ଏକକାଳୀନ ନିର୍ବାଚନ ସପକ୍ଷରେ ରାଷ୍ଟ୍ରପତି

ବିଧାନସଭା ଓ ସାଧାରଣ ନିର୍ବାଚନ ଏକ ସମୟରେ ହେବା ଦେଶ ପାଇଁ ମଙ୍ଗଳ

ସଂଖ୍ୟାଲଘୁମାନଙ୍କ ତୁଷ୍ଟୀକରଣ ନୁହେଁ, ସଶକ୍ତୀକରଣ ହିଁ ସରକାରଙ୍କ ମନ୍ତ୍ର
ବିଶ୍ୱସ୍ତରୀୟ ରେଳସେବା, କ୍ଷୁଦ୍ର ସହରକୁ ଆକାଶପଥ ସଂଯୋଗ
ବିଦ୍ୟୁତ୍‌ ଶକ୍ତି ହାସଲ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଏବଂ ରପ୍ତାନିଯୋଗ୍ୟ
ନୂଆଦିଲ୍ଲୀ: ସୋମବାର ଠାରୁ ଆରମ୍ଭ ହୋଇଥିବା ସଂସଦର ବଜେଟ ଅଧିବେଶନ ପ୍ରାରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମିଳିତ ଗୃହର ସଦସ୍ୟମାନଙ୍କ ଆଗରେ ନିଜର ପ୍ରଥମ ଅଭିଭାଷଣ ରଖିଛନ୍ତି। ଏଥିରେ ବିଜେପି ନେତୃତ୍ୱାଧୀନ ଗାଣତନ୍ତ୍ରିକ ମେଣ୍ଟ(ଏନ୍‌ଡିଏ) ସରକାରର ବିଭିନ୍ନ ସଫଳତାର ଉପଲବ୍ଧି ସମ୍ପର୍କରେ ସୂଚନା ଦେବା ସହ ୨୦୧୮ ମସିହା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଚଳିତ ବର୍ଷ ହିଁ ତାଙ୍କ ସରକାରର ‘ନବ ଭାରତ’ ସ୍ୱପ୍ନ ସାକାର ହେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ସେହିପରି ସଂଖ୍ୟାଲଘୁମାନଙ୍କୁ ତୁଷ୍ଟୀକରଣ ନୁହେଁ, ସେମାନଙ୍କୁ ସଶକ୍ତୀକରଣ କରିବା ହିଁ ସରକାରଙ୍କ ମନ୍ତ୍ର। ଏ ପରିପ୍ରେକ୍ଷୀରେ ମୁସ୍‌ଲିମ୍‌ ମହିଳାମାନେ ଆତ୍ମମର୍ଯ୍ୟାଦାର ସହ କାଳ କାଟିବା ପାଇଁ ସଂସଦରେ ‘ତିନି ତଲାକ୍‌’ ବିଲ୍‌ ପାରିତ ହୋଇଯିବ ବୋଲି ମଧ୍ୟ ସେ ଆଶା ରଖିଛନ୍ତି। ଅପରପକ୍ଷେ, ଦେଶରେ ସାଧାରଣ ନିର୍ବାଚନ ଏବଂ ରାଜ୍ୟ ବିଧାନସଭା ନିର୍ବାଚନକୁ ଏକ ସମୟରେ କରାଇବା ଉପରେ ମଧ୍ୟ ଶ୍ରୀ କୋବିନ୍ଦ ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ଆଗୁଆ ସାଧାରଣ ନିର୍ବାଚନ ଓ ୧୦ରୁ ଅଧିକ ରାଜ୍ୟର ବିଧାନସଭା ନିର୍ବାଚନକୁ ଏକ ସମୟରେ କରିବା ପାଇଁ ମୋଦି ସରକାର ଚଳାଇଥିବା ଯୋଜନା ଫଳବତୀ ହେବ ବୋଲି ଚର୍ଚ୍ଚା ହେଉଛି।
ରାଷ୍ଟ୍ରପତି ଅଭିଭାଷଣ ଆରମ୍ଭ କରି ତାଙ୍କ ସରକାର ଦେଶରେ ଦୁର୍ବଳବର୍ଗ, ସାମାଜିକ ନ୍ୟାୟ ଏବଂ ଆର୍ଥିକ ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଅଙ୍ଗୀକାରବଦ୍ଧ ବୋଲି କହିଥିଲେ। ଏହାଦ୍ୱାରା ସାଧାରଣ ଲୋକଟିଏ ପାଇଁ ଜୀବନଧାରଣ ପନ୍ଥା ସହଜ ଓ ସୁବିଧାଜନକ ହୋଇପାରିବ। ସେହିପରି ସ୍ୱଚ୍ଛ ଭାରତ ମିସନ ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ ଯେ ଆସନ୍ତାବର୍ଷ ପୂଜ୍ୟ ମହାତ୍ମାଗାନ୍ଧୀଙ୍କର ୧୫୦ତମ ଜନ୍ମଦିନ ପାଳନ ଅବସରରେ ସାରା ଦେଶକୁ ସମ୍ପୂର୍ଣ୍ଣ ପରିଷ୍କାର ରଖିବା ହିଁ ତାଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ହେବ। ମୁସଲିମ୍‌ ମହିଳାଙ୍କ ପ୍ରତି ସମ୍ମାନବୋଧ ଦଶନ୍ଧି ଦଶନ୍ଧି ଧରି ରାଜନୈତିକ ସୁବିଧା ପାଖରେ ବନ୍ଧା ପଡ଼ିଥିଲା। ଏବେ ତାହାର ମୁକ୍ତି ପାଇଁ ସରକାର ତିନି ତଲାକ ବିଲ୍‌ ଆଣିଛନ୍ତି।
ବିଶ୍ୱ ଆର୍ଥିକ ଅଭିବୃଦ୍ଧିରେ ମାନ୍ଦାବସ୍ଥା ସତ୍ତ୍ୱେ ଭାରତର ଅଭିବୃଦ୍ଧି ହାର ଉଲ୍ଲେଖନୀୟ ରହିଛି। ଉତ୍ପାଦ ଓ ସେବା କର(ଜିଏସ୍‌ଟି) ଲାଗୁ ହେବାର ଫାଇଦା ଅନୁଭୂତ ହୋଇଛି। ସେହିପରି ଆଧାର ପ୍ରଚଳନ ଯୋଗୁଁ ଗରିବ ହିତାଧିକାରୀମାନେ ସିଧାସଳଖ ଉପକୃତ ହେବା ସହ ବିଭିନ୍ନ ସରକାରୀ ଯୋଜନାର ଡିଜିଟାଲ୍‌ ଦେଣନେଣ ଯୋଗୁଁ ପାଖାପାଖି ୫୭ ହଜାର କୋଟି ଟଙ୍କା ଭୁଲ୍‌ ହାତରୁ ଆସି ସଞ୍ଚୟ ହୋଇପାରିଛି। ଦୁର୍ନୀତି ବିରୋଧରେ ଜାରି ରହିଥିବା ଅଭିଯାନ ଯୋଗୁଁ ପାଖାପାଖି ସାଢ଼େ ୩ ଲକ୍ଷ ସନ୍ଦିଗ୍ଧ କମ୍ପାନିଙ୍କୁ ରଦ୍ଦ କରାଯାଇଛି। ତିନି ବର୍ଷ ତଳେ ବିଶ୍ୱ ବ୍ୟାଙ୍କ ଅନୁସାରେ କାରବାର ଚଳାଇବା ପାଇଁ ଭାରତର ସ୍ଥାନ ୧୪୨ ଥିବା ବେଳେ ଏବେ ତାହା ଉପରକୁ ଉଠି ୧୦୦ରେ ପହଞ୍ଚିଛି।
ତାଙ୍କ ସରକାର ଦେଶରେ ବିଶ୍ୱସ୍ତରୀୟ ରେଳସେବା ପ୍ରଚଳନ ପାଇଁ ପ୍ରତିଶ୍ରୁତିବଦ୍ଧ। ଏ ଦିଗରେ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଆରମ୍ଭ ହୋଇଛି। ସେହିପରି ଦେଶର କ୍ଷୁଦ୍ର ସହରଗୁଡ଼ିକୁ ମଧ୍ୟ ଆକାଶପଥରେ ସଂଯୋଗ କରାଯାଉଛି ଏବଂ ନିମ୍ନ ମଧ୍ୟବିତ୍ତ ଶ୍ରେଣୀ ପରି ସାଧାରଣ ଲୋକ ମଧ୍ୟ ଉଡ଼ାଜାହାଜ ଯାତ୍ରା କରିବା ପାଇଁ ଯୋଜନା ହୋଇଛି। ଅପରପକ୍ଷେ, ସଡ଼କପଥକୁ ସୁଗମ କରିବା ପାଇଁ ୫,୩୫,୦୦୦ କୋଟିର ନୂତନ ଜାତୀୟ ରାଜପଥ ଯୋଜନା(ଭାରତମାଳା) ଆରମ୍ଭ ହୋଇଛି। ସେହିପରି ୧୧ଟି ନୂତନ ସହରରେ ମଧ୍ୟ ମେଟ୍ରୋ ରେଳପଥ ସେବା ପାଇଁ ନିର୍ମାଣ ଆରମ୍ଭ ହୋଇଛି। ଦେଶବାସୀଙ୍କୁ ସୁଲଭ ଦରରେ ବିଜୁଳି ଯୋଗାଇଦେବା ପାଇଁ ଦେଢ଼ ଲକ୍ଷ କୋଟିର ପ୍ରକଳ୍ପ ଆରମ୍ଭ ହୋଇଛି। ଦେଶର ଶକ୍ତି କ୍ଷମତା ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ହେବା ସହ ଏବେ ତାହା ରପ୍ତାନିଯୋଗ୍ୟ ହୋଇପାରିଛି। ପରିବେଶ ସୁରକ୍ଷା ପାଇଁ ଏଲ୍‌ଇଡି ବଲ୍‌ବ ବ୍ୟବହାର ଦ୍ୱାରା ବାର୍ଷିକ ୧୦,୦୦୦ କୋଟି ୟୁନିଟ୍‌ ବିଦ୍ୟୁତ୍‌ ବଞ୍ଚାଯାଇପାରିଛି।
ଦେଶର ସବୁ ଅଞ୍ଚଳର ବିକାଶକୁ ପ୍ରାଧାନ୍ୟ ଦେଇ ବିଶେଷ କରି ଉତ୍ତରପୂର୍ବାଞ୍ଚଳ ରାଜ୍ୟବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ସେଠାରେ ବିଦ୍ୟୁତ୍‌ ସରବରାହ ପାଇଁ ଗତ ତିନି ବର୍ଷରେ ୧୦,୦୦୦ କୋଟି ଟଙ୍କା ବିନିଯୋଗ ହୋଇଛି। ସେହିପରି ଦେଶର ଦୀର୍ଘତମ ନଦୀପୋଲ ଧୋଲା-ସାଦିଆକୁ କାର୍ଯ୍ୟକ୍ଷମ କରି ଆସାମ ଓ ଅରୁଣାଚଳପ୍ରଦେଶ ମଧ୍ୟରେ ଦୂରତାକୁ ୧୬୫ କିମି କମାଇଦିଆଯାଇଛି। ପ୍ରତିଶ୍ରୁତି ମୁତାବକ, ଗୋଟିଏ ପାହ୍ୟା ଗୋଟିଏ ପେନ୍‌ସନ୍‌ ଯୋଜନାରେ ସରକାର ୨୦ ଲକ୍ଷ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ୧୦,୦୦୦ କୋଟି ବକେୟା ପ୍ରଦାନ କରିଛନ୍ତି। ତିନି ବର୍ଷ ଭିତରେ ପୃଥିବୀର ବିଭିନ୍ନ ପ୍ରାନ୍ତରେ ନାନା କାରଣରୁ ଅଟକି ରହିଥିବା ୯୦ ହଜାର ଭାରତୀୟଙ୍କୁ ସୁବିଧାରେ ଦେଶକୁ ଅଣାଯାଇପାରଛି। ସେବା ଦୃଷ୍ଟିରୁ ନେପାଳ ଭୂମିକମ୍ପ ହେଉ କି ଶ୍ରୀଲଙ୍କା ବନ୍ୟା ଅଥବା ମାଳଦ୍ୱୀପର ଜଳାଭାବ ହେଉ, ସବୁଠି ଭାରତ ସହଯୋଗର ହାତ ବଢ଼ାଇ ସେବା ପରି ନିଜ ପାରମ୍ପରିକ ସଂସ୍କୃତିର ପ୍ରମାଣ ଦେଇଛି।
ତେବେ ସବୁଠୁ ଚିନ୍ତାର ବିଷୟ, ସୁଶାସନ ଆଗରେ ଧାରାବାହିକ ନିର୍ବାଚନ ହିଁ ପ୍ରତିବନ୍ଧକ ଭାବେ ଉଭା ହେବା। କୌଣସି ରାଜ୍ୟରେ ବାରମ୍ବାର ନିର୍ବାଚନ ଯୋଗୁଁ ବ୍ୟାପକ ଅର୍ଥ ଶ୍ରାଦ୍ଧ ହେବା ସହ ବିଭିନ୍ନ ସମୟରେ ଆଚରଣ ବିଧି ଲାଗୁ ଯୋଗୁଁ ମଧ୍ୟ ଉନ୍ନୟନ ପ୍ରକ୍ରିୟାରେ ବାଧା ଉପୁଜୁଛି। ସେହିପରି ପ୍ରତି ୪/୬ ମାସରେ କୌଣସି ନା କୌଣସି ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଚାଲୁରହିବା କଷ୍ଟକର ବ୍ୟାପାର ସାଙ୍ଗକୁ ବ୍ୟୟବହୁଳ ମଧ୍ୟ। ତେଣୁ ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ଏକାସଙ୍ଗରେ ଅନୁଷ୍ଠିତ ହେଲେ ରାଜ୍ୟ ତଥା ଦେଶ ପାଇଁ ମଙ୍ଗଲକର ହେବ ବୋଲି ରାଷ୍ଟ୍ରପତି କହିଛନ୍ତି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆଲୋଚନା କରିବାର ବେଳ ଆସିଛି ବୋଲି ସେ କହିଛନ୍ତି।
ସେହିପରି ‘ନବ ଭାରତ’ର ସ୍ୱପ୍ନ କୌଣସି ଦଳ ବା ବ୍ୟକ୍ତି ପାଖରେ ସୀମିତ ନୁହେଁ। ଏହା ଦେଶର ୧୩୦ କୋଟି ଜନତାଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ। ଦଳମତ ନିର୍ବିଶେଷରେ ସମସ୍ତେ ମିଳିମିଶି ଏହି ସ୍ୱପ୍ନକୁ ସାକାର କରିବା ସହ ସମ୍ବିଧାନର ମହତ୍‌ ଉଦ୍ଦେଶ୍ୟ ସାଧନ ଦିଗରେ କାମ କରିବାକୁ ଆଗେଇ ଆସିବା ଲାଗି ରାଷ୍ଟ୍ରପତି ଆହ୍ଵାନ କରିଛନ୍ତି।

ସମ୍ବନ୍ଧିତ ଖବର