କାଠୁଆ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଲେ ଆମେ କି ପ୍ରକାର ସମାଜ ବିକାଶ କରୁଛୁ?
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୟାବହ କାଠୁଆ ଗଣଦୁଷ୍କର୍ମ ଓ ହତ୍ୟାକୁ ନିନ୍ଦା କରିବା ସହ ବିସ୍ମୟ ପ୍ରକାଶ କରି କହିଛନ୍ତି: ଭାରତ କି ପ୍ରକାର ସମାଜ ବିକାଶ କରୁଛି।
ସେ ଆଠ ବର୍ଷୀୟ କଶ୍ମୀରୀ ଝିଅ ସହ ଗଣଦୁଷ୍କର୍ମ ଓ ହତ୍ୟା ବିଷୟରେ ଆହୁରି କହିବାକୁ ଯାଇ କହିଛନ୍ତି ଯେ ସ୍ୱାଧୀନତାର ୭୦ ବର୍ଷ ହେବ ସ୍ୱାଧୀନ ହୋଇଥିବା ଦେଶରେ ଏ ଭଳି ଏକ ଘଟଣା ଘଟିବା ଲଜ୍ଜାକର।
ଜମ୍ମୁ ଏବଂ କଶ୍ମୀର ଅନ୍ତର୍ଗତ କର୍ତା ଠାରେ ଥିବା ଶ୍ରୀମାତା ବୈଷ୍ଣୌଦେବୀ ବିଶ୍ୱବିଦ୍ୟାଳୟରେ ଷଷ୍ଠ ଦୀକ୍ଷାନ୍ତ ସମାରୋହ ଅଭିଭାଷଣରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଲେ: ସ୍ୱାଧୀନତାର ୭୦ ବର୍ଷ ପରେ ଦେଶର ଯେ କୌଣସି ସ୍ଥାନରେ ଏ ଭଳି ଘଟଣା ଘଟିବା ଲଜ୍ଜାଜନକ। ଆମେ ଭାବିବା କଥା ଆମେ କି ପ୍ରକାର ସମାଜ ବିକାଶ କରୁଛୁ। କୌଣସି ଝିଅ କି ମହିଳାଙ୍କ ପ୍ରତି ଏ ଭଳି ଘଟଣା ନ ଘଟୁ ବୋଲି ନିଶ୍ଚିତ କରିବା ଆମର ଦାୟିତ୍ୱ।
ରାଷ୍ଟ୍ରପତିଙ୍କ ଅଭିଭାଷଣ ପୂର୍ବରୁ ଜମ୍ମୁ ଏବଂ କଶ୍ମୀରର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ମଧ୍ୟ କାଠୁଆ ଗଣଦୁଷ୍କର୍ମ ଓ ହତ୍ୟା ବିରୋଧରେ ମତ ରଖିଥିଲେ।
ଦୀକ୍ଷାନ୍ତ କାର୍ଯ୍ୟକ୍ରମରେ ମୁଫ୍ତି କହିଲେ: ମାତା ବୈଷ୍ଣୌଦେବୀଙ୍କ ରୂପ ହୋଇଥିବା ଗୋଟିଏ ଛୋଟ ବାଳିକା ପ୍ରତି ଏ ଭଳି ନିଷ୍ଠୁରତା ଜଣେ କେମିତି କରିପାରେ? ଆମ ସମାଜରେ କିଛି ଭୁଲ୍ ଭଟକା ରହି ଯାଉଛି।