ଭୁବନେଶ୍ବର : ଆସନ୍ତା ଡିସେମ୍ବର ୮ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସିବେ। ଦୁଇଟି ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ବରୁଣେଇ ଠାରେ ବହୁ ପ୍ରତୀକ୍ଷିତ ପାଇକ ବିଦ୍ରୋହ ସ୍ମାରକୀର ରାଷ୍ଟ୍ରପତି ଶିଳାନ୍ୟାସ କରିବେ। ତାହା ପରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ସମାରୋହର ସ୍ବତନ୍ତ୍ର ଉତ୍ସବ‌େର ଯୋଗ ଦେବେ। ଶ୍ରୀ କୋବିନ୍ଦ ରାଷ୍ଟ୍ରପତି ହେଲା ପରେ ଏହା ହେବ ତାଙ୍କର ତୃତୀୟ ଓଡ଼ିଶା ଗସ୍ତ।

Advertisment

ବରୁଣେଇ କାର୍ଯ୍ୟକ୍ରମ ସମ୍ପର୍କରେ ସରକାରୀ ଭାବେ କୌଣସି ସୂଚନା ଦିଆଯାଇ ନ ଥିଲେ ବି ଉତ୍କଳ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେବା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ପ୍ଲାଟିନମ୍‌ ଜୁବୁଲି ଉତ୍ସବ ପାଳନ ଆମମାନଙ୍କ ପାଇଁ ଗର୍ବ ଓ ଗୌରବର କଥା। ଏବେ ୫ ଦିନ ଧରି ଉତ୍ସବ ପାଳନ କରାଯାଉଛି। ୮ ତାରିଖରେ ରାଷ୍ଟ୍ରପତି ଯୋଗଦେବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇ ନଥି‌ଲେ ମଧ୍ୟ ଅପରାହ୍‌ଣରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ବତନ୍ତ୍ର ଉତ୍ସବରେ ଉପସ୍ଥିତ ରହିବେ। ବର୍ତମାନର ଛାତ୍ରଛାତ୍ରୀଙ୍କ ସମେତ ପୂର୍ବତନ ଛାତ୍ରଛାତ୍ରୀ, ପ୍ରଫେସର, କର୍ମଚାରୀମାନେ ସାମିଲ ହୋ‌ଇ ଉତ୍ସବକୁ ସଫଳ କରିବା ପାଇଁ ‌ଶ୍ରୀ ସାହୁ ଅନୁରୋଧ କରିଛନ୍ତି। ସେହିପରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ଲାଟିନମ୍‌ ଜୁବୁଲି ଉତ୍ସବରେ ରାଷ୍ଟ୍ରପତି ଯୋଗଦେବା ଆମମାନଙ୍କ ପାଇଁ ଗୌରବର କଥା। ୭୫ ବର୍ଷର ଯାତ୍ରା ମଧ୍ୟରେ ଏହି କ୍ୟାମ୍ପସକୁ ବିଭିନ୍ନ ସମୟରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଆସିଛନ୍ତି। ତେବେ ପ୍ଲାଟିନମ୍‌ ଜୁବୁଲି ଉତ୍ସବରେ ରାଷ୍ଟ୍ରପତିଙ୍କ ଯୋଗଦାନ ଯେ ବିଶ୍ବବିଦ୍ୟାଳୟର ଗୌରବ ବୃଦ୍ଧି କରିବ, ଏଥିରେ ସନ୍ଦେହ ନାହିଁ।