କେବଳ ନିଜ ପାଇଁ ବା ପରିବାର ପାଇଁ ନୁହେଁ ସମାଜ ପାଇଁ କାମ କର: ରାଷ୍ଟ୍ରପତି ରାମନାଥ

କୋବିନ୍ଦଙ୍କ କରକମଳରେ ଆଇସିଟି-ଆଇଓସି କ୍ୟାମ୍ପସ ଓ ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟର ଶିଳାନ୍ୟାସ

ଭୁବନେଶ୍ୱର: କେବଳ ନିଜ ପାଇଁ ବା ପରିବାର ପାଇଁ ନୁହେଁ, ସମାଜ ପାଇଁ କାମ କର ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ଜଟଣୀ ନିକଟ ଅରୁଗୁଳସ୍ଥିତ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି)ର ୬ଷ୍ଠ ସମାବର୍ତ୍ତନ ଉତ୍ସବରେ ରବିବାର ଯୋଗଦେଇ ରାମନାଥ କହିଛନ୍ତି, ଜଣେ ଆଇଆଇଟିଆନ୍‌ ଭାବେ ଦେଶପ୍ରତି ତୁମ ଭୂମିକା ଗୁରୁତ୍ୱପୂର୍ଣ୍ଣ। ନିଜର ସ୍ୱତନ୍ତ୍ରତା ଦ୍ୱାରା ଦେଶ ଓ ଜାତିର ସେବା କରିବାକୁ ଆହ୍ଵାନ କରିଛନ୍ତି। ସେହିପରି ନିଜର ସାମର୍ଥତା ଅନୁସାରେ କାମ କରିବାକୁ ରାଷ୍ଟ୍ରପତି ଆହ୍ଵାନ ଜଣାଇଛନ୍ତି। ସମାବର୍ତ୍ତନ ସମାରୋହରେ ଆଇଆଇଟିରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରି ସାର୍ଟିଫିକେଟ ପ୍ରଦାନ କରିଥିଲେ।

ଭୁବନେଶ୍ୱର ଆଇଆଇଟି ଐତିହାସିକ ବରୁଣେଇ ପାହାଡ଼ ତଳେ ଅବସ୍ଥାପିତ ହୋଇଥିବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ରାମନାଥ କହିଛନ୍ତି। ପାଇକ ବିଦ୍ରୋହ ଓ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କୁ ମଧ୍ୟ ସେ ମନେ ପକାଇଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି।

ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଇସିଟି-ଆଇଓସି କ୍ୟାମ୍ପସ ଓ ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟର ଶିଳାନ୍ୟାସ କରିଛନ୍ତି। ସମାରୋହରେ ରାଜ୍ୟପାଳ ଏସ୍‌ସି ଜମିର, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟମନ୍ତ୍ରୀ ସତ୍ୟପାଳ ସିଂହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।

ରାମନାଥ ଆଜି ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଏଥିପାଇଁ ସାଧାରଣ ଦର୍ଶନ ପ୍ରାୟ ୨ ଘଣ୍ଟା ଧରି ବନ୍ଦ ଥିଲା। ମହାମହିମଙ୍କ ଶ୍ରୀମନ୍ଦିର ଦର୍ଶନ ନେଇ ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଥିଲା।

ସମ୍ବନ୍ଧିତ ଖବର