ରାଷ୍ଟ୍ରପତି ଗୋଟାବାୟାଙ୍କ ବିରୋଧରେ ଅନାସ୍ଥା କାଟ୍ ଖାଇଲା

କଲମ୍ବୋ: ଦେଶର ଖରାପ ଆର୍ଥିକ ସଙ୍କଟ କାରଣରୁ ତାଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ବିରୋଧରେ ବିରୋଧୀ ଦଳ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ଆଜି ସଂସଦରେ କାଟ୍‌ ଖାଇଛି। ବିରୋଧୀ ତାମିଲ ନ୍ୟାସନାଲ ଆଲିଆନ୍ସ (ଟିଏନ୍‌ଏ) ସାଂସଦ ଏମ୍‌ ଏ ସୁମନ୍ଥିରନ୍‌ଙ୍କ ଦ୍ବାରା ରାଷ୍ଟ୍ରପତି ରାଜପକ୍ଷଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ୧୧୯ ସାଂସଦ ବିରୋଧ କରିଥିଲେ। କେବଳ ୬୮ ସାଂସଦ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଫଳରେ ୭୨ ବର୍ଷୀୟ ରାଷ୍ଟ୍ରପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ୧୧୯-୬୮ ଭୋଟରେ କାଟ୍ ଖାଇଯାଇଛି। ଏହି ପ୍ରସ୍ତାବ ସହିତ ବିରୋଧୀଦଳ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଯେ ରାଷ୍ଟ୍ରପତି ରାଜପକ୍ଷଙ୍କ ଇସ୍ତଫା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଦେଶର ସଂସଦରେ ମଧ୍ୟ ପ୍ରତିଫଳିତ ହୋଇଛି। ମୁଖ୍ୟ ବିରୋଧୀ ସମାଗି ଜନ ବାଲାଭେଗାୟା (ଏସ୍‌ଜେବି) ସାଂସଦ ଲକ୍ଷ୍ମଣ କିରିଏଲା ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏସ୍‌ଜେବି ସାଂସଦ ହର୍ଷ ଡି ସିଲଭାଙ୍କ ଅନୁଯାୟୀ, ଏହି ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଶ୍ରୀଲଙ୍କାର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେ ମଧ୍ୟ ଅଛନ୍ତି। ଭୋଟ୍ ପରେ ମାନବାଧିକାର ଆଇନଜୀବୀ ଭବାନୀ ଫୋନସେକା ଟ୍ୱିଟ୍ କରି କହିଛନ୍ତି, ଏହି ପ୍ରସ୍ତାବର ପରାଜୟ ରାଷ୍ଟ୍ରପତି ରାଜପକ୍ଷଙ୍କୁ ସୁରକ୍ଷା ଦେଉଥିବା ସାଂସଦମାନେ ଲୋକଲୋଚନକୁ ଆସିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଇସ୍ତଫା ପରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ସଂସଦର ଅଧିବେଶନ ମଙ୍ଗଳବାର ହୋଇଥିଲା।

ଅନାସ୍ଥା ଭୋଟର କିଛି ସମୟ ପୂର୍ବରୁ ଶାସକ ଏସଏଲପିପି ଏକ ପ୍ରମୁଖ ଭୋଟରେ ବିଜୟୀ ହୋଇଥିଲା। ସଂସଦର ଉପବାଚସ୍ପତି ଭାବେ ଅଜିନ୍ଥ ରାଜପକ୍ଷ ନିର୍ବାଚିତ ହୋଇଛନ୍ତି। ୪୮ ବର୍ଷୀୟ ଉପବାଚସ୍ପତି ରାଜପକ୍ଷ କିନ୍ତୁ ମହିନ୍ଦା ରାଜପକ୍ଷ ପରିବାରର ସଦସ୍ୟ ନୁହନ୍ତି। ତାଙ୍କୁ ୧୦୯ଟି ଭୋଟ ମିଳିଥିଲା ବେଳେ ବିରୋଧୀ ଦଳ ପ୍ରାର୍ଥୀ ରୋହିଣୀ କବିରନ୍ଥାଙ୍କୁ ୭୮ଟି ଭୋଟ ମିଳିଥିଲା। ତେବେ ୨୩ ଟି ଭୋଟ ନାକଚ ହୋଇଥିଲା ବୋଲି ବାଚସ୍ପତି ମହିନ୍ଦା ୟାପା ଆବେୱାର୍ଡେନା କହିଛନ୍ତି।

ସମ୍ବନ୍ଧିତ ଖବର