ବିଜାପୁର ନକ୍ସଲ କାଣ୍ଡକୁ ନେଇ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ; ଦେଶ ସେମାନଙ୍କ ବଳିଦାନକୁ କେବେବି ଭୁଲି ପାରିବ ନାହିଁ

ବିଜାପୁର: ଛତିଶଗଡ ବିଜାପୁରରେ ନକ୍ସଲ ଆକ୍ରମଣରେ ୨୨ ଯବାନ ସହିଦ ହେବା ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସହିଦ ଯବାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି । ଟୁଇଟ କରି ରାଷ୍ଟ୍ରପତି ଲେଖିଛନ୍ତି ଯେ, ଛତିଶଗଡରେ ମାଓବାଦୀ ଆକ୍ରମଣର ମୁକାବିଲା ବେଳେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହେବା ଗଭୀର ଦୁୁଃଖର ବିଷୟ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା। ଦେଶ ସେମାନଙ୍କର ଯନ୍ତ୍ରଣା ବାଣ୍ଟିବ ଏବଂ ଏହି ବଳିଦାନକୁ କେବେବି ଭୁଲି ପାରିବ ନାହିଁ।

ସେପଟେ ନକ୍ସଲଙ୍କ ବର୍ବର କାଣ୍ଡ ପରେ ବିଜାପୁର ଜୋନାଗୁଡା ଜଙ୍ଗଲରେ ଚାଲିଛି ବଡ ଧରଣର ସର୍ଚ୍ଚ ଅପରେସନ୍ । ଆଜି ସକାଳୁ ସୁରକ୍ଷାକର୍ମୀ ବିଜାପୁର ଓ ସୁକୁମାରେ ବଡ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି । ଏନେଇ ସୂଚନା ଦେବା ସହିତ ସହିଦ ଯବାନଙ୍କ ସଂଖ୍ୟାକୁ ନେଇ ସ୍ପଷ୍ଟ କରିଛନ୍ତି ଛତିଶଗଡ ପୁଲିସ ଡିଜିପି ।

ଗତକାଲି ନକ୍ସଲଙ୍କ ସହିତ ମୁହାଁମୁହିଁ ପରେ ୨ ଯବାନଙ୍କ ମରଶରୀର ଉଦ୍ଧାର ହୋଇଥିଲା । ଆଜି ଆଉ ୨୦ ଯବାନଙ୍କ ମରଶରୀର ଉଦ୍ଧାର ହୋଇଛି । ଫଳରେ ୨୨ କୁ ବୃଦ୍ଧି ହୋଇଛି ସହିଦ ଯବାନଙ୍କ ସଂଖ୍ୟା । ସେହିପରି ୧୫ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସହିଦ ଯବାନଙ୍କ ମଧ୍ୟରେ ରହିଛନ୍ତି ସିଆରପିଏଫ୍ ଏବଂ ଛତିଶଗଡ ପୁଲିସର ଯବାନ । ଗତକାଲି ନକ୍ସଲଙ୍କ ଆକ୍ରମଣ ପରଠାରୁ କିଛି ଯବାନ ନିଖୋଜ ରହିଥିବା ସୂଚନା ମିଳିଛି । ସେମାନଙ୍କୁ ଠାବ କରିବାକୁ ବିଜାପୁରରେ ବଡ ଧରଣର ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି ।

ଛତିଶଗଡରେ ନକ୍ସଲ ବିରୋଧୀ ଅଭିଯାନ ପାଇଁ ଗତକାଲି ବିଜାପୁର ଏବଂ ସୁକମା ଜିଲ୍ଲାର କେନ୍ଦ୍ରୀୟ ପୁଲିସ ବଳ, କୋବ୍ରା ବାଟାଲିଆନ, ଡ଼ିଆରଜି ଏବଂ ଏସଟିଏଫର ମିଳିତ ଟିମ୍ ଚଢଉ କରିଥିଲେ । ଏହି ସମୟରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ ୩୧ ଜଣ ଯବାନ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣ କୋବ୍ରା ବାଟାଲିୟନ୍ ଯବାନଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି ।

ସମ୍ବନ୍ଧିତ ଖବର