ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କ ୧୨୯ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ୧୨୯ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ପାଟି ବୁଧବାର ଦିନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଦେଶର ସ୍ୱାଧୀନତା ସଂଗ୍ରାମରେ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କ ଭୂମିକା ଏବଂ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଅବଦାନ ସବୁକୁ ସ୍ମରଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏକ ଟୁଇଟ୍‌ରେ କହିଛନ୍ତି: ଜନ୍ମବାର୍ଷିକୀରେ ଆମର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କୁ ସ୍ମରଣ କରୁଛୁ। ଆମ ସ୍ୱାଧୀନତା ସଂଗ୍ରାମରେ ଏବଂ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳରେ ତାଙ୍କର ଅବଦାନ ଆମେ ସ୍ମରଣ କରୁଛୁ।

ପଣ୍ଡିତ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ଜନ୍ମବାର୍ଷିକୀରେ ଆମର ପ୍ରଥମ ପ୍ରଧାନମନ୍ତ୍ରୀ ଶ୍ରୀ ଜବାହରଲାଲ୍‌ ନେହେରୁଙ୍କୁ ସ୍ମରଣ କରୁଛୁ।

ପିଲାମାନଙ୍କ ମଧ୍ୟରେ ପଣ୍ଡିତ ନେହେରୁ ଥିଲେ ଅତି ପ୍ରିୟ ଏବଂ ସେମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ। ତାଙ୍କର ଜନ୍ମଦିନ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ଭାବେ ପାଳନ କରାଯାଏ।

୧୯୬୪ ମସିହାରେ ଜବାହରଲାଲ୍‌ ନେହେରୁଙ୍କ ମୃତ୍ୟୁ ପରେ ତାଙ୍କର ଜନ୍ମଦିନକୁ ଭାରତରେ ‘ଶିଶୁ ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଦେଶର ଭବିଷ୍ୟତ ଏବଂ ଆସନ୍ତାକାଲିର ନାଗରିକ ହୋଇଥିବାରୁ ପିଲାମାନଙ୍କୁ ସର୍ବଦା ସଯତ୍ନ ଏବଂ ସସ୍ନେହ ପାଳନ କରାଯିବା ଉଚିତ ବୋଲି ନେହେରୁ ସବୁବେଳେ କହୁଥିଲେ।

ଦେଶର ଶିକ୍ଷା ବ୍ୟବସ୍ଥାରେ ନେହେରୁଙ୍କର ଥିଲା ବିଶେଷ ଆଗ୍ରହ। ଦେଶର ପ୍ରତ୍ୟେକ ଶିଶୁ ମାଗଣାରେ ପ୍ରାଥମିକ ଶିକ୍ଷା ପାଆନ୍ତୁ ବୋଲି ସେ ବ୍ୟବସ୍ଥା କରିଥିଲେ। ଏହାଛଡ଼ା ଏମ୍‌ସ୍‌, ଆଇଆଇଟି ଏବଂ ଆଆଇଏମ୍‌ ଭଳି ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନ ସବୁ ପ୍ରତିଷ୍ଠା କରିଥିଲେ।

ସମ୍ବନ୍ଧିତ ଖବର