ନିର୍ଭୟା ଦୋଷୀ ପବନ କୁମାରର ରାଜକ୍ଷମା ଆବେଦନ ଖାରଜ କ‌ଲେ ରାଷ୍ଟ୍ରପତି !

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ୍ କୁମାର ଗୁପ୍ତାର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିବା ସୂଚନା ରହିଛି।  ତେବେ ସୋମବାର ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ  । ଏହା ଫଳରେ ଆସନ୍ତାକାଲି (ମାର୍ଚ୍ଚ ୩ ତାରିଖରେ) ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପବନ୍ କୁମାର ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ ଠାକୁର (୩୧)ଫାଶୀ ଖୁଣ୍ଟରେ ଝୁଲିବେ ବୋଲି ଏଯାବତ୍ ଏକପ୍ରକାର ନିଶ୍ଚିତ ହୋଇଛି। ସେମାନଙ୍କ ପାଖରେ ଫାଶୀକୁ ବିଳମ୍ବିତ କରିବା ଲାଗି ଆଉ କୌଣସି ନ୍ୟାୟିକ ବିକଳ୍ପ ଆପାତତଃ ନାହିଁ ବୋଲି କୁହାଯାଉଛି।

ଆଜି ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ ହେବା ପରେ ପବନ କୁମାର ଗୁପ୍ତା ରାଜକ୍ଷମା ଲାଗି ରାଷ୍ଟ୍ରପତିଙ୍କୁ ଆବେଦନ କରିଥିଲା।  ଆଜି ପୂର୍ବାହ୍ନରେ ସୁପ୍ରିମ୍‌ କୋର୍ଟଙ୍କ ପାଞ୍ଚଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ପବନ କୁମାର ଗୁପ୍ତଙ୍କ କ୍ୟୁରେଟିଭ୍‌ ପିଟିସନ୍‌କୁ ଖାରଜ କରିଥିଲେ। ୨୦୧୨ ଡିସେମ୍ବର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅନ୍ୟ ତିନି ଦୋଷୀଙ୍କ ସହ ଫାଶୀ ପାଇବାର ଗୋଟିଏ ଦିନ ଆଗରୁ ପବନ ରାଜକ୍ଷମା ଲାଗି ଆବେଦନ କରିଥିଲା, ଯାହା ଏବେ ଖାରଜ ହୋଇଯାଇଛି।

ଅନ୍ୟପକ୍ଷରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୁଇ ଦୋଷୀ ଅକ୍ଷୟ ଓ ପବନ୍ ଗତ ୨୯ ତାରିଖରେ ସେମାନଙ୍କ ମୃତ୍ୟୁ ପରୱାନା ଉପରେ ରୋକ ଲଗାଇବା ଲାଗି କରିଥିବା ଆବେଦନକୁ ଆଜି ପଟିଆଲା ହାଉସ୍ କୋର୍ଟ ଖାରଜ କରି ଦେଇଛନ୍ତି। ଶନିବାର ଦୋଷୀ ଅକ୍ଷୟ ଠାକୁର ପୁଣି ଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜକ୍ଷମା ଆବେଦନ କରିଥିଲା।  ସେହିଭଳି ଶନିବାର ଦୋଷୀ ପବନ କୁମାର ଗୁପ୍ତା ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଥିଲା। ୩ ମାର୍ଚରେ ଫାଶୀ ପୂର୍ବରୁ ପବନ ଗୁପ୍ତା ତା’ର ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ନିବେଦନ କରିଥିଲା। ଏହି ଦୁଇ ଆବେଦନକୁ ଦର୍ଶାଇ ଦୋଷୀ ପୱନ୍ ଓ ଅକ୍ଷୟଙ୍କ ଓକିଲ ମୃତ୍ୟୁ ପରୱାନା ଉପରେ ରହିତାଦେଶ ଲାଗି ଆବେଦନ କରିଥିଲେ। ଆଜି ସୁପ୍ରିମକୋର୍ଟ ପବନ ଗୁପ୍ତାର କ୍ୟୁରେଟିଭ୍ ପିଟିସନକୁ ଖାରଜ କରିବା ପ‌ରେ ଟ୍ରାଏଲ୍ କୋର୍ଟ ମଧ୍ୟ ମୃତ୍ୟୁ ପରୱାନା ଉପରେ ରୋକ ଲାଗି କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି। ବର୍ତ୍ତମାନ ପବନର ରାଜକ୍ଷମା ଆବେଦନ ଖାରଜ ହେବା ପରେ ଆସନ୍ତାକାଳି ୪ ଅପରାଧୀଙ୍କ ଫାଶୀ ଏକପ୍ରକାର ନିଶ୍ଚିତ ହୋଇଯାଇଛି।

ସୂଚନାଯୋଗ୍ୟ, ୨୦୧୨ ଡିସେମ୍ବର ୧୬ରେ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଦିଲ୍ଲୀର ଏକ ଚଳନ୍ତା ବସରେ ୬ ଜଣ ଯୁବକ ଦୁଷ୍କର୍ମ କରିବା ସହ ଆକ୍ରମଣ କରି ଗୁରୁତର କରି ଦେଇଥିଲେ। ଗୁରୁତର ଅବସ୍ଥାରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ନିର୍ଭୟାଙ୍କର ମୃତ୍ୟୁ ହୋଇଯାଇଥିଲା। ମୁକେଶ , ପୱନ, ବିନୟ ଏବଂ ଅକ୍ଷୟ କୁମାର ସମେତ ରାମ ସିଂହ ଓ ଅନ୍ୟ ଜଣେ ନାବାଳକ ଏଥିରେ ସମ୍ପୃକ୍ତ ଥିଲେ। ୨୦୧୩ରେ ଏକ ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍‌ କୋର୍ଟରେ ଏହି ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣି ଆରମ୍ଭ ହୋଇଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ରାମ ସିଂହ ତିହାର ଜେଲରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲା। ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାମିଲ ଥିବା ନାବାଳକ ଦୋଷୀକୁ ୩ ବର୍ଷ ସୁଧାର ଗୃହ‌ରେ ରଖାଯିବା ପରେ ୨୦୧୫ରେ ମୁକ୍ତ କରି ଦିଆଯାଇଥିଲା।

ସମ୍ବନ୍ଧିତ ଖବର