ନାଗରିକତା ଆଇନ ଐତିହାସିକ: ରାଷ୍ଟ୍ରପତି

ସିଏଏକୁ ବିରୋଧ ନାମରେ ଦେଶକୁ ଦୁର୍ବଳ କରୁଛି ହିଂସା, ଶାସକ ଦଳର ପ୍ରଶଂସା, ବିରୋଧୀ ଦଳର ପ୍ରତିବାଦ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଐତିହାସିକ ବୋଲି କହିଛନ୍ତି। ଆଜି ବଜେଟ୍‌ ଅଧିବେଶନର ପ୍ରଥମ ଦିବସରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଏହି ଆଇନକୁ ବିରୋଧ କରିବା ନାମରେ ଯେଭଳି ଭାବେ ହିଂସା ହେଉଛି ତାହା ଦେଶକୁ ଦୁର୍ବଳ କରୁଛି। ସରକାର ନାଗରିକତା ସଂଶୋଧନ ଆଇନ ତିଆରି କରି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଇଚ୍ଛା ପୂରଣ କରିଛନ୍ତି। ତେବେ ସିଏଏ ସଂପର୍କରେ ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟକୁ ଶାସକ ଦଳର ସଭ୍ୟମାନେ ପ୍ରଶଂସା କରିଥିବାବେଳେ ବିରୋଧୀ ଦଳ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି।

ଦେଶରେ ସିଏଏ ଲାଗୁ ହେବା ସଂପର୍କରେ ରାଷ୍ଟ୍ରପତି କହିଲେ; ଦେଶର ବିଭାଜନ ପରେ ଯେଉଁ ପରିସ୍ଥିତି ଉପୁଜିଥିଲା; ତା’କୁ ଦୃଷ୍ଟିରେ ରଖି ସେତେବେଳେ ମହାତ୍ମା ଗାନ୍ଧୀ କହିଥିଲେ ଯେ ପାକିସ୍ତାନରେ ଯେଉଁ ହିନ୍ଦୁ, ଶିଖ୍‌ମାନେ ରହିବାକୁ ଚାହିବେ ନାହିଁ ସେମାନେ ଭାରତ ଆସିପାରିବେ। ସେମାନଙ୍କୁ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବା ଭାରତ ସରକାରଙ୍କ କର୍ତ୍ତବ୍ୟ। ଗାନ୍ଧୀଜୀଙ୍କ ଏହି ବିଚାରକୁ ସମର୍ଥନ କରି ବିଭିନ୍ନ ସମୟରେ ରାଜନୈତିକ ଦଳମାନେ ଏହାକୁ ଆଗକୁ ବଢ଼ାଇଛନ୍ତି। ଆମକୁ ରାଷ୍ଟ୍ର ନିର୍ମାତାଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ହେବ। ତେଣୁ ସଂସଦ ଦ୍ବାରା ନାଗରିକତା ସଂଶୋଧନ ଆଇନ ତିଆରି କରି ମହାତ୍ମା ଗାନ୍ଧୀଙ୍କ ଇଚ୍ଛା ପୂରଣ କରାଯାଇଛି।

ରାଷ୍ଟ୍ରପତି ସିଏଏକୁ ପ୍ରଶଂସା କରି କହିବା ପରେ ଶାସକ ଦଳର ସଦସ୍ୟମାନେ ଦୀର୍ଘ ସମୟ ଧରି ତାଳି ବଜାଇ ଏହାକୁ ଜୋ‌ରଦାର ସ୍ବାଗତ କରିଥିଲେ। ତେବେ ବିରୋଧୀ ଦଳର ସଦସ୍ୟମାନେ ରାଷ୍ଟ୍ରପତିଙ୍କ ବକ୍ତବ୍ୟକୁ ବିରୋଧ କରି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଫଳରେ କିଛି ସମୟ ପାଇଁ ରାଷ୍ଟ୍ରପତି ଭାଷଣ ଦେବାରେ ବାଧା ସୃଷ୍ଟି ହୋଇଥିଲା।

ସୀମାପାର ଆତଙ୍କବାଦ ପ୍ରସଙ୍ଗରେ ରାଷ୍ଟ୍ରପତି କହିଥିଲେ ଯେ ସରକାର ଏବେ ଆତଙ୍କବାଦକୁ ରୋକିବା ଦିଗରେ କଠୋର ପଦକ୍ଷେପ ନେଉଛନ୍ତି ଏବଂ ସୁରକ୍ଷା ବାହିନୀକୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି।

ସେହିପରି ଦେଶର ବିକାଶ ପ୍ରସଙ୍ଗରେ ରାଷ୍ଟ୍ରପତି କହିଥିଲେ ଯେ ସରକାରଙ୍କ ଦ୍ବାରା ବିଗତ ୫ ବର୍ଷ ମଧ୍ୟରେ ତୃଣମୂଳସ୍ତରରେ ନିଆଯାଇଥିବା ଅନେକ ପଦକ୍ଷେପ ଲୋକଙ୍କ ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହୋଇଛି। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ବ୍ୟାପକ ପ୍ରୟାସ ଯୋଗୁଁ ଅନେକ ସୁଫଳ ମିଳିଛି ଏବଂ ଏହାର ପରିଣାମ ସ୍ବରୂପ ଅନେକ କ୍ଷେତ୍ରରେ ଭାରତର ଅନ୍ତର୍ଜାତୀୟ ରୢଙ୍କିଙ୍ଗ୍‌ରେ ସୁଧାର ଆସିଛି। ବିଗତ ୭ ମାସ ମଧ୍ୟରେ ସଂସଦରେ ହୋଇଥିବା କାର୍ଯ୍ୟ ନୂଆ ଉଦାହରଣ ସୃଷ୍ଟି କରିଛି। ବିଗତ ୫ ବର୍ଷରେ ସରକାରଙ୍କ ପ୍ରୟାସ ଏହି ଦଶକକୁ ଭାରତର ଦଶକ ଏବଂ ଏହି ଶତାବ୍ଦୀକୁ ଭାରତର ଶତାବ୍ଦୀ କରିବା ପାଇଁ ମଜବୁତ ଭିତ୍ତି ସୃଷ୍ଟି କରିଛି ବୋଲି ରାଷ୍ଟ୍ରପତି କହିଥିଲେ।

ସମ୍ବନ୍ଧିତ ଖବର