ନୂଆଦିଲ୍ଲୀ: ଶନିବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ରାଜଧାନୀରେ ଥିବା ‘ସେକ୍ରଡ୍ ହାର୍ଟ କ୍ୟାଥିଡ୍ରଲ୍’ ଗୀର୍ଜାକୁ ଯାଇ ବଡ଼ଦିନ ଅବ୍ୟବହିତ ପୂର୍ବରୁ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ବଡ଼ଦିନ ଅବସରରେ ଦେଇଥିବା ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ, ଏ ପର୍ବ ହେଉଛି ସମଗ୍ର ମାନବଜାତି ନିମନ୍ତେ ଶାନ୍ତି ଓ ଭ୍ରାତୃତ୍ବର ସଙ୍କେତ।
ସେ କହିଛନ୍ତି: ବଡ଼ଦିନ ପର୍ବ ଅବସରରେ ଦେଶବାସୀଙ୍କୁ, ବିଶେଷକରି ଖ୍ରୀଷ୍ଟିଆନ୍ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଆଜି ଆମେ ଯୀଶୁ ଖ୍ରୀଷ୍ଟ ଦେଇଥିବା କରୁଣା ଓ ତ୍ୟାଗର ବାର୍ତ୍ତା ସ୍ମରଣ କରିବା। ବଡ଼ଦିନ ଉତ୍ସବ ଆମକୁ ପରସ୍ପର ପ୍ରତି ଶ୍ରଦ୍ଧା ଓ ଦୟା ଆଚରିବା ପାଇଁ ପ୍ରେରଣା ଦିଏ। ଚାଲନ୍ତୁ, ନିଜ ନିଜ ଜୀବନରେ ଯୀଶୁ ଖ୍ରୀଷ୍ଟଙ୍କ ଅଧ୍ୟାତ୍ମିକ ବାଣୀକୁ ଆପଣାଇବା ପାଇଁ ଶପଥ ନେବା।
ମାନବତାର ମଙ୍ଗଳ ନିମନ୍ତେ ପ୍ରାର୍ଥନା କରି ରାଷ୍ଟ୍ରପତି ମୁର୍ମୁ ଗୀର୍ଜାରେ ଆୟୋଜିତ ଉତ୍ସବ ପାଳନରେ ମଧ୍ୟ ଅଂଶ ଗ୍ରହଣ କରି ପିଲାମାନଙ୍କ ସହିତ କିଛି ସମୟ ଅତିବାହିତ କରିଥିଲେ। ପିଲାଏ ବଡ଼ଦିନ ‘କାରୋଲ’ (ଅଧ୍ୟାତ୍ମିକ ଲୋକଗୀତ) ଗାୟନ କରିଥିଲେ।
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ ବଡ଼ଦିନ ଅବ୍ୟବହିତ ପୂର୍ବରୁ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍ କରିଥିବା ବାର୍ତ୍ତାରେ ସେ କହିଛନ୍ତି, ବଡ଼ଦିନର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଯୀଶୁଖ୍ରୀଷ୍ଟ ଆମକୁ ପ୍ରେମ, ସମବେଦନା ଓ କରୁଣାର ମାର୍ଗ ଦେଖାଇଛନ୍ତି ଯାହା ଆମ ଜୀବନକୁ ମହିମାନ୍ବିତ କରିବା ସହିତ ସମାଜରେ ସହନଶୀଳତା ଓ ସହାବସ୍ଥାନ ରକ୍ଷା କରି ବିଶ୍ବରେ ସ୍ଥାୟୀ ଶାନ୍ତି ଦିଗରେ ଅଗ୍ରସର କରାଇବ।
ହର୍ଷ ଓ ନିଷ୍ଠାର ସହିତ ବଡ଼ଦିନ ପାଳନ କରିବା ସଙ୍ଗକୁ ସହାବସ୍ଥାନ, ସହନଶୀଳତା ଓ ଶାନ୍ତିପୂର୍ଣ୍ଣ ସମାଜ ପାଇଁ ଉଦ୍ୟମ କରିବା ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଜନସାଧାରଣଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇ ଟୁଇଟ୍ କରିଛନ୍ତି: ଶୁଭ ବଡ଼ଦିନ! ଏଇ ବିଶେଷ ଦିନ ଆମ ସମାଜରେ ସହାବସ୍ଥାନ ଓ ଆନନ୍ଦର ଉଚ୍ଛ୍ବାସକୁ ଆହୁରି ବୃଦ୍ଧି କରୁ। ଆମେ ପ୍ରଭୁ ଖ୍ରୀଷ୍ଟଙ୍କର ମହାନ୍ ଭାବନା ଓ ସମାଜ ସେବାର ଗୁରୁତ୍ବକୁ ସ୍ମରଣ କରିବା।