ଗଣତନ୍ତ୍ର ଦିବସରେ ରାଷ୍ଟ୍ରପତିଙ୍କ ଉଦ୍‌ବୋଧନ : ସମ୍ବଳ ଉପରେ ସମସ୍ତଙ୍କର ସମାନ ଅଧିକାର

ନୂଆଦିଲ୍ଲୀ: ୭୦ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଦେଶର ସମ୍ବଳ ଉପରେ ସମସ୍ତଙ୍କର ଅଧିକାର ରହିଛି। ଆମେ ଯେ କୌଣସି ଅଂଚଳର, ଯେ କୌଣସି ଗୋଷ୍ଠୀ ଓ ବର୍ଗର ହୋଇଥିଲେ ମଧ୍ୟ ଦେଶର ସମ୍ବଳ ଉପରେ ଆମକୁ ସମାନ ଅଧିକାର ମିଳିଛି। ବିବିଧତା ହିଁ ଭାରତର ସବୁଠାରୁ ବଡ଼ ଶକ୍ତି । ଆମର ବିବିଧତା, ଗଣତନ୍ତ୍ର ଏବଂ ବିକାଶ ଏବେ ସମଗ୍ର ବିଶ୍ବ ପାଇଁ ଉଦାହରଣ ପାଲଟିଛି। ଆମର ମହାନ ଗଣତନ୍ତ୍ର ଦୀର୍ଘ ପଥ ଅତିକ୍ରମ କରିଛି ଏବଂ ଆମକୁ ଆହୁରି ଆଗକୁ ଯିବାକୁ ହେବ। ଆମର ଯେଉଁ ଭାଇ-ଭଉଣୀମାନେ ବିକାଶର ଯାତ୍ରାରୁ ପଛରେ ରହିଯାଇଛନ୍ତି ସେମାନଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି କହିଛନ୍ତି ଯେ ଏହି ଦିବସ ଗଣତନ୍ତ୍ର ଉପରେ ଆଧାରିତ ଆମର ଗଣରାଜ୍ୟର ଉଚ୍ଚ ଆଦର୍ଶକୁ ମନେ ପକାଇବାକୁ ସୁଯୋଗ ସୃଷ୍ଟି କରିଛି। ଚଳିତ ମାସରେ ସମ୍ବିଧାନ ସଂଶୋଧନ ଦ୍ବାରା ଗରିବ ପରିବାରର ପ୍ରତିଭାଶାଳୀ ପିଲାଙ୍କ ପାଇଁ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଉପଲବ୍ଧ କରାଯାଇଛି। ସାମାଜିକ ନ୍ୟାୟ ଏବଂ ଆର୍ଥିକ ମାନଦଣ୍ଡ ଉପରେ ଗୁରୁତ୍ବ ଦେଇ ସମସ୍ତଙ୍କର କଲ୍ୟାଣ ଦିଗରେ ପ୍ରୟାସ କରାଯାଉଛି । ରାଷ୍ଟ୍ରପତି ଏହି ଅବସରରେ କହିଛନ୍ତି ଯେ ଚଳିତ ବର୍ଷ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଥିବାରୁ ଏହା ଆମ ପାଇଁ ବଡ଼ ସୁଯୋଗ ଆଣିଛି। ଗାନ୍ଧୀଜୀ କେବଳ ଭାରତ ନୁହେଁ, ଏସିଆ, ଆଫ୍ରିକା ତଥା ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ସାମ୍ରାଜ୍ୟବାଦକୁ ଶେଷ କରିବା ପାଇଁ ଲୋକଙ୍କ ଭିତରେ ପ୍ରେରଣା ଭରି ଦେଇଥିଲେ। ବାପୁ ଆଜି ମଧ୍ୟ ଆମ ଗଣତନ୍ତ୍ର ପାଇଁ ନୈତିକତାର ଆଲୋକ ବର୍ତ୍ତିକା ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି ତାଙ୍କ ଉଦ୍‌ବୋଧନରେ ମତଦାନ ଅଧିକାରକୁ ସାବ୍ୟସ୍ତ କରିବାକୁ ଦେଶବାସୀଙ୍କୁ ଊତ୍ସାହିତ କରିଛନ୍ତି। ସେ କହିଛନ୍ତି ଯେ ଆମେ ଭାରତବାସୀ ୧୭ତମ ଲୋକସଭା ପାଇଁ ହେବାକୁ ଥିବା ନିର୍ବାଚନରେ ନିଜ ମତାଧିକାର ପ୍ରୟୋଗ କରିବାକୁ ହେବ। ଏହି ନିର୍ବାଚନ ଅନେକ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ଏକବିଂଶ ଶତାବ୍ଦୀରେ ଜନ୍ମ ନେଇଥିବା ମତଦାତାମାନେ ପ୍ରଥମ ଥର ପାଇଁ ଭୋଟ୍‌ ଦେବେ ଏବଂ ଲୋକସଭା ଗଠନରେ ନିଜର ଭୂମିକା ନିର୍ବାହ କରିବେ। ଗଣତନ୍ତ୍ରକୁ ସଫଳ କରିବା ପାଇଁ ଭୋଟ୍‌ଦାନ ଆମର ଏକ ପରମ କର୍ତ୍ତବ୍ୟ ଏବଂ ଏହି କର୍ତ୍ତବ୍ୟ ପାଳନ କରିବାକୁ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି। ଫୋନ୍‌ ଏବଂ ଇଣ୍ଟ୍‌ରନେଟ୍‌ ବିକାଶ ସଂପର୍କରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି ଯେ ଦେଶର କୋଣ କୋଣରେ ମୋବାଇଲ୍‌ ଫୋନ ତଥା ଇଣ୍ଟରନେଟ୍‌ ସୁବିଧା ହେବାରୁ ଡିଜିଟାଲ ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଏବେ ଦେଶର ବିଭିନ୍ନ ବନ୍ଦର, ଆନ୍ତର୍ଦେଶୀୟ ଜଳମାର୍ଗ, ଉନ୍ନତ ରେଳ ସେବା, ଆଧୁନିକ ମେଟ୍ରୋ ସୁବିଧା, ଜାତୀୟ ରାଜପଥ, ଗ୍ରାମୀଣ ସଡ଼କ ଏବଂ ଆଭ୍ୟନ୍ତରୀଣ ବିମାନ ଯାତ୍ରାରେ ଯଥେଷ୍ଟ ଉନ୍ନତି ହୋଇଥିବାରୁ ଯୋଗାଯୋଗ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିଛି। ନୂତନ ଜ୍ଞାନକୌଶଳକୁ ବ୍ୟବହାର କରି ଆମର କୃଷକ ଅଧିକ ସମର୍ଥ ଏବଂ ଯବାନ ଅଧିକ ସଶକ୍ତ ହେଉଥିବା ରାଷ୍ଟ୍ରପତି କହିଛନ୍ତି।

ସମ୍ବନ୍ଧିତ ଖବର