ନୂଆଦିଲ୍ଲୀ : ଏ ବର୍ଷର ସ୍ୱାଧୀନତା ଦିବସ କରୋନା ମହାମାରୀ ପରି ଏକ ଅଭୁତପୂର୍ବ ସଂକଟ ମଧ୍ୟରେ ପାଳନ ହେଉଛି । ନିଜକୁ ବିଶ୍ୱର ମାଲିକ ବୋଲି ଭାବୁଥିବା ମଣିଷର ଗର୍ବକୁ ଏହି ଅଦୃଶ୍ୟ ଭୁତାଣୁ ଭାଙ୍ଗି ଚୂରମାର କରିଦେଇଛି । ତେବେ ଏବେ ବି ବିଳମ୍ବ ହୋଇନାହିଁ, ମଣିଷକୁ ପ୍ରକୃତି ସହ ସହାବସ୍ଥାନ କରିବାକୁ ହେବ ବୋଲି କହିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

Advertisment

୭୪ ତମ ସ୍ୱାଧୀନତା ଦିବସର ପୂର୍ବ ସଂଧ୍ୟାରେ ଜାତି ଉଦ୍ଦେଶ୍ୟରେ ନିଜର ଭାଷଣ ରଖି ସେ କହିଛନ୍ତି ଯେ କରୋନା ମହାମାରୀ ଦ୍ୱାରା ସମଗ୍ର ବିଶ୍ୱର ମଣିଷସମାଜ ପ୍ରଭାବିତ ହୋଇଛି । କିନ୍ତୁ ଗରିବ ଲୋକମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ତେବେ କରୋନା ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପକୁ ସେ ପ୍ରସଂଶା କରିବା ସହ ଡାକ୍ତର,ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମୀ ଆଦି କୋଭିଡ ଯୋଦ୍ଧାଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।
ଚୀନକୁ ସମାଲୋଚନା କରି ସେ କହିଛନ୍ତି ଯେ ମାନବ ଜାତି ଆଗରେ ଦେଖାଦେଇଥିବା କରୋନା ବିପଦର ମୁକାବିଲା ପାଇଁ ସମଗ୍ର ବିଶ୍ୱ ସମୁଦାୟ ଏକଜୁଟ ହେବା ଆବଶ୍ୟକ । କିନ୍ତୁ ଏହି ସଂକଟରେ ମୌକା ନେଇ ଆମର କେତେକ ପଡ଼ୋଶୀ ନିଜର ବିସ୍ତାରବାଦୀ ନୀତି ଜାରି ରଖିଛନ୍ତି ।
ଗଲଓ୍ଵାନ ସଂଘର୍ଷ ସଂପର୍କରେ ସେ କହିଛନ୍ତି ଯେ ଦେଶର ସୀମାର ସୁରକ୍ଷା ପାଇଁ ଓ ରାଷ୍ଟ୍ରୀୟ ସ୍ୱାଭିମାନ ପାଇଁ ଆମର ବୀର ଜବାନ ମାନେ ନିଜର ପ୍ରାଣବଳୀ ଦେଇଛନ୍ତି । ସାରା ଦେଶ ଗଲଓ୍ଵାନର ସହିଦମାନଙ୍କୁ ସଲାମ ଜଣାଉଛି । ଅନ୍ୟପକ୍ଷରେ ସେ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ହେବା ସମଗ୍ର ଦେଶ ପାଇଁ ଗର୍ବର ବିଷୟ ।

ଏଥରର ସ୍ୱାଧୀନତା ଦିବସ ସମାରୋହକୁ ଯଥାସମ୍ଭବ କମ ଲୋକଙ୍କୁ ନେଇ ପାଳନ କରିବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଟେକନଲୋଜୀର ବ୍ୟାପକ ପ୍ରୟୋଗ ଦ୍ୱାରା ଜନସମାଗମକୁ କମ କରିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି ।