ଆଟ୍‌-ହୋମ୍‌ ଭୋଜିରେ ଅତିଥିଙ୍କ ସଂଖ୍ୟା ୨ ହଜାର ରୁ ୭୨୪କୁ କମାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଏଥର ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଭବନରେ ଆୟୋଜିତ ‘ଆଟ୍‌ ହୋମ୍‌’ ଭୋଜିରେ ବିଗତ ବର୍ଷମାନଙ୍କ ପରି ନ ଥିଲା। ଏଥର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅତିଥି ସଂଖ୍ୟା ୨୦୦୦ରୁ ୭୨୪କୁ କମାଇ ଦିଆଯାଇଥିଲା।

କେବଳ ଅତିଥିଙ୍କ ତାଲିକା ଯେ ବଦଳି ଥିଲା ତାହା ନୁହେଁ, ସେଠାକୁ କୃତବିଦ୍ୟମାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ‘ଦଲିତ୍‌ ଚାମ୍ବର୍‌ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିର ସଂସ୍ଥାପକ ମିଲିନ୍ଦ କାମ୍ବଲେ ଓ ୧୭ ବର୍ଷରୁ କମ୍‌ ଫୁଟ୍‌ବଲ୍‌ ଦଳର କ୍ୟାପ୍‌ଟେନ୍‌ ମଣିପୁରର ଅମରଜିତ ସିଂହ। ଆଇଏଏଫ୍‌ କମାଣ୍ଡୋ କର୍ପୋରାଲ୍‌ ଜ୍ୟୋତି ପ୍ରକାଶ ନିରାଲାଙ୍କ ପରିବାରବର୍ଗଙ୍କୁ ମଧ୍ୟ ‘ଆଟ୍‌ ହୋମ୍‌’କୁ ନିମନ୍ତ୍ରଣ କରାଯାଇଥିଲା।
ଅନ୍ୟନ୍ୟା ଅତିଥିଙ୍କ ଗହଣରେ ଥିଲେ ସିବିଏସ୍‌ଇ, ଆଇଏସ୍‌ସି ଏବଂ ୟୁପିଏସ୍‌ସି ପରୀକ୍ଷାର ଟପର୍‌ ଏବଂ ଫୋଗଟ୍‌ ଭଗିନୀଙ୍କ ଭଳି ତରୁଣ କୃତବିଦ୍‌ମାନେ।

ରାଷ୍ଟ୍ରପତି ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ ନ କରିବାକୁ କହିଥିଲେ। କେବଳ ତାଙ୍କ ପତ୍ନୀ ଏଥିରେ ଉପସ୍ଥିତ ଥିଲେ।

କିନ୍ତୁ, ତାଲିକାରେ ସାଂସଦ, ପୂର୍ବତନ ମୁଖ୍ୟବିଚାରପତି, ପ୍ରତିରକ୍ଷା ବଳର ମୁଖ୍ୟ, ହାଇ କମିସନର୍‌, ରାଷ୍ଟ୍ରଦୂତ ଏବଂ ସାମ୍ବିଧାନିକ ବ୍ୟକ୍ତିତ୍ୱମାନଙ୍କ ନାମ ରହିଥିଲା। କାରଣ ଏମାନଙ୍କୁ ନିମନ୍ତ୍ରଣ କରାଯିବା ବିଧେୟ।

ରାଷ୍ଟ୍ରପତିଙ୍କ ପ୍ରେସ୍‌ ସେକ୍ରେଟାରି ଅଶୋକ ମାଲିକ କହନ୍ତି, ଏ ବର୍ଷ ଅତିଥି ତାଲିକାରେ ୭୨୪ ଜଣଙ୍କ ନାଁ ରହିଥିଲା। ବିଗତ ବର୍ଷମାନଙ୍କରେ ଏହି ତାଲିକା ଥିଲା ତିନି ଗୁଣ ଲମ୍ବା। ରାଷ୍ଟ୍ରପତିଙ୍କ ଇଚ୍ଛା ଅନୁସାରେ ଏହି ତାଲିକା କାଣ୍ଟଛାଣ୍ଟ କରାଯାଇଥିଲା।

ଗତ ୨୦୧୬ ତାଲିକାରେ ଅତିଥିଙ୍କ ସଂଖ୍ୟା ଥିଲା ୨, ୩୪୭ ଏବଂ ୨୦୧୭ରେ ଥିଲା ୨୦୧୫। ଫଳରେ ବିଶେଷ ଅତିଥିଙ୍କ ପାଇଁ ଭିନ୍ନ ପ୍ରକୋଷ୍ଠ କରାଯାଇଥିଲା। ସେଠାକୁ ମୋବାଇଲ୍‌ ଫୋନ୍‌ ନେବାକୁ ମଧ୍ୟ ବାରଣ କରାଯାଇଥିଲା।

କିନ୍ତୁ, ଏ ବର୍ଷ ମୋବାଇଲ୍‌ ଫୋନ୍‌ ଉପରେ କଟକଣା ନ ଥିଲା।

ସମ୍ବନ୍ଧିତ ଖବର