ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। କେଜ୍ରିଓ୍ଵାଲଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ଭାରତ ସରକାରଙ୍କ ଗେଜେଟରେ ପ୍ରକାଶ ପାଇଛି। ଏଥି ସହ କେଜ୍ରିଓ୍ଵାଲଙ୍କ ସୁପାରିସ କ୍ରମେ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ୬ ଜଣ ବିଧାୟକଙ୍କୁ ଦିଲ୍ଲୀ ସରକାରରେ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ମନୀଷ ସିସୋଦିଆ, ସତ୍ୟେନ୍ଦର ଜୈନ, ଗୋପାଳ ରାୟ, କୈଳାଶ ଗେହଲଟ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ଗୌତମ। ଗେଜେଟ ବିଜ୍ଞପ୍ତି ଅନୁସାରେ ଯେଉଁ ଦିନ ମୁଖ୍ୟମନ୍ତ୍ରୀ ଓ ଏହି ୬ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିବେ, ତା’ପରଠାରୁ ବିଧିବଦ୍ଧ ଦାୟିତ୍ୱ ନିର୍ବାହ କରିବେ।

ସୂଚନା ଅନୁସାରେ ଆସନ୍ତା ୧୬ ତାରିଖ ରବିବାର ଦିନ କେଜ୍ରିଓ୍ଵାଲ ଓ ତାଙ୍କ ମନ୍ତ୍ରିମଣ୍ଡଳ ଦିଲ୍ଲୀର ରାମଲୀଳା ମଇଦାନରେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଆପ୍‌ ପକ୍ଷରୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପଠାଯାଇଛି ବୋଲି ଦଳର ବରିଷ୍ଠ ନେତା ଗୋପାଲ ରାଏ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଦିଲ୍ଲୀରୁ ଲୋକସଭାରେ ପ୍ରତିନିଧିତ୍ୱ କରୁଥିବା ୭ ଜଣ ସାଂସଦ ଓ ଦିଲ୍ଲୀ ବିଧାନସଭା ସଭା ନିର୍ବାଚନରେ ବିଜୟଲାଭ କରିଥିବା ୮ ଜଣ ବିଧାୟକଙ୍କୁ ମଧ୍ୟ କେଜ୍ରିଓ୍ଵାଲଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପତ୍ର ପଠାଯାଇଛି।

ସୂଚନାଯୋଗ୍ୟ, ଗତ ୮ ତାରିଖରେ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ଆପ୍‌ ୬୨ଟି ଆସନରେ ବିଜୟୀ ହୋଇଥିଲା। ଭାରତୀୟ ଜନତା ପାର୍ଟି ୮ଟି ଆସନରେ ଜିତିଥିଲା।

ସମ୍ବନ୍ଧିତ ଖବର