ସିଲିଗୁଡ଼ି: ପଶ୍ଚିମବଙ୍ଗ ସରକାରଙ୍କ ଏକ ପ୍ରଶାସନିକ ନିଷ୍ପତ୍ତିକୁ ନେଇ ଶନିବାର  ବଡ଼ ବିବାଦ ସୃଷ୍ଟି ହୋଇଛି। ସିଲିଗୁଡ଼ି ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟ ସରକାରଙ୍କ ଦ୍ବାରା ଅପ୍ରତ୍ୟାଶିତ ଭାବେ କାର୍ଯ୍ୟକ୍ରମର ସ୍ଥାନ ପରିବର୍ତ୍ତନ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନବମ ଅନ୍ତର୍ଜାତୀୟ ସାନ୍ତାଳୀ ସମ୍ମିଳନୀକୁ ନେଇ ଏହି ବିବାଦ ଦେଖାଦେଇଛି। ପୂର୍ବରୁ ଏହି କାର୍ଯ୍ୟକ୍ରମ ବିଧାନନଗରଠାରେ ହେବାର ଥିଲା, କିନ୍ତୁ ସୁରକ୍ଷା କାରଣ ଦର୍ଶାଇ ରାଜ୍ୟ ପ୍ରଶାସନ ଶେଷ ମୁହୂର୍ତ୍ତରେ ଏହାକୁ ବାଗଡୋଗରା ବିମାନବନ୍ଦର ନିକଟସ୍ଥ ଗୋସାଇପୁରକୁ ସ୍ଥାନାନ୍ତର କରିଥିଲେ। ନୂତନ ସମାବେଶସ୍ଥଳରେ ପହଞ୍ଚିବା ପରେ ରାଷ୍ଟ୍ରପତି ସେଠାରେ ଅତି ନଗଣ୍ୟ ଉପସ୍ଥିତି ଦେଖିବାକୁ ପାଇଥିଲେ। ଏଥିରେ ସେ କ୍ଷୋଭ ପ୍ରକାଶ କରି ମଞ୍ଚରୁ ସିଧାସଳଖ ପ୍ରଶ୍ନ କରିଥିଲେ, ‘ମତେ କୁହାଯାଇଥିଲା ଯେ ଏଠାରେ ହଜାର ହଜାର ଲୋକ ରହିବେ, କିନ୍ତୁ ଭେନ୍ୟୁ କାହିଁକି ବଦଳାଗଲା? ବିଧାନନଗରର ମୂଳ ସ୍ଥାନକୁ କାହିଁକି ବାତିଲ କରାଗଲା?’ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସେ କହିଥିଲେ ଯେ ଯଦି ପ୍ରଶାସନ ଆଦିବାସୀଙ୍କ ବିକାଶ ପାଇଁ ସତରେ ଆନ୍ତରିକତା  ରଖୁଥାନ୍ତା, ତେବେ ସେମାନଙ୍କୁ କାର୍ଯ୍ୟକ୍ରମକୁ ଆସିବାରେ ଏଭଳି ବାଧା ସୃଷ୍ଟି କରାଯାଇନଥାନ୍ତା।
Advertisment
ଆଦିବାସୀ ସମ୍ମିଳନୀର ସ୍ଥାନ ପରିବର୍ତ୍ତନ ନେଇ ପ୍ରଶ୍ନ ଉଠାଇଲେ
‘ଆଦିବାସୀ କଲ୍ୟାଣ ପ୍ରତି ଆନ୍ତରିକତାର ଅଭାବ’
ସମ୍ମିଳନୀ ସ୍ଥାନକୁ ନେଇ ବିବାଦ ବ୍ୟତୀତ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାରେ ମଧ୍ୟ ପ୍ରୋଟୋକଲ୍ ତ୍ରୁଟି  ହୋଇଥିବା ନେଇ ରାଷ୍ଟ୍ରପତି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ଭଉଣୀ’ ବୋଲି ସମ୍ବୋଧନ କରି ସେ କହିଥିଲେ ଯେ ଭଉଣୀ ମମତାଙ୍କ ପ୍ରତି ତାଙ୍କର କୌଣସି ବ୍ୟକ୍ତିଗତ ମନୋମାଳିନ୍ୟ ନାହିଁ, କିନ୍ତୁ ରାଷ୍ଟ୍ରପତି ପଦର ମର୍ଯ୍ୟାଦା ରକ୍ଷା ହେବା ଜରୁରି। ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରି ରାଷ୍ଟ୍ରପତି ପଚାରିଥିଲେ ଯେ ମମତା ତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି କି? ଗସ୍ତ ସମୟରେ ତାଙ୍କୁ ସ୍ୱାଗତ କରିବାକୁ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ କ୍ୟାବିନେଟ୍‌ର କୌଣସି ମନ୍ତ୍ରୀ ଉପସ୍ଥିତ ନଥିବାରୁ ରାଷ୍ଟ୍ରପତି ଏହି ପ୍ରଶ୍ନ ଉଠାଇଥିଲେ। ସେ ଆହୁରି କହିଥିଲେ, ମୁଁ ମଧ୍ୟ ବଙ୍ଗଳାର ଝିଅ। ଏହି ଅଞ୍ଚଳରେ ସାନ୍ତାଳ ଓ ଆଦିବାସୀଙ୍କ ପାଇଁ ବିକାଶ ହେଉଛି କି ବୋଲି ପ୍ରଶ୍ନ କରିବା ସହ ଏଠାରେ ବିକାଶ ହେଉଥିବା ମୁଁ ଭାବୁନାହିଁ ବୋଲି ରାଷ୍ଟ୍ରପତି କହିଥିଲେ। ରାଷ୍ଟ୍ରପତି ଫେରିବା ସମୟରେ ହଠାତ୍ ପୂର୍ବ ନିର୍ଦ୍ଧାରିତ ସ୍ଥାନ ବିଧାନନଗରରେ ଅଟକିଥିଲେ। ସେଠାରେ ହଜାର ହଜାର ଆଦିବାସୀ ତାଙ୍କୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ସେମାନଙ୍କୁ ଭେଟିବା ସହ ରାଷ୍ଟ୍ରପତି ପରୋକ୍ଷରେ ପ୍ରମାଣ କରିଦେଇଥିଲେ ଯେ ସ୍ଥାନ ପରିବର୍ତ୍ତନ ଯୋଗୁଁ ହିଁ ସରକାରୀ କାର୍ଯ୍ୟକ୍ରମରେ ଭିଡ଼ ହୋଇ ପାରିନଥିଲା।
ଏହି ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ମମତା ବାନାର୍ଜୀଙ୍କୁ ସମାଲୋଚନା କରି ବିଜେପି କହିଛି ଯେ ସେମାନେ ରାଷ୍ଟ୍ରପତି ପଦର ସମ୍ମାନକୁ ଅବମାନନା କରିଛନ୍ତି। ବିଜେପି ନେତା ଅମିତ ମାଲବ୍ୟ ‘ଏକ୍ସ’ରେ ଲେଖିଛନ୍ତି, ଏକ ବିରଳ ଓ ଅଭୂତପୂର୍ବ ଘଟଣାକ୍ରମରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସିଲିଗୁଡ଼ି ଗସ୍ତ ସମୟରେ ସରକାରୀ ପ୍ରସ୍ତୁତି ଏବଂ ପ୍ରୋଟୋକଲ୍‌ର ଅଭାବକୁ ନେଇ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେତେବେଳେ କୌଣସି ରାଜ୍ୟ ସରକାର ଭାରତର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ସମ୍ମାନକୁ ଅବମାନନା କରିବା ଆରମ୍ଭ କରନ୍ତି, ସେତେବେଳେ ଏହା କେବଳ ପ୍ରଶାସନିକ ବିଫଳତାକୁ ପ୍ରତିଫଳିତ କରେ ନାହିଁ, ବରଂ ସାମ୍ବିଧାନିକ ଔଚିତ୍ୟ ଓ ଶାସନର ଅବହେଳାକୁ ପ୍ରତିଫଳିତ କରେ। ପଶ୍ଚିମବଙ୍ଗରେ ଶାସନ ବ୍ୟବସ୍ଥା କିପରି ବିଶୃଙ୍ଖଳା ଭିତରକୁ ଚାଲିଯାଇଛି ଏହା ତାର ଆଉ ଏକ ପ୍ରମାଣ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନକୁ ବିରୋଧ କରୁଥିବା ମମତା ବାନାର୍ଜୀ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଆପଣ (ରାଷ୍ଟ୍ରପତି) ଆଜି ଗୋଟିଏ ସମ୍ପ୍ରଦାୟ ବିଷୟରେ କହିଲେ, ହେଲେ ଏଠାରେ ବଙ୍ଗଳାର ଅନ୍ୟ ସମ୍ପ୍ରଦାୟ ବିଷୟରେ କହିଲେ ନାହିଁ। ଆପଣ ରାଜନୀତି କିପରି ଖେଳିବେ ତାହା ଜାଣିଛନ୍ତି ବୋଲି ମମତା କହିଛନ୍ତି।