେଷ ହୋଇଥିବା ତଥା ବଳକା କାର୍ଯ୍ୟ ଜୁନ୍‌ ୩୦, ୨୦୨୨ ସୁଦ୍ଧା ଶେଷ ହେବା ସମ୍ଭାବନା ରହିଛି। ଏନ୍‌ଏଚ୍‌ ୪୯ ଅନ୍ତର୍ଗତ ସିଙ୍ଗାରା-ବିଞ୍ଜାବାହାଲ ପ୍ରକଳ୍ପର ୯୩.୫୦ କିମି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ କାର୍ଯ୍ୟ ଅକ୍ଟୋବର ୩୧, ୨୦୨୧ ସୁଦ୍ଧା ଶେଷ ହେବା ସମ୍ଭାବନା ରହିଥିବା ମନ୍ତ୍ରୀ ସୂଚୀତ କରିଛନ୍ତି।

ଏନଏଚ ୫୨୦ ରିମୁଳି-କୋଇଡ଼ା-ରାଜମୁଣ୍ଡା ପ୍ରକଳ୍ପର ୭୭.୨୦ କିମି କାର୍ଯ୍ୟ ଶେଷ ହୋଇଛି। ବଳକା କାର୍ଯ୍ୟ ୩୦ ଜୁନ,୨୦୨୨ ସୁଦ୍ଧା ଶେଷ ହେବା ସମ୍ଭାବନା ରହିଛି। ଏନଏଚ ୧୪୩ ଅନ୍ତର୍ଗତ ବୀରମିତ୍ରପୁର-ବ୍ରାହ୍ମଣୀ, ବ୍ରାହ୍ମଣୀ-ରାଜମୁଣ୍ଡା, ରାଜମୁଣ୍ଡା-ବାରକୋଟ ପ୍ରକଳ୍ପର ୬୨.୪୩ କି.ମି କାର୍ଯ୍ୟ ଶେଷ ହୋଇଛି ଏବଂ ଅବଶିଷ୍ଟ କାର୍ଯ୍ୟ ୩୦ ଜୁନ,୨୦୨୨ ସୁଦ୍ଧା ଶେଷ ହେବ ବୋଲି କେନ୍ଦ୍ରମନ୍ତ୍ରୀ ସମ୍ଭାବନା ବ୍ୟକ୍ତ କରିଛନ୍ତି।

୨୦୧୯-୨୦ ରାଜମାର୍ଗ ପ୍ରକଳ୍ପଗୁଡିକର କାର୍ଯ୍ୟ ଅଗ୍ରଗତିର ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି, ଏନଏଚ ୨୨୦ ଅର୍ନ୍ତଗତ ତିରିଙ୍ଗ-ରାଇରାଙ୍ଗପୁର ପ୍ରକଳ୍ପର କାର୍ଯ୍ୟର ୩.୪୦ କି.ମି. ଶେଷ ହୋଇଛି। ବଳକା କାର୍ଯ୍ୟ ଜୁନ ୩,୨୦୨୨ରେ ଶେଷ ହେବାର ସମ୍ଭାବନା ରହିଛି। ଏନଏଚ-୧୩୦ ସି ଓଡ଼ିଶା-ଛତିଶଗଡ ସୀମାରୁ ବାଲଦିହାମାଲ ପ୍ରକଳ୍ପର କାଯ୍ୟ ଜୁନ୨୯, ୨୦୨୨ ସୁଦ୍ଧା ଶେଷ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହିଭଳି ଏନଏଚ ୨୬ ଅନ୍ତର୍ଗତ ନବରଙ୍ଗପୁରରୁ ବୋରିଗୁମା ପ୍ରକଳ୍ପର ୧୨.୯୪ କିମି କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ କାର୍ଯ୍ୟ ଜୁନ୍‌ ୨୪,୨୦୨୨ ସୁଦ୍ଧା ଶେଷ ହେବା ଲକ୍ଷ୍ୟ ରହିଛି। ଏନଏଚ ୩୨୬ ଅନ୍ତର୍ଗତ ପୁଚାକା-ନଲହା ପ୍ରକଳ୍ପର କାର୍ଯ୍ୟ ଡିସେମ୍ବର ୩୧, ୨୦୨୧ ସୁଦ୍ଧା ଶେଷ ହେବା ସମ୍ଭାବନା ରହିଛି। ଏନଏଚ ୫୩ ଅନ୍ତର୍ଗତ ଡୁବୁରୀ-ଚଣ୍ଡିଖୋଲ ପ୍ରକଳ୍ପର କାର୍ଯ୍ୟ ମଧ୍ୟରୁ ୬.୧୦ କିମି ଶେଷ ହୋଇଥିବା ବେଳେ ବଳକା କାର୍ଯ୍ୟ ଅଗଷ୍ଟ ୧୦, ୨୦୨୨ ସୁଦ୍ଧା ଶେଷ ହେବ। ଏନଏଚ ୧୬ ଅନ୍ତର୍ଗତ ଟାଙ୍ଗୀ-ଭୁବନେଶ୍ବର ୩ ଭିୟୁପି ପ୍ରକଳ୍ପର କାର୍ଯ୍ୟ ମଧ୍ୟରୁ ୩୧.୨୫ କିମି ଶେଷ ହୋଇଛି। ବଳକା କାର୍ଯ୍ୟ ଆସନ୍ତାବର୍ଷ ଜୁନ୍‌ ୩୦ ସୁଦ୍ଧା ଶେଷ ହେବା ସମ୍ଭାବନା ରହିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ୨୦୨୦-୨୧ରେ ଓଡିଶାର ରାଜମାର୍ଗ ପ୍ରକଳ୍ପଗୁଡ଼ିକର ସ୍ଥିତି ସଂପର୍କରେ ସୂଚନା ଦେଇ କହିଛନ୍ତି, ଏନଏଚ-୫୯ ଅନ୍ତର୍ଗତ ମୁଣ୍ଡାମାରାଇରୁ ରତନପୁର ଓ ବ୍ରହ୍ମପୁର ବାଇପାସ ପ୍ରକଳ୍ପର କାର୍ଯ୍ୟ ଆସନ୍ତା ବର୍ଷ ଡିସେମ୍ବର ୩୧ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି। ସେହିଭଳି ଏନଏଚ-୨୬ ଅନ୍ତର୍ଗତ ବରଗଡ଼-ବଲାଙ୍ଗୀର ପ୍ରକଳ୍ପର କାର୍ଯ୍ୟ ଡିସେମ୍ବର ୧୬, ୨୦୨୩, ଏନ୍‌ଏଚ୍‌ ୧୫୩ ବି କାଣ୍ଟିୟାଲି- ନାଲାହା ପ୍ରକଳ୍ପର କାର୍ଯ୍ୟ ଜୁନ୍‌ ୩୦, ୨୦୨୩, ଏନଏଚ ୩୧୬ ପୁରୀ ଆର୍‌ଓବି ପ୍ରକଳ୍ପର କାର୍ଯ୍ୟ ଡିସେମ୍ବର ୩୧, ୨୦୨୩, ଏନଏଚ- ୩୨୬ (୫ ଏଚ୍‌ଏଲ୍‌ ବ୍ରିଜସ୍) ପ୍ରକଳ୍ପର କାର୍ଯ୍ୟ ଜୁନ ୩୦,୨୦୨୩ ସୁଦ୍ଧା , ଏନଏଚ-୨୦ ଅନ୍ତର୍ଗତ ପାଣିକୋଇଲି-ରିମୁଣୀର ବଳକା କାର୍ଯ୍ୟ ଜୁନ ୩୦, ୨୦୨୨ ତଥା ଏନଏଚ ୧୬ ଅନ୍ତର୍ଗତ ହଂସପାଲ ଫ୍ଲାଏଓଭର କାର୍ଯ୍ୟ ଜୁନ୍‌ ୩୦, ୨୦୨୨ ସୁଦ୍ଧା ଶେଷ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର