ପଶ୍ଚିମବଙ୍ଗରେ ରାଷ୍ଟ୍ରପତି

କୋଲକାତା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସି ସୋମବାର ସକାଳେ କୋଲକାତାରେ ପହଞ୍ଚିଛନ୍ତି। ତାଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ଡ ସି ଭି ଆନନ୍ଦ ବୋଷ, ନଗର ଉନ୍ନୟନ ମନ୍ତ୍ରୀ ଫିର୍‌ଦା ହାକିମ, ଅଗ୍ନିଶମ ବିଭାଗର ରାଜ୍ୟ ମନ୍ତ୍ରୀ ସୁଜିତ ବସୁ, ମୁଖ୍ୟ ସଚିବ ହରିକୃଷ୍ଣ ଦ୍ୱିବେଦୀ ଏବଂ ପୁଲିସ ଡିଜି ମନୋଜ ମାଲଭିଆ ବିମାନ ବନ୍ଦରରେ ସ୍ବାଗତ କରିଥିଲେ। ଏହା ପରେ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ତିନି ପ୍ରତିରକ୍ଷା ବାହିନୀ ଏବଂ ରାଜ୍ୟ ପୁଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

ଏହାପରେ ହେଲିକପ୍ଟର ଯୋଗେ ରାଷ୍ଟ୍ରପତି କୋଲକାତା ମଇଦାନରେ ଓହ୍ଲାଇଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବାଗତ କରିଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ରାଷ୍ଟ୍ରପତି ନେତାଜୀ ଭବନ ପରିଦର୍ଶନ କରିଥିଲେ। ସେ ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମସ୍ଥାନ ଜୋଡ଼ାଶଙ୍ଖ ପରିଦର୍ଶନ କରି କବିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଆଜି ସନ୍ଧ୍ୟାରେ ନେତାଜୀ ଇନ୍‌ଡୋର ଷ୍ଟାଡ଼ିୟମରେ ଏକ ନାଗରିକ ଅଭିନନ୍ଦନ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସମ୍ମାନିତ କରାଯାଇଛି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ହେବା ପରେ ମୁର୍ମୁଙ୍କର ଏହା ପ୍ରଥମ ପଶ୍ଚିମବଙ୍ଗ ଗସ୍ତ।

ସମ୍ବନ୍ଧିତ ଖବର