ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ପ୍ରତିଷ୍ଠାନରେ ରାଷ୍ଟ୍ରପତି

ଅବହେଳିତ ବର୍ଗଙ୍କ ପାଇଁ ସମ୍ବେଦନଶୀଳ ହେବାକୁ ପ୍ରଶିକ୍ଷାର୍ଥୀଙ୍କୁ ପରାମର୍ଶ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମସୌରୀର ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ପ୍ରତିଷ୍ଠାନ(ଏଲ୍‌ବିଏସ୍‌ଏନ୍ଏଏ)ଠାରେ ୯୭ତମ ସାଧାରଣ ମୂଳଦୁଆ ପାଠ୍ୟକ୍ରମର ସମାବର୍ତ୍ତନ ସମାରୋହରେ ଯୋଗ ଦେଇଛନ୍ତି।
ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ସେ ସମ୍ବୋଧନ କଲାବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଉକ୍ତି ତାଙ୍କ ସ୍ମୃତିପଟଳକୁ ଚାଲି ଆସୁଛି। ଏପ୍ରିଲ ୧୯୪୭ରେ ସର୍ଦ୍ଦାର ପଟେଲ ଏକ ପ୍ରଶିକ୍ଷାର୍ଥୀ ଦଳକୁ ସାକ୍ଷାତ କରିଥିଲେ ।

ସେତେବେଳେ ସେ କହିଥିଲେ ଯେ ‘ଆମେ ନିଶ୍ଚିତଭାବେ ଆଶା କରିବା ଓ ଆମର ଆଶା କରିବାର ମଧ୍ୟ ଅଧିକାର ରହିଛି ଯେ ପ୍ରତ୍ୟେକ ପ୍ରଶାସନିକ ସେବା ଅଧିକାରୀ, ସେ ଯେଉଁ ପଦବି ବା ଦାୟିତ୍ୱରେ ଥାଆନ୍ତୁ ନା କାହିଁକି ତାଙ୍କଠାରୁ ସବୁଠାରୁ ଭଲ ଯାହା ତାହା ଆଶା କରିବା।’ ଆଜି ଆମେ ଗର୍ବର ସହ କହିପାରିବା ଯେ ପ୍ରଶାସନିକ ଅଧିକାରୀ ମାନେ ସେହି ଆଶା ଉଜ୍ଜୀବିତ ରଖିଛନ୍ତି ।

ରାଷ୍ଟ୍ରପତି କହିଥିଲେ, ମୂଳଦୁଆ ପାଠ୍ୟକ୍ରମର ମୂଳ ମନ୍ତ୍ର ହେଉଛି ‘ଆମେ, ମୁଁ ନୁହେଁ ।’ ପାଠ୍ୟକ୍ରମ ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ଦେଶକୁ ଆଗେଇ ନେବା ପାଇଁ ସମ୍ମିଳିତ ଉଦ୍ୟମ ଓ ଉତ୍ସାହର ସହ ଦାୟିତ୍ୱ କାନ୍ଧେଇବେ ବୋଲି ବିଶ୍ୱାସ ପ୍ରକଟ କରିଥିଲେ ।

ପ୍ରତିଷ୍ଠାନର ଆଦର୍ଶ ଉକ୍ତି “ଶୀଳମ ପରମ ଭୂଷଣମ” ଅର୍ଥାତ୍ ଚରିତ୍ର ହେଉଛି ସର୍ବଶ୍ରେଷ୍ଠ ଗୁଣ। ଏହି ବିଷୟ ଅବତାରଣା କରି ରାଷ୍ଟ୍ରପତି କହିଥିଲେ ଯେ ଏଲବିଏସଏନ୍ଏଏରେ ଦିଆଯାଉଥିବା ତାଲିମ କର୍ମ ଯୋଗ ନୀତି ଉପରେ ଆଧାରିତ ଯେଉଁଠି ଚରିତ୍ର ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସମାଜର ଅବହେଳିତ ବର୍ଗଙ୍କ ପ୍ରତି ସମ୍ବେଦନଶୀଳ ହେବା ପାଇଁ ସେ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ। ଗୋପନୀୟତା, ଦକ୍ଷତା ଓ ସଂଯମତା ପ୍ରଶାସନିକ ଅଧିକାରୀଙ୍କ ପାଇଁ ଅଳଙ୍କାର ସଦୃଶ। ସମଗ୍ର ଚାକିରିକାଳ ମଧ୍ୟରେ ଏ ସମସ୍ତ ଗୁଣ ସେମାନଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରିବ।

ରାଷ୍ଟ୍ରପତି କହିଥିଲେ ଯେ ଯେଉଁ ଗୁଣ ସବୁ ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ତାଲିମ କାଳରେ ଆହରଣ କରିଛନ୍ତି ସେଗୁଡିକ କେବଳ ତାତ୍ତ୍ବିକ ପରିସର ମଧ୍ୟରେ ସୀମାବଦ୍ଧ ହୋଇ ରହିବା ଅନୁଚିତ। ଦେଶର ଜନସଧାରଣଙ୍କ ନିମନ୍ତେ କାମ କଲାବେଳେ ସେମାନେ ଅନେକ ଆହ୍ୱାନ ସାମ୍ନା କରିବେ। ସେତେବେଳେ ଏହି ସବୁ ମୂଲ୍ୟବୋଧକୁ ପାଥେୟ କରି ସେମାନେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଏହି କାର୍ଯ୍ୟ କରିବେ । ଭାରତକୁ ଉନ୍ନତି ଓ ବିକାଶ ପଥରେ ଆଗେଇ ନେବା ସହ ଦେଶବାସୀଙ୍କ ଉତ୍‌ଥାନ ପାଇଁ ବାଟ କଢ଼ାଇବା ହେଉଛି ସେମାନଙ୍କ ସାମ୍ବିଧାନିକା କର୍ତ୍ତବ୍ୟ ଓ ନୈତିକ ଦାୟିତ୍ୱ ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ଉତ୍ତମ ପ୍ରଶାସନ ହେଉଛି ବର୍ତ୍ତମାନର ଆବଶ୍ୟକତା। ଉତ୍ତମ ପ୍ରଶାସନ ବିନା ଆମର ଅଧିକାଂଶ ସାମାଜିକ ଓ ଆର୍ଥକ ସମସ୍ୟା ସୃଷ୍ଟି ହୋଇଥାଏ। ଜନସାଧାରଣଙ୍କ ସମସ୍ୟାକୁ ହୃଦୟଙ୍ଗମ କରିବାକୁ ହେଲେ ସାଧାରଣ ଜନତାଙ୍କ ସହ ମିଶିବାକୁ ହେବ। ଜନସାଧାରଣଙ୍କ ସହ ମିଶିବାକୁ ହେଲେ ନମ୍ର ହେବାପାଇଁ ସେ ପରାମର୍ଶ ଦେଇଥିଲେ। ଏହାହେଲେ ଯାଇ ସେମାନେ ଜନସାଧାରଣଙ୍କ ସହ କଥାବାର୍ତ୍ତା କରିପାରିବେ, ସେମାନଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରିବା ସହ ସେମାନଙ୍କ ହିତସାଧନ କରିପାରିବେ।

ସମ୍ବନ୍ଧିତ ଖବର