ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ବୋବଡେଙ୍କ ନିଯୁକ୍ତିକୁ ରାଷ୍ଟ୍ରପତିଙ୍କ ମଂଜୁରୀ

ନୂଆଦିଲ୍ଲୀ : ଜଷ୍ଟିସ ଏସଏ ବୋବଡେ ଆସନ୍ତା ୧୮ ତାରିଖରେ ଦେଶର ନୂଆ ପ୍ରଧାନ ବିଚାରପତିଭାବେ ଶପଥ ଗ୍ରହଣ କରିବେ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ନିଯୁକ୍ତିକୁ ମଂଜୁର କରିଛନ୍ତି । ଗତ ୧୯ ତାରିଖରେ ଜଷ୍ଟିସ ବୋବଡେଙ୍କ ନାଁକୁ ବର୍ତ୍ତମାନର ପ୍ରଧାନବିଚାରପତି ରଂଜନ ଗୋଗୋଇ ସୁପାରିଶ କରିଥିଲେ ।

୨୦୧୮ ଅକ୍ଟୋବର୩ ରେ ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଥିବା ଗୋଗୋଇ ଆସନ୍ତା ନଭେମ୍ବର ୧୭ ତାରିଖରେ ପ୍ରଧାନ ବିଚାରପତି ପଦରୁ ଅବସର ନେବେ। ଏହାପରେ ନଭେମ୍ବର ୧୮ ତାରିଖରେ ଜଷ୍ଟିସ୍ ବବ୍ଡ଼େ ସୁପ୍ରିମକୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି । ରାଷ୍ଟ୍ରପତି ତାଙ୍କୁ ଶପଥପାଠ କରାଇବେ ।

ପରମ୍ପରା ଅନୁଯାୟୀ ପ୍ରଧାନ ବିଚାରପତି ହିଁ ତାଙ୍କ ଉତ୍ତରାଧିକାରୀଙ୍କ ନାମ ସରକାରଙ୍କୁ ସୁପାରିସ କରିଥାନ୍ତି। ଜଷ୍ଟିସ୍ ଗୋଗଇଙ୍କ ପରେ ଜ‌ଷ୍ଟିସ୍ ବବ୍‌ଡ଼େ ଦ୍ବିତୀୟ ବରି‌ଷ୍ଠତମ ବିଚାରପତି ହୋଇଥିବାରୁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଗୋଗଇ ତାଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ । ୬୩ ବର୍ଷୀୟ ବବ୍‌ଡ଼େ ମଧ୍ୟପ୍ରଦେଶ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଥିଲେ। ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ମୁମ୍ବାଇ ଏବଂ ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ନାଗପୁରର ଚାନ୍ସଲର୍ ଥିଲେ। ଜଷ୍ଟିସ୍ ବବ୍‌ଡ଼େ ଏପ୍ରିଲ ୨୩, ୨୦୨୧ରେ ଅବସର ଗ୍ରହଣ କରିବେ।

ସମ୍ବନ୍ଧିତ ଖବର