ରାଷ୍ଟ୍ରପତି ଦ୍ରୌପଦୀ: ସ୍ୱାଧୀନତାର ୫୦ ବର୍ଷରେ ରାଜନୀତିକୁ ଆ‌ସିଥିଲେ, ୭୫ ବର୍ଷରେ ‌ରାଷ୍ଟ୍ରମୁଖ୍ୟ ହେଲେ

ନୂଆଦିଲ୍ଲୀ : ‘ମେଁ, ଦ୍ରୌପଦୀ ମୁର୍ମୁ ଈଶ୍ବର କି ଶପଥ ଲେତି ହୁଁ କି..’

ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ସୋମବାର ଭାରତର ପଞ୍ଚଦଶ ରା‌ଷ୍ଟ୍ରପତି ଭାବେ ଏହି ବାକ୍ୟରୁ ଶପଥ ପାଠ ଆରମ୍ଭ କରିବା ମାତ୍ରେ ସଂସଦର ସେଣ୍ଟ୍ରାଲ ହଲ୍ କରତାଳିରେ ଗୁଞ୍ଜରିତ ହୋଇଉଠିଥିଲା। ଦେଶର ପ୍ରଥମ ଆଦିବାସୀ ମହିଳା ଏବଂ ସର୍ବକନିଷ୍ଠ ର‌ାଷ୍ଟ୍ରପତି ହେବାର ସୌଭାଗ୍ୟ ଅର୍ଜନ କରିଥିବା ଦ୍ରୌପଦୀଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌ଭି ରମଣା ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହି ଅବସରରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଭିନ୍ନ ଦଳର ନେତା ଓ ବିଦେଶୀ କୁଟନୀତିଜ୍ଞ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ‌ଦ୍ରୌପଦୀ ସକାଳେ ରାଜଘାଟ ଯାଇ ସେଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେଠାରୁ ରାଷ୍ଟ୍ରପତି ଭବନକୁ ଯାଇଥିଲେ।

ସେଠାରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପରିବାର ତାଙ୍କୁ ସ୍ବାଗତ କରିଥିଲେ। ରାଷ୍ଟ୍ରପତି ଭବନରୁ ଦ୍ରୌପଦୀ ଓ କୋବିନ୍ଦ ସଂସଦର ସେଣ୍ଟ୍ରାଲ ହଲ୍‌କୁ ଆସିଥିଲେ।

ଶପଥ ନେବା ପରେ ରାଷ୍ଟ୍ରପତି ଭାବେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ପ୍ରଥମ ଉଦ୍‌ବୋଧନ ମୁର୍ମୁ ଜୁହାର..ନମସ୍କାର ରୁ ଆରମ୍ଭ କରିଥିଲେ। ସେ କହିଥିଲେ ଯେ ଏହି ଜାଗାରେ ପହଞ୍ଚିବା ତାଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ହେଉଛି ଦେଶର ସମସ୍ତ ଗରିବ ଜନସାଧାରଣଙ୍କର ସଫଳତା। ସେ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ଘଟଣା ପ୍ରମାଣ କରୁଛି ଯେ ଦେଶରେ ଗରିବ ବି ସ୍ବପ୍ନ ଦେଖିପାରିବ ଏବଂ ସେହି ସ୍ବପ୍ନକୁ ପୂରଣ ବି କରିପାରିବ।

ଏଠି ଗରିବ ବି ସ୍ବପ୍ନ ଦେଖିପାରିବ, ତାହା ସାକାର ବି ହୋଇପାରିବ
ମୋର ବ୍ୟକ୍ତିଗତ ନୁହେଁ, ଗରିବ ଜନସାଧାରଣଙ୍କ ସଫଳତା
ଗଣତନ୍ତ୍ରର ଶକ୍ତି ମୋତେ ସର୍ବୋଚ୍ଚ ସାମ୍ବିଧାନିକ ପଦବିରେ ପହଞ୍ଚାଇଛି

PM attends the swearing-in ceremony of the President, Smt. Droupadi Murmu, at Central Hall of Parliament, in New Delhi on July 25, 2022.

ଦ୍ରୌପଦୀ କହିଛନ୍ତି, ‌ସେ ଏପରି ସମୟରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଯେତେବେଳେ ଦେଶ ସ୍ବାଧୀନତାର ୭୫ତମ ବର୍ଷ ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି। ଦେଶ ଯେତେବେଳେ ୫୦ତମ ସ୍ବାଧୀନତା ବର୍ଷ ପାଳନ କରୁଥିଲା ସେତେବେଳେ ସେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଏହି ୨୫ ବର୍ଷ ଭିତରେ ଦେଶ ବହୁତ କିଛି ଅଗ୍ରଗତି କରିଛି ଏବଂ ସେ ଏଭଳି ଏକ ଐତିହାସିକ ସମୟରେ ରାଷ୍ଟ୍ରପତି ଭଳି ଗୁରୁଦାୟିତ୍ବ ଗ୍ରହଣ କରିଛନ୍ତି, ଯେତେବେଳେ ଆଗାମୀ ୨୫ ବର୍ଷକୁ ଦୃଷ୍ଟିରେ ରଖି ଭାରତ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛି।

ଆଜି (ଜୁଲାଇ ୨୬) ହେଉଛି କାର୍ଗିଲ ବିଜୟ ଦିବସ। ଏହା ହେଉଛି ଭାରତୀୟ ସେନାର ସାହସ ଓ ସଂଯମର ପ୍ରତୀକ। ଏହି ଅବସରରେ ଆଜି ମୁଁ ଦେଶର ସଶସ୍ତ୍ର ବଳ ଓ ଦେଶବାସୀଙ୍କ ପ୍ରତି ମୋର ସଦିଚ୍ଛା ଓ ଶୁଭକାମନା ଜଣାଉଛି। ମୁଁ ଆଦିବାସୀ ସମାଜରୁ ଆସିଛି ଏବଂ ସାମାନ୍ୟ ୱାର୍ଡ କାଉନ୍‌ସିଲରରୁ ମୁଁ ରାଷ୍ଟ୍ରପତି ହୋଇପାରିଛି। ଏହା ହେଉଛି ଗଣତନ୍ତ୍ରର ଜନନୀ ଭାରତର ମହାନତା। ମୁଁ ଚାହୁଛି ଆମର ସମସ୍ତ ଭଉଣୀ ଓ ଝିଅ ସଶକ୍ତ ହୁଅନ୍ତୁ, ପ୍ରତ୍ୟେକ କ୍ଷେତ୍ରରେ ଦେଶ ପ୍ରତି କିଛି ଅବଦାନ ରଖନ୍ତୁ। ମୋର ନିର୍ବାଚନରେ ଦେଶର ସମସ୍ତ ଗରିବ ଲୋକଙ୍କର ଆଶୀର୍ବାଦ ସାମିଲ ରହିଛି। ଏଥିରେ କୋଟି କୋଟି ମହିଳା ଏବଂ ଝିଅଙ୍କର ସ୍ବପ୍ନର ଝଲକ ବି ରହିଛି।

ରାଷ୍ଟ୍ରପତି ଭବନ ଯାଏ ପହଞ୍ଚିବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ଭାରତର ପ୍ରତ୍ୟେକ ଗରିବ ନାଗରିକଙ୍କ ସଫଳତା। ମୋର ଏହି ନିର୍ବାଚନରେ ପୁରୁଣା ଗୁଳାରୁ ବାହାରି ନୂଆ ରାସ୍ତାରେ ଚାଲିବା ଲାଗି ଆଜିର ଭାରତୀୟ ଯୁବବର୍ଗର ସାହସ ବି ଅନ୍ତର୍ଭୁକ୍ତ। ଆଜି ମୁଁ ଏପରି ଏକ ପ୍ରଗତିଶୀଳ ଭାରତର ନେତୃତ୍ବ ନେବାର ସୁଯୋଗ ପାଇଥିବାରୁ ଗର୍ବିତ।

ଆଜି ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷତଃ ଯୁବବର୍ଗଙ୍କୁ ଓ ଭାରତର ନାରୀମାନଙ୍କୁ ଏହି ଆଶ୍ବାସନା ଦେଉଛି ଯେ ଏହି ପଦବିରେ କାର୍ଯ୍ୟ କରିବା ବେଳେ ସେମାନଙ୍କ ସ୍ବାର୍ଥ ଓ ଆବଶ୍ୟକତା ସବୁବେଳେ ମୋ ପାଇଁ ଗୁରୁତ୍ବ ବହନ କରିବ। ଯେପରି ଭାବେ ଦକ୍ଷତାର ସହିତ ଭାରତ କରୋନା ମହାମାରୀ ପରି ବିଶ୍ବ ସଂକଟର ସାମନା କଲା ତାହା ବିଶ୍ବ ସମୁଦାୟ ଆଗରେ ଭାରତର ବିଶ୍ବସନୀୟତା ବୃଦ୍ଧି କରିଛି। ଅଳ୍ପ କିଛିଦିନ ତଳେ ଭାରତ ୨୦୦ କୋଟି ଡୋଜ୍ ଟିକା ପ୍ରଦାନର ରେକର୍ଡ କରିଛି। ଏହି ସମଗ୍ର ଲଢ଼େଇରେ ଭାରତୀୟମାନେ ଯେପରି ସଂଯମ, ସାହସ ଓ ସହଯୋଗ ପ୍ରଦର୍ଶନ କରିଛନ୍ତି ତାହା ହେଉଛି ଏକ ସମାଜ ଭାବେ ଆମର ବର୍ଦ୍ଧନଶୀଳ ଶକ୍ତି ଓ ସମ୍ବେଦନଶୀଳତାର ପ୍ରତୀକ ବୋଲି ‌େସ କହିଥିଲେ।

ସମ୍ବନ୍ଧିତ ଖବର