ତିନୋଟିଯାକ କୃଷି ବିଧେୟକରେ ସ୍ବାକ୍ଷର କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନ‌ୋଟିଯାକ କୃଷି ବିଧେୟକରେ ସ୍ବାକ୍ଷର କରିଛନ୍ତି। ଏହାପରେ ସରକାର ସେଗୁଡ଼ିକୁ ବିଜ୍ଞାପିତ କରିଛନ୍ତି।

ନିକଟରେ ସରକାର ଏହି ବିବାଦୀୟ କୃଷି ବିଧେୟକଗୁଡ଼ିକୁ ସଂସଦରେ ଅନୁମୋଦନ କରିବା ପରେ ଏହା କୃଷକ-ବିରୋଧୀ ଏବଂ କର୍ପୋରେଟ୍‌-ଅନୁକୂଳ ବୋଲି ବିରୋଧୀ ଦଳମାନେ କହୁଥିଲେ। ବିରୋଧୀମାନଙ୍କ ହୋହଲ୍ଲା ମଧ୍ୟରେ ଗତ ସପ୍ତାହରେ ଏହି ତିନୋଟି ବିଧେୟକ ରାଜ୍ୟସଭାରେ ପାରିତ ହୋଇଥିଲା। ଏଥିରେ ସ୍ବାକ୍ଷର ନ କରି ପୁନର୍ବିଚାର ଲାଗି ସଂସଦକୁ ଫେରାଇ ଦେବାକୁ ବିରୋଧୀମାନେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ।

Image Courtesy of Hindustan Times

ଏହି ବିଧେୟକ ତିନିଟି ହେଉଛି- ‘ଚାଷୀଙ୍କ ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ପ୍ରସାର ଓ ସୁବିଧା) ବିଧେୟକ ୨୦୨୦, ଚାଷୀଙ୍କ (ସଶକ୍ତିକରଣ ଏବଂ ସୁରକ୍ଷା) ମୂଲ୍ୟ ପ୍ରତିଶ୍ରୁତ ଏବଂ କୃଷି ସେବା ଚୁକ୍ତି ବିଧେୟକ ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧିତ) ବିଧେୟକ ୨୦୨୦।

ଏହି ବିଧେୟକ ତିନୋଟିକୁ ବିରୋଧ ଶୀରୋମଣି ଅକାଳି ଦଳ ଏନ୍‌ଡିଏରୁ ଓହରି ଯାଇଛି। ଏହି ବିଧେୟକ ବିରୋଧରେ ପ୍ରତିବାଦ ପ୍ରଦର୍ଶନ ଲାଗି ସମଗ୍ର ଭାରତରେ ହଜାର ହଜାର ଚାଷୀ ସେପ୍ଟେମ୍ବର ୨୫ ତାରିଖ ଦିନ ରାସ୍ତା ଓ ରେଳପଥ ଅବରୋଧପୂର୍ବକ ଭାରତ ବନ୍ଦ କରିଥିଲେ।

 

ସମ୍ବନ୍ଧିତ ଖବର