ନୂଆଦିଲ୍ଲୀ: ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ରେ ହେବାକୁ ଯାଉଛି। ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ନିଜ ମନୋନୀତ ପ୍ରାର୍ଥୀଙ୍କୁ ସହଜରେ ଜିତାଇବା ସ୍ଥିତିରେ ରହିଛି। ବିରୋଧୀ ଦଳଗୁଡ଼ିକ ମିଳିତଭାବେ ଜଣେ ପ୍ରାର୍ଥୀଙ୍କୁ ଠିଆ କରାଇବାର ସମ୍ଭାବନା ରହିଛି ଏବଂ ଏ ବାବଦରେ ସେମାନଙ୍କ ଭିତରେ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି। ୩୫ ବର୍ଷ ବୟସ ପୂରିଥିବା ଯେକୌଣସି ଭାରତୀୟ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇପାରିବାର ପ୍ରାବଧାନ ଥିବା ବେଳେ ଜଣେ ସାଧାରଣ ଲୋକ ବୈଧ ନାମାଙ୍କନ ପତ୍ର ଦାଖଲ କରିବା ସହଜ ହୋଇ ନ ଥାଏ। ଜଣେ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ସାଂସଦ ଓ ବିଧାୟକମାନେ ଭୋଟ ଦେଇଥାନ୍ତି। ତେଣୁ ସାଂସଦ ବା ବିଧାୟକମାନେ ହେଉଛନ୍ତି ରାଷ୍ଟ୍ରପତିଙ୍କ ନିର୍ବାଚକ ବା ଭୋଟଦାତା। ଜଣଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପାଇଁ ୫୦ ଜଣ ନିର୍ବାଚକ ପ୍ରସ୍ତାବକ ହେବା ଏବଂ ଆଉ ୫୦ ଜଣ ସମର୍ଥନ କରିବା ଦରକାର। ଯିଏ ପ୍ରସ୍ତାବକ ହେବେ ସେ ସମର୍ଥକ ହୋଇପାରିବେ ନାହିଁ। ପୁଣି ଯିଏ ସମର୍ଥକ ହେବେ ସେ ବି ପ୍ରସ୍ତାବକ ହୋଇପାରିବେ ନାହିଁ।
ରାଷ୍ଟ୍ରପତି ପାଇଁ ପ୍ରାର୍ଥୀ ହେବାକୁ ହେଲେ ୧୫,୦୦୦ ଟଙ୍କା ଅମାନତ ଜମା କରିବାକୁ ପଡ଼େ। ଏହି ଟଙ୍କା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନଗଦ ଜମା କରି ରସିଦ ଆଣିବାକୁ ହେବ କିମ୍ବା ଏହାକୁ ପ୍ରାର୍ଥୀଙ୍କ ଦ୍ବାରା ବା ତାଙ୍କ ତରଫରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବା କୌଣସି ସରକାରୀ ଟ୍ରେଜେରିରେ ଜମା କରି ତା’ର ରସିଦକୁ ନାମାଙ୍କନ ପତ୍ର ସହ ଦାଖଲ କରିବାକୁ ହେବ। ପୂର୍ବରୁ ଏହି ରାଶିର ପରିମାଣ ୫,୦୦୦ ଟଙ୍କା ଥିଲା। ଯେଉଁମାନଙ୍କର ଜିତିବା ସମ୍ଭାବନା ନାହିଁ ସେଭଳି ସାଧାରଣ ଲୋକଙ୍କୁ ଠିଆହେବାରୁ ନିରୁତ୍ସାହିତ କରିବା ଲାଗି ଏଭଳି ପ୍ରାବଧାନ ରଖାଯାଇଛି। ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ୯୫ ଜଣ ପ୍ରାର୍ଥୀଙ୍କ ଦ୍ବାରା ୧୦୮ଟି ନାମାଙ୍କନପତ୍ର ଦାଖଲ କରାଯାଇଥିଲା। ଜଣେ ପ୍ରାର୍ଥୀ ସର୍ବାଧିକ ୪ଟି ନାମାଙ୍କନପତ୍ର ଦାଖଲ କରିପାରିବେ। ଯାଞ୍ଚ ପରେ ୯୫ ଜଣଙ୍କ ମଧ୍ୟରୁ ମାତ୍ର ୨ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଲା। ସେମାନେ ହେଉଛନ୍ତି ଏନ୍ଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ଏବଂ ବିରୋଧୀ ପ୍ରାର୍ଥୀ ମୀରା କୁମାର। ଅନ୍ୟମାନଙ୍କର ପ୍ରାର୍ଥିପତ୍ର ନାକଚ ହୋଇଯାଇଥିଲା। କୋବିନ୍ଦ ୬,୬୧,୨୭୮ଟି ଭୋଟ ପାଇ ଜିତିଥିବା ବେଳେ କଂଗ୍ରେସ-ସମର୍ଥିତ ମୀରା କୁମାର ୪,୩୪,୨୪୧ଟି ଭୋଟ ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/president-house.jpg)