ସମ୍ବିଧାନ ପୀଠକୁ ଯାଇପାରେ ସଂରକ୍ଷଣ ପିଟିସନ

ନୂଆଦିଲ୍ଲୀ: ସାଧାରଣ ବର୍ଗର ଗରିବ ଲୋକଙ୍କୁ ସରକାରୀ ଶିକ୍ଷା ଓ ଚାକିରି କ୍ଷେତ୍ର‌ରେ ୧୦ ଭାଗ ସଂରକ୍ଷଣ ଲାଗି ସରକାରଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମ କୋର୍ଟ। ତେବେ ସରକାରଙ୍କର ଏହି ନିଷ୍ପତ୍ତି ଠିକ୍ କି ଭୁଲ୍ ତାହା ନିର୍ଧାରଣ କରିବା ଲାଗି ସମ୍ବିଧାନ ବେଞ୍ଚ ଗଠନ କରାଯାଇପାରେ। ଆସନ୍ତା ୨୮ତାରିଖରେ ସୁପ୍ରିମ କୋର୍ଟ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ‌େ‌ନବେ।
୧୦ ଭାଗ ସଂରକ୍ଷଣ ଲାଗି ସରକାର ସମ୍ବିଧାନରେ ସଂଶୋଧନ କରିଥିଲେ। କିନ୍ତୁ ଏହାକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିଛନ୍ତି ଅନେକ ସଂଗଠନ ଏବଂ ଆଡଭୋକେଟ୍। ସେମାନଙ୍କ ଯୁକ୍ତି ହେଲା, ଅର୍ଥନୈତକ ଆଧାରରେ ସଂରକ୍ଷଣ ବ୍ୟବସ୍ଥା କରାଯାଇପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ ପୂର୍ବରୁ ରାୟ ଶୁଣାଇ ସାରିଛନ୍ତି। ଏହାଛଡ଼ା ସଂରକ୍ଷଣ ସୀମା ୫୦ ଭାଗ ଅତିକ୍ରମ କରିପାରିବ ନାହିଁ ବୋଲି ସମ୍ବିଧାନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କିନ୍ତୁ ସରକାର ଏଭଳି ନିଷ୍ପତ୍ତି ନେଇ ସମ୍ବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ କରିଛନ୍ତି। ତେଣୁ ଏହାକୁ ରଦ୍ଦ କରାଯାଉ। ଚୂଡ଼ାନ୍ତ ରାୟ ଆସିବା ପୂର୍ବରୁ ଏହାର କାର୍ଯ୍ୟକାରିତା ଉପରେ ଏବେ ରୋକ ଲଗାଯାଉ ବୋଲି ବରିଷ୍ଠ ଓକିଲ ରାଜୀବ ଧାବନ ଯୁକ୍ତି କରିଥିଲେ।
କିନ୍ତୁ ଏବେ କୌଣସି ପ୍ରକାର ରୋକ ଲଗାଇବାକୁ ମନା କରିଦେଇ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗଇଙ୍କ ବେଞ୍ଚ କହିଛନ୍ତି ଯେ ମାମଲାକୁ ବଡ଼ ସମ୍ବିଧାନ ବେଞ୍ଚକୁ ପଠାଯିବ କି ନାହିଁ ତାହା ଆସନ୍ତା ମାର୍ଚ ୨୮ ତାରିଖରେ ସ୍ଥିର କରାଯିବ। ଏହି ବେଞ୍ଚରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ ଦୀପକ ଗୁପ୍ତା ଏବଂ ଜଷ୍ଟିସ ସଂଜୀବ ଖନ୍ନା।
ସୂଚନାଯୋଗ୍ୟ, ସାଧାରଣ ବର୍ଗର ଗରିବ ଲୋକଙ୍କୁ ସଂରକ୍ଷଣ ଦେବା ଲାଗି ସରକାର ଗତ ଜାନୁଆରି ମାସରେ ସମ୍ବିଧାନରେ ସଂଶୋଧନ (୧୦୩ତମ) କରିଥିଲେ। ତଫସିଲଭୁକ୍ତ ଜାତି, ଉପଜାତି ଏବଂ ଅନ୍ୟାନ୍ୟ ଅନଗ୍ରସର ଶ୍ରେଣୀର ଲୋକଙ୍କ ପାଇଁ ନିର୍ଧାରିତ ୫୦ ଭାଗ ସଂରକ୍ଷଣ ବାଦ୍ ଏହି ୧୦ ଭାଗ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି। ସାଧାରଣ ବର୍ଗର ଯେଉଁ ଲୋକମାନଙ୍କର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ୍ ଏବଂ ୫ ଏକର ଜମିରୁ କମ୍ ଥିବ ସେହିମାନେ ହିଁ ୧୦ ଭାଗ ସଂରକ୍ଷଣ ବ୍ୟବସ୍ଥାରୁ ଉପକୃତ ହୋଇପାରିବେ। ତେବେ ଏଭଳି ଆୟ ସୀମାରୁ ଗରିବ‌ ଲୋକଙ୍କ ଅପେକ୍ଷା ଧନୀ ଲୋକଙ୍କୁ ବେଶି ଫାଇଦା ମିଳିବ ବୋଲି ପିଟିସନ‌େର ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର