ରାଷ୍ଟ୍ରପତି ଭବନରେ ଦାୟିତ୍ବ ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଜି ଶପଥ ଗ୍ରହଣ କରିସାରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାର୍ଲାମେଣ୍ଟ୍‌ରୁ ରାଷ୍ଟ୍ରପତି ଭବନକୁ ପ୍ରତ୍ୟାବର୍ତ୍ତନ କରି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଦାୟିତ୍ବ ହସ୍ତାନ୍ତର ବେଳେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ରାଷ୍ଟ୍ରପତି ଭବନରେ ତାଙ୍କ ନିକଟରେ ଉପସ୍ଥିତ ଥିଲେ।

ପାର୍ଲାମେଣ୍ଟ୍‌ରୁ ଯାଇ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ଉଦ୍ଦେଶ୍ୟରେ ଆୟୋଜନ କରାଯାଇଥିବା ପ୍ରଥମ ‘ଗାର୍ଡ ଅଫ୍‌ ଅନର୍‌’ ପର୍ଯ୍ୟାବଲୋକନ କରିଥିଲେ।

Image Courtesy of India Today

ପରେ ପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରାଷ୍ଟ୍ରପତି ଭବନରେ ଉପସ୍ଥିତ ହୋଇଥିଲେ। ଏହା ପୂର୍ବରୁ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଲେଖିଥିଲେ, ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀ ଭାରତର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ବେଳେ ସମଗ୍ର ଦେଶବାସୀ ଗର୍ବର ସହ ଦେଖୁଥିଲେ। ତାଙ୍କର ରାଷ୍ଟ୍ରପତି ପଦବୀ ଗ୍ରହଣ କରିବା ଭାରତ ପାଇଁ ବିଶେଷକରି ଦରିଦ୍ର, ଅବହେଳିତ ଏବଂ ଦଳିତମାନଙ୍କ ପାଇଁ ଥିଲା ଯୁଗାନ୍ତକାରୀ ମୁହୂର୍ତ୍ତ। ତାଙ୍କର ସଫଳ ରାଷ୍ଟ୍ରପତୀୟ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଉଛି।

ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍‌ ମଧ୍ୟ ଟୁଇଟ୍‌ କରି ରାଷ୍ଟ୍ରପତି ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି: ଓଡ଼ିଶାର ସୁଦୂର ଗ୍ରାମରେ ଆଦିବାସୀ ପରିବାରରେ ଜନ୍ମିତା ଜଣେ ମହିଳାଙ୍କୁ ରାଷ୍ଟ୍ରପତି ଭାବେ ଦେଖିବା ଭାରତ ଇତିହାସରେ ଗୌରବାନ୍ବିତ ମୁହୂର୍ତ୍ତ। ମହାମହିମ ମାଡାମ୍‌ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା।

ଏହାପରେ, ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରୁ ବାହାରି ଜନପଥରେ ଥିବା ତାଙ୍କ ନୂଆ ବାସଭବନରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର