ସ୍ବତନ୍ତ୍ର ଟ୍ରେନ୍‌ରେ ଅଯୋଧ୍ୟା ଯାଇ ରାମ ମନ୍ଦିର ନିର୍ମାଣସ୍ଥଳ ପରିଦର୍ଶନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଅଗଷ୍ଟ ୨୬ ରୁ ୨୯ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍ତର ପ୍ରଦେଶର ଲକ୍ଷ୍ନୌ, ଗୋରଖପୁର ଏବଂ ଅଯୋଧ୍ୟା ସହର ଗସ୍ତରେ ଯିବା ପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଥିବା କଥା ମଙ୍ଗଳବାର ଦିନ ରାଷ୍ଟ୍ରପତିଙ୍କ ସଚିବାଳୟ ସୂଚନା ଦେଇଛି। ଅଗଷ୍ଟ ୨୯ ତାରିଖ ଦିନ ରାଷ୍ଟ୍ରପତି ଏକ ସ୍ବତନ୍ତ୍ର ରେଳ ଯୋଗେ ଲକ୍ଷ୍ନୌରୁ ଅଯୋଧ୍ୟା ଯାଇ ରାମ ମନ୍ଦିର ନିର୍ମାଣସ୍ଥଳ ପରିଦର୍ଶନ କରିବା ସହ ପୂଜାପାଠ କରିବେ।

ଅଯୋଧ୍ୟାରେ ‘ତୁଳସୀ ସ୍ମାରକ ଭବନ’ ଏବଂ ‘ନଗର ବସ୍‌ଷ୍ଟାଣ୍ଡ୍‌’ର ବିକାଶ ଏବଂ ‘ଅଯୋଧ୍ୟା ଧାମ’ର ନବିକରଣ/ନିର୍ମାଣ କାର୍ଯ୍ୟ ସମେତ ଯୋଗୀ ଆଦିତ୍ୟନାଥ ନେତୃତ୍ବାଧୀନ ଉତ୍ତର ପ୍ରଦେଶ ସରକାରଙ୍କର କେତେକ ପ୍ରକଳ୍ପର ମଧ୍ୟ ସେ ଶୁଭାରମ୍ଭ କରିବେ।

Image Courtesy of Zee News

ଆନୁଷ୍ଠାନିକ ବିବୃତିରୁ ପ୍ରାପ୍ତ ସୂଚନା ଅନୁସାରେ, ଅଗଷ୍ଟ ୨୬ ଓ ୨୭ ତାରିଖ ଦିନ ରାଷ୍ଟ୍ରପତି ଲକ୍ଷ୍ନୌରେ ରହି ଦୁଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଏବଂ ଉତ୍ତର ପ୍ରଦେଶର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଡକ୍ଟର୍ ସମ୍ପୂର୍ଣ୍ଣାନନ୍ଦଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ସେ ମଧ୍ୟ ଲକ୍ଷ୍ନୌସ୍ଥିତ ‘କ୍ୟାପ୍‌ଟେନ୍‌ ମନୋଜ ପାଣ୍ଡେ ସୈନିକ ସ୍କୁଲ୍‌’ରେ ଏକ ଅଡିଟରିୟମ୍‌ ଉଦ୍‌ଘାଟନ କରିବେ।

ଅଗଷ୍ଟ ୨୮ ତାରିଖ ଦିନ ରାଷ୍ଟ୍ରପତି କୋବିନ୍ଦ ଗୋରଖପୁରରେ ‘ମହାଯୋଗୀ ଗୁରୁ ଗୋରଖନାଥ ଆୟୁଷ ମହାବିଦ୍ୟାଳୟ’ର ଶିଳାନ୍ୟାସ କରିବା ସହ ‘ମହାଯୋଗୀ ଗୋରଖନାଥ ବିଶ୍ବବିଦ୍ୟାଳୟ’ ଉଦ୍‌ଘାଟନ କରିବେ।

ସମ୍ବନ୍ଧିତ ଖବର