ରାଷ୍ଟ୍ରପତି ଭବନର ‘ଆଟ୍‌ ହୋମ୍‌’ ଅଭ୍ୟର୍ଥନାରେ ଯୋଗ ଦେଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଶୀର୍ଷସ୍ତରୀୟ ନେତା

ନୂଆଦିଲ୍ଲୀ: ୭୪ତମ ସ୍ବାଧୀନତା ଦିବସ ଅବସରରେ ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭବ୍ୟ ରାଷ୍ଟ୍ରପତି ଭବନରେ ‘ଆଟ୍‌ ହୋମ୍’ ଅଭ୍ୟର୍ଥନାରେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ଶୀର୍ଷସ୍ତରୀୟ ନେତା, ସରକାରୀ ଅଧିକାରୀ ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ଆପ୍ୟାୟିତ କରିଛନ୍ତି।

ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଥିଲେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଚିଫ୍‌ ଅଫ୍ ଡିଫେନ୍‌ସ୍‌ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ୍, ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ, ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ କରମବୀର ସିଂହ ଏବଂ ଭାରତୀୟ ବାୟୁସେନା ମୁଖ୍ୟ ଏୟାର୍‌ ଚିଫ୍ ମାର୍ସାଲ୍‌ ଆର୍‌କେଏସ୍ ଭଦୌରିଆ।

ଏବର୍ଷ କୋଭିଡ୍-୧୯ ସଂକ୍ରମଣ ଯୋଗୁଁ ‘ଆଟ୍‌ ହୋମ୍’କୁ ପ୍ରାୟ ୯୦ଜଣ ଅତିଥିଙ୍କୁ ଆମନ୍ତ୍ରଣ କରାଯିବ ବୋଲି ରାଷ୍ଟ୍ରପତି ଭବନ ତରଫରୁ ସୂଚନା ଦିଆଯାଇଥିଲା। ମୁଖ୍ୟ ଟେବୁଲ୍‌ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ ଉପବିଷ୍ଟ ହେଉଥିବା ବ‌େଳେ ଅନ୍ୟ ଅତିଥିଙ୍କ ନିମନ୍ତେ ଥିବା ଟେବୁଲଗୁଡ଼ିକ ଭାରତୀୟ ନଦୀମାନଙ୍କ ନାମାନୁସାରେ ନାମିତ କରାଯିବ ବୋଲି କୁହାଯାଇଥିଲା।

Image Courtesy of The Indian Express

ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ କୋଭିଡ୍ ଯୋଦ୍ଧାମାନଙ୍କ ବିଷୟରେ ରାଷ୍ଟ୍ରପତିଙ୍କ ସଂକ୍ଷିପ୍ତ ସ୍ବାଗତ ସମ୍ବୋଧନ ପରେ ‘ଆଟ୍‌ ହୋମ୍’ ଅତିଥି ଚର୍ଚ୍ଚା ଆରମ୍ଭ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା। ଏଥର ଅତିଥିମାନଙ୍କୁ କେବଳ ଧୋକ୍‌ଲା, ବର୍ଫି, ସ୍ୟାଣ୍ଡ୍ଉଇଚ୍, ସିଙ୍ଗଡ଼ା ଏବଂ ଚା ଭଳି ନିରାମିଷ ଭୋଜନ ପରଷା ଯିବ ବ‌ୋଲି ସୂଚନା ମିଳିଥିଲା।

ଦେଶର ୭୪ତମ ସ୍ବାଧୀନତା ଦିବସ ଉପଲକ୍ଷେ ଆଜି ସନ୍ଧ୍ୟାରେ ସଂସଦ ଭବନ, ନର୍ଥ ବ୍ଲକ୍, ସାଉଥ୍ ବ୍ଲକ୍ ଏବଂ ଇଣ୍ଡିଆ ଗେଟ୍‌କୁ ରଙ୍ଗିନ ଆଲୋକମା‌ଳାରେ ସୁସଜ୍ଜିତ କରାଯାଇଛି।

ସମ୍ବନ୍ଧିତ ଖବର