ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍ (ସିଏବି)-୨୦୧୯କୁ ଆଜି ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିଛି। ଆଜି ରାତିରେ ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଏ ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୋମବାର ଏହି ବିଲ୍ ଲୋକସଭାରେ ଗୃହୀତ ହୋଇଥିବା ବେଳେ ଗତକାଲି ରାଜ୍ୟସଭାରେ ଗୃହୀତ ହୋଇଥିଲା। ଆଜି ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ଏହା ଆଇନରେ ପରିଣତ ହୋଇଛି।
ନାଗରିକତା (ସଂଶୋଧନ) ଆଇନ-୨୦୧୯ରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନମାନଙ୍କୁ ଏହି ଆଇନ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ । ଏହା ଭାରତୀୟ ସମ୍ବିଧାନର ବିରୁଦ୍ଧାଚରଣ କରୁଛି ବୋଲି କଂଗ୍ରେସ ଓ ଅନ୍ୟ ବିରୋଧୀଦଳମାନେ କହୁଛନ୍ତି । ଉଭୟ ପାକିସ୍ତାନ ଓ ବାଂଲାଦେଶ ନିଜ ନିଜ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଥିବା ଖବରକୁ ଖଣ୍ଡନ କରିଛନ୍ତି ।
ତେବେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ନାଗରିକତା ସଂଶୋଧିତ ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଗତକାଲିଠାରୁ ହିଂସାତ୍ମକ ମୋଡ଼ ନେଇଛି । ଆସାମରେ ପୁଲିସ ଗୁଳିରେ ୨ ପ୍ରଦର୍ଶନକାରୀ ନିହତ ହୋଇଛନ୍ତି।