ପୁନେ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁନେସ୍ଥିତ ସଶସ୍ତ୍ର ବାହିନୀ ମେଡିକାଲ କଲେଜକୁ ‘ରାଷ୍ଟ୍ରପତି କଲର’ ପ୍ରଦାନ କରିଛନ୍ତି। ସେ ଆର୍ମଡ୍ ଫୋର୍ସ ସେଣ୍ଟର ଫର କମ୍ପ୍ୟୁଟେସନାଲ ମେଡିସିନ ‘ପ୍ରଜ୍ଞା’କୁ ଭର୍ଚୁଆଲ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଏଏଫ୍ଏମ୍ସି ଡାକ୍ତରୀ ଶିକ୍ଷାରେ ସର୍ବୋଚ୍ଚ ମାନର ଅନୁଷ୍ଠାନ ଭାବେ ଖ୍ୟାତି ଅର୍ଜନ କରିଛି। ଏହି ଅନୁଷ୍ଠାନର ସ୍ନାତକମାନେ ଉଭୟ ଦେଶ ତଥା ବାହାରେ ଯୁଦ୍ଧ, ଆତଙ୍କବାଦ ବିରୋଧୀ ଅଭିଯାନ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ମହାମାରୀର ମୁକାବିଲା କରି ନିଜର ଉତ୍ସର୍ଗୀକୃତ ସେବା ମାଧ୍ୟମରେ ଦେଶକୁ ଗର୍ବିତ କରିଛନ୍ତି।
ଏଏଫ୍ଏମ୍ସିରୁ ସ୍ନାତକ ହାସଲ କରିଥିବା ଅନେକ ମହିଳା କ୍ୟାଡେଟ୍ ସଶସ୍ତ୍ର ବାହିନୀ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି ଏବଂ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି ବୋଲି କହି ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ। ସେମାନଙ୍କଠାରୁ ପ୍ରେରଣା ନେଇ ଅଧିକରୁ ଅଧିକ ମହିଳା ସଶସ୍ତ୍ର ବାହିନୀରେ କ୍ୟାରିୟର ବାଛିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।