ରାଷ୍ଟ୍ରପତିଙ୍କ ବିମାନ ଉଡ଼ାଣ, ବାୟୁସୀମା ଛାଡ଼ିବାକୁ ମନାକଲା ପାକିସ୍ତାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିମାନ ଉଡ଼ାଣ ପାଇଁ ପାକିସ୍ତାନ ଏହାର ବାୟୁସୀମା ବ୍ୟବହାର କରିବାକୁ ମନା କରିଦେଇଛି। କୋବିନ୍ଦ ଆସନ୍ତା ସୋମବାରଠାରୁ ୟୁରୋପ୍‌ ଗସ୍ତରେ ଯିବେ। ତେଣୁ ପାକିସ୍ତାନ ବାୟୁସୀମାରେ କୋବିନ୍ଦଙ୍କ ବିମାନ ଉଡ଼ାଣ ପାଇଁ ଅନୁରୋଧ କରାଯାଇଥିଲା। କିନ୍ତୁ ପାକିସ୍ତାନ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେବା ପରେ ‌କୋବିନ୍ଦଙ୍କ ବିମାନ ଅନ୍ୟ ବାୟୁସୀମା ଦେଇ ଉଡ଼ାଣ କରିବ ଏବଂ ଏହାଦ୍ବାରା ଯାତ୍ରା ସମୟ ଅଧିକ ୫୦ ମିନିଟ୍‌ ବୃଦ୍ଧି ପାଇବ। ସେପ୍ଟେମ୍ବର ୧୭ ତାରିଖ‌ରେ କୋବିନ୍ଦ ୩ ରାଷ୍ଟ୍ର ଗସ୍ତ ସାରି ଭାରତ ‌ଫେରିବେ।

ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେଶି ଗଣମାଧ୍ୟମରେ କହିଥିଲେ ଯେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବିଦେଶ ଗସ୍ତ ପାଇଁ ପାକିସ୍ତାନ ବାୟୁସୀମା ବ୍ୟବହାର କରିବାକୁ ଅନୁ‌ରୋଧ କରିଥିଲେ କିନ୍ତୁ ପାକିସ୍ତାନ ପକ୍ଷରୁ ଏହ‌ି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ବୀକୃତି ପ୍ରଦାନ କରିଛନ୍ତି ବୋଲି କୁରେଶି କହିଛନ୍ତି। ଉଲ୍ଲେଖ‌ଯୋଗ୍ୟ ଫେବ୍ରୁଆରି ୨୭ ତାରିଖରେ ବାଲାକୋଟ୍‌ ବିମାନ ଆକ୍ରମଣ ପରଠାରୁ ପାକିସ୍ତାନ ଏହାର ବାୟୁସୀମ‌ା ବନ୍ଦ କରିଦେଇଥିଲା। ଏହାର ୧୩୮ ଦିନ ପରେ ଜୁଲାଇ ୧୬ ତାରିଖରେ ପାକିସ୍ତାନ ଏହାର ବାୟୁସୀମା ଖୋଲିଲା।

ସମ୍ବନ୍ଧିତ ଖବର