ଆଇଜଲରେ ଆଇଆଇଏମ୍‌ସିର ସ୍ଥାୟୀ କ୍ୟାମ୍ପସ୍‌ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମିଜୋରାମ ଗସ୍ତରେ ଯାଇ ଆଇଜଲଠାରେ ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍‌ସି)ର ଉତ୍ତର – ପୂର୍ବାଞ୍ଚଳ ଆଞ୍ଚଳିକ କେନ୍ଦ୍ରର ସ୍ଥାୟୀ କ୍ୟାମ୍ପସକୁ ଉଦ୍‌ଘାଟନ କରିଛନ୍ତି । ଏହି କେନ୍ଦ୍ରରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟକ ଇଂରାଜୀ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମ ସହିତ ଡିଜିଟାଲ୍‌ ପାଠ୍ୟକ୍ରମ ପ୍ରଦାନ କରାଯିବ। ଏହା ବ୍ୟତୀତ ଏହି କେନ୍ଦ୍ରରୁ ମଧ୍ୟ ସ୍ପଳ୍ପ ଅବଧିର ଗଣମାଧ୍ୟମ ଓ ଯୋଗାଯୋଗ ପାଠ୍ୟକ୍ରମ ପ୍ରଦାନର ବ୍ୟବସ୍ଥା କରାଯାଇଛି।

କ୍ୟାମ୍ପସକୁ ଉଦ୍‌ଘାଟନ କରିବା ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଆଇଜଲର ଏହି ନବ ଉଦ୍‌ଘାଟିତ କ୍ୟାମ୍ପସ ସମଗ୍ର ଉତ୍ତର ପୂର୍ବଞ୍ଚଳର ଆବଶ୍ୟକତା ପୂରଣ କରିବ । ଏହା ଦ୍ୱାରା ଏହି ଅଞ୍ଚଳରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଏଭଳି ଏକ କ୍ୟାମ୍ପସ ଉଦ୍‌ଘାଟନ କରି ମୁଁ ବିଶେଷ ଆନନ୍ଦିତ। ଆଇଆଇଏମ୍‌ସି ଭାରତର ଏକ ପ୍ରତିଷ୍ଠିତ ଓ ମର୍ଯ୍ୟାଦାଜନକ ଜନସଂଚାର ଓ ଗଣଯୋଗାଯୋଗ ପାଠ୍ୟକ୍ରମ ପ୍ରଦାନକାରୀ ସଂସ୍ଥା । ଏହା ପ୍ରଗତିଶୀଳ ଶିକ୍ଷଣ ଏବଂ କାର୍ଯ୍ୟ କରିବାର ଉତ୍ତମ ପରିବେଶ ମାଧ୍ୟମରେ ନୂଆ ବିଚାର ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ସହିତ ଗବେଷଣାର ସୁଯୋଗ ଯୋଗାଇ ଗଣମାଧ୍ୟମ ଏବଂ ଗଣଯୋଗାଯୋଗ କ୍ଷେତ୍ରରେ ନୂଆ ନେତୃତ୍ୱ ଓ ନବସୃଜନକାରୀଙ୍କୁ ସୃଷ୍ଟି କରୁଛି ବୋଲି ସେ କହିଥିଲେ। ଆଇଆଇଏମ୍‌ସି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଏକ ସ୍ୱୟଂଶାସିତ ସଂସ୍ଥା ଭାବେ କାର୍ଯ୍ୟ କରୁଛି । ଏହାର ସଦର କାର୍ଯ୍ୟାଳୟ ନୂଆଦିଲ୍ଲୀରେ ରହିଥିବାବେଳେ ଦେଶର ପାଂଚଟି ସ୍ଥାନରେ ଆଞ୍ଚଳିକ କେନ୍ଦ୍ରଗୁଡିକ ଓଡ଼ିଶାର ଢେଙ୍କାନାଳ, ମିଜୋରାମର ଆଇଜଲ, ଜାମ୍ମୁ କାଶ୍ମୀରର ଜାମ୍ମୁ, କେରଳର କୋଟ୍ଟାୟମ ଏବଂ ମହାରାଷ୍ଟ୍ରର ଅମରାବତୀରେ ରହିଛି।

ସମ୍ବନ୍ଧିତ ଖବର