କ୍ଷମତାର ଅପବ୍ୟବହାର କରିଥିବାରୁ ଟ୍ରମ୍ପ୍‌ଙ୍କୁ ବହିଷ୍କାର କରିବା ନିମନ୍ତେ ଭୋଟ୍‌

ନୂଆଦିଲ୍ଲୀ: କ୍ଷମତାର ଅପବ୍ୟବହାର କରିଥିବା କାରଣରୁ ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ‘ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟେଟିଭ୍‌’ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ବହିଷ୍କାର କରିବା ନିମନ୍ତେ ଭୋଟ୍‌ ଦେଇଛି।

ଆଣ୍ଡ୍ରିଉ ଜନ୍‌ସନ୍‌ ଏବଂ ବିଲ୍‌ କ୍ଲିନ୍‌ଟନ୍‌ଙ୍କ ପରେ ବହିଷ୍କାର ହେବାକୁ ଯାଉଥିବା ତୃତୀୟ ଆମେରିକୀୟ ରାଷ୍ଟ୍ରପତି ହେଉଛନ୍ତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌। କିନ୍ତୁ, ମହାଭିଯୋଗ ଆଧାରରେ କେବେ କୌଣସି ଆମେରିକୀୟ ରାଷ୍ଟ୍ରପତି ବହିଷ୍କୃତ ହୋଇନାହାନ୍ତି।

Image Source: Hindustan Times

ଜାନୁଆରି ମାସରେ ରିପ୍ଲିକାନ୍‌ ନେତୃତ୍ୱାଧୀନ ସିନେଟ୍‌ରେ ଟ୍ରମ୍ପ୍‌ଙ୍କ ବିଚାର ଚାଲିବ। ଏଥିରେ ‘ହାଉସ୍‌ ଅଫ୍‌ ରିପ୍ରେଜେନ୍‌ଟେଟିଭ୍‌’ର ସଦସ୍ୟମାନେ ଓକିଲ ଓ ସିନେଟର୍‌ମାନେ ବିଚାରକ ସାଜିବେ। ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ କରାଯିବ।

ଗୃହରେ ରିପ୍ଲିକାନ୍‌ମାନେ ଭାଷଣ ଦେଇ ଟ୍ରମ୍ପ୍‌ଙ୍କ ସପକ୍ଷରେ କହିବା ସହ ଡେମୋକ୍ରେଟ୍‌ମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଡେମୋକ୍ରାଟ୍‌ମାନେ ଅନ୍ୟାୟ ଓ ଜଟିଳ ଉପାୟ ବ୍ୟବହାର କରି ୨୦୧୬ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ଚାହୁଁଛନ୍ତି ବୋଲି ସେମାନେ କହିଛନ୍ତି। ଏହି ନିର୍ବାଚନରେ ଟ୍ରମ୍ପ୍‌ ଡେମୋକ୍ରାଟ୍‌ ପ୍ରାର୍ଥିନୀ ହିଲାରି କ୍ଲିଣ୍ଟନ୍‌ଙ୍କୁ ପରାସ୍ତ କରିଥିଲେ।

ଡେମୋକ୍ରାଟ୍‌ମାନେ ଅଭିଯୋଗ କରିଛନ୍ତି କି, ୭୩ ବର୍ଷିୟ ଟ୍ରମ୍ପ୍‌ ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ୍‌ଙ୍କ ବିରୋଧରେ ତଦନ୍ତ କରିବାକୁ ୟୁକ୍ରେନ୍‌କୁ ଦାୟିତ୍ୱ ଦେଇ କ୍ଷମତାର ଅପବ୍ୟବହାର କରିଛନ୍ତି। ୨୦୨୦ରେ ବିଡେନ୍‌ ଟ୍ରମ୍ପ୍‌ଙ୍କ ବିପକ୍ଷରେ ଡେମୋକ୍ରାଟ୍‌ର ପ୍ରାର୍ଥୀ ହୋଇ ପାରନ୍ତି। ଦ୍ୱିତୀୟ ଅଭିଯୋଗ ହେଲା ସେ କଂଗ୍ରେସ୍‌ର ତଦନ୍ତରେ ବାଧା ସୃଷ୍ଟି କରିଛନ୍ତି।

ପ୍ରଥମ ଅଭିଯୋଗ ୨୩୦-୧୯୭ ଖଣ୍ଡ ଭୋଟ୍‌ରେ ଗୃହୀତ ହୋଇଥିବା ବେଳେ ଦ୍ୱିତୀୟ ଅଭିଯୋଗ ୨୨୯-୧୯୮ ଭୋଟ୍‌ରେ ଗୃହୀତ ହୋଇଛି।

ସମ୍ବନ୍ଧିତ ଖବର