ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟୀ ଭାଷଣ: ମହାନ ଗଣତନ୍ତ୍ରକୁ ସାଲ୍ୟୁଟ୍‌ କରୁଛି

ପରିବେଶର ଯତ୍ନ ନିଅ, ପ୍ରତିଦିନ ଗାନ୍ଧୀଙ୍କ କଥା ସ୍ମରଣ କର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବିଦାୟୀ ଭାଷଣ ଦେବା ସହିତ ତାଙ୍କ କାର୍ଯ୍ୟକାଳ ସମୟରେ ଦେଶବାସୀଙ୍କଠାରୁ ମିଳିଥିବା ସହଯୋଗ, ସମର୍ଥନ ଓ ଆଶୀର୍ବାଦ ପାଇଁ କୃତଜ୍ଞତା ଜଣାଇଛନ୍ତି ଏବଂ ଦେଶର ଜୀବନ୍ତ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସାଲ୍ୟୁଟ୍‌ କରିଛନ୍ତି। ବିଦାୟୀ ଭାଷଣରେ ରାଷ୍ଟ୍ରପତି କେତେକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଜଳବାୟୁ ସଙ୍କଟ ପୃଥିବୀର ଭବିଷ୍ୟତକୁ ବିପଦରେ ପକାଇ ପାରେ। ତେଣୁ ଆମ ପିଲାମାନଙ୍କ ପାଇଁ ଆମକୁ ଆମ ପରିବେଶ ଯଥା ଭୂମି, ବାୟୁ ଏବଂ ଜଳର ଯତ୍ନ ନେବା ଆବଶ୍ୟକ। ଆମ ଦୈନନ୍ଦିନ ଜୀବନରେ ଗଛ, ନଦୀ, ସମୁଦ୍ର ଏବଂ ପର୍ବତ ଏବଂ ସମସ୍ତ ସଜୀବଙ୍କ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ଦେଶର ପ୍ରଥମ ନାଗରିକ ଭାବେ ଯଦି ‌ଆପଣମାନଙ୍କୁ ମୋର କିଛି ଉପଦେଶ ଦେବାର ଥାଏ ତାହେଲେ ଏହା ହିଁ ମୋର ଉପଦେଶ ବୋଲି ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି।

ନିଜର ରାଷ୍ଟପ୍ରତି ପଦରେ ଥିବା ୫ ବର୍ଷର କାର୍ଯ୍ୟକାଳ ସମ୍ପର୍କରେ ଅବତାରଣା କରି ସେ କହିଛନ୍ତି ଯେ ଦାୟିତ୍ବ ସମ୍ପାଦନ ପାଇଁ ମୁଁ ମୋ ଦକ୍ଷତାର ପୂର୍ଣ୍ଣ ବିନିଯୋଗ କରିଛି। ଡ ରା‌ଜେନ୍ଦ୍ର ପ୍ରସାଦ, ଡ ଏସ ରାଧାକ୍ରିଷ୍ଣନ, ଡ ଏପିଜେ ଅବଦୁଲ କଲାମଙ୍କର ଉତ୍ତରାଧିକାରୀ ହୋଇଥିବା ବିଷୟରେ ମୁଁ ସର୍ବଦା ସଚେତନ ଥିଲି। ଯେତେବେଳେ ମୁଁ ରା‌ଷ୍ଟ୍ରପତି ଭବନକୁ ପ୍ରବେଶ କଲି ସେତେବେଳେ ମୋର ପୂର୍ବସୂରୀ ପ୍ରଣବ ମୁଖାର୍ଜୀ ମୋ’ କର୍ତ୍ତବ୍ୟ ସମ୍ପର୍କରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ତଥାପି ମୁଁ ଯେତେବେଳେ ଦ୍ବନ୍ଦ୍ବରେ ପଡ଼ୁଥିଲି ସେତେବେଳେ ମୁଁ ଗାନ୍ଧୀଜୀ ଏବଂ ତାଙ୍କର ପ୍ରସିଦ୍ଧ କବଚ କଥା ମନେ ପକାଉଥିଲି। ତେଣୁ ଗାନ୍ଧୀଜୀଙ୍କ ଜୀବନ ଓ ଶିକ୍ଷା ସମ୍ପର୍କରେ ପ୍ରତିଦିନ ଅନ୍ତତଃପକ୍ଷେ କିଛି ମିନିଟ ପାଇଁ ଚିନ୍ତା କରିବାକୁ ସେ ଦେଶବାସୀଙ୍କୁ କହିଛନ୍ତି। ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ସହିତ ସେମାନଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉପରେ ରାଷ୍ଟ୍ରପତି ଗୁରୁତ୍ବାରୋପ କରିଛନ୍ତି। ଶିକ୍ଷା ଏବଂ ସ୍ବାସ୍ଥ୍ୟ ସେବା ଠିକ୍‌ ରହିଲେ ଆର୍ଥିକ ସଂସ୍କାର ନାଗରିକମାନଙ୍କୁ ଉତ୍ତମ ଜୀବନ ଜିଇଁବାରେ ସହାୟକ ହେବ। ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀରେ ପରିଣତ କରିବା ପାଇଁ ଭାରତ ଭଲ ଭାବେ ପ୍ରସ୍ତୁତି ଚଳାଇଥିବା ନେଇ ସେ ଦୃଢ଼ ବିଶ୍ବାସୀ ଥିବା କହିଛନ୍ତି।

ଦେଶର ସମ୍ବିଧାନକୁ ସ୍ବୀକୃତି ଦିଆଯିବା ସମୟରେ ସାମ୍ବିଧାନିକ ସଭାରେ ଡ ଭୀମରାଓ ଆମ୍ବେଦକର ଦୁଇ ପ୍ରକାରର ଗଣତନ୍ତ୍ରର ପ୍ରାର୍ଥକ୍ୟ ସଂପର୍କରେ କହିଥିଲେ। ସେ କହିଥିଲେ, କେବଳ ରାଜନୈତିକ ଗଣତନ୍ତ୍ରରେ ଆମେ ସନ୍ତୁଷ୍ଟ ହେବା ଉଚିତ ନୁହେଁ। ଆମର ରାଜନୈତିକ ଗଣତନ୍ତ୍ରକୁ ସାମାଜିକ ଗଣତନ୍ତ୍ରରେ ପରିଣତ କରିବା ଆବଶ୍ୟକ। ଭିତ୍ତିଭୂମି ଭାବେ ସାମାଜିକ ଗଣତନ୍ତ୍ର ନରହିଲେ ରାଜନୈତିକ ଗଣତନ୍ତ୍ର ତିଷ୍ଠିବ ନାହିଁ। ସାମାଜିକ ଗଣତନ୍ତ୍ର କହିଲେ ଜୀବନରେ ସ୍ବାଧୀନତା, ସମାନତା ଏବଂ ଭାଇଚାରା ନୀତିକୁ ବୁଝାଏ। ଏଥିରୁ ଗୋଟିଏକୁ ବାଦ ଦିଆଗଲେ ଗଣତନ୍ତ୍ରର ମୂଳ ଉଦ୍ଦେଶ୍ୟ ସାଧିତ ହୋଇ ନଥାଏ ବୋଲି ଆମ୍ବେଦକର କହିଥିବା କଥା ରାଷ୍ଟ୍ରପତି କୋବିନ୍ଦ ମନେ ପକାଇ ଦେଇଛନ୍ତି। ପାଞ୍ଚ ବର୍ଷ ପୂର୍ବେ ଆପଣମାନେ ଆପଣମାନଙ୍କ ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟମରେ ମୋତେ ରାଷ୍ଟ୍ରପତି କରି ମୋ ଉପରେ ଆସ୍ଥା ସ୍ଥାପନ କରିଥିଲେ। ମୋର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ମୁଁ ଦେଶର ସବୁ ନାଗରିକ ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କୁ ଗଭୀର କୃତଜ୍ଞତା ଜଣାଉଛି। ଦାୟିତ୍ବ ସଂପାଦନ ପାଇଁ ମୁଁ ସବୁ ବର୍ଗର ପୂର୍ଣ୍ଣ ସମର୍ଥନ ଓ ଆଶୀର୍ବାଦ ପାଇଛି ବୋଲି କୋବିନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର