ପଶ୍ଚିମବଙ୍ଗରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ

ଦାବି ହେଲେ ବିଚାର କରିବ କେନ୍ଦ୍ର: ରାଜ୍ୟପାଳ

ନୂଆଦିଲ୍ଲୀ/କୋଲକାତା,ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଭୀଷଣ ରୂପ‌ ନେଇଥିବା ବେଳେ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଉଭୟଙ୍କୁ ଭେଟିସାରିବା ପରେ ରାଜ୍ୟପାଳ ଶ୍ରୀ ତ୍ରିପାଠୀ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି କହିଛନ୍ତି। କିନ୍ତୁ ରାଜ୍ୟପାଳ ଘରୋଇ ଇଣ୍ଡିଆ ଟୁଡେ ଟିଭିକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ ପଶ୍ଚିମବଙ୍ଗରେ ପରିସ୍ଥିତି ଆଉ ବିଗିଡ଼ିଲେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରିବାର ଆବଶ୍ୟକତା ଦେଖା‌ଦେଇପାରେ ବୋଲି କହିଛନ୍ତି। ଏହି ସାକ୍ଷାତକାରରେ ସେ କହିଛନ୍ତି, ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ସେ ପଶ୍ଚିମବଙ୍ଗର ସାଂପ୍ରତିକ ପରିସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ନିର୍ବାଚନ ପରେ ରାଜ୍ୟରେ ହିଂସା ଯୋଗୁ ପ୍ରାୟ ୧ ଡଜନ ଲୋକଙ୍କ ପ୍ରାଣହାନି ଘଟିଲାଣି। ତେବେ ପ୍ରଧାନମନ୍ତ୍ରୀଙ୍କ ସହିତ ସେ ରାଷ୍ଟ୍ରପତି ଶାସନ ଲାଗୁ ନେଇ କୌଣସି ଆଲୋଚନା କରିନାହାନ୍ତି ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସେ ସବୁ ଦଳକୁ ଅନୁରୋଧ କରିଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ପରାମର୍ଶକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଥିବା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ତ୍ରିପାଠୀ କହିଛନ୍ତି, ପରାମର୍ଶ ଜାରି କରିବା ଅଧିକାର କେନ୍ଦ୍ର ସରକାରଙ୍କର ରହିଛି। ଏହାକୁ ବିଚାର କରିବା ବିଷୟ ହେଉଛି ରାଜ୍ୟ ସରକାରଙ୍କର। ତେଣୁ ତାଙ୍କର ଏଥିରେ କୌଣସି ଭୂମିକା ନାହିଁ। ବିଜେପି ନେତା କୈଳାସ ବିଜୟବର୍ଗୀୟ କହିଛନ୍ତି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଆଉ ଟିକେ ଖରାପ ହେଲେ ସେମାନେ ରାଷ୍ଟ୍ରପତି ଶାସନ ପାଇଁ ଦାବି କରିବେ। ଏହା ଉପରେ ତାଙ୍କର ମତ ଲୋଡ଼ାଯିବାରୁ ରାଜ୍ୟପାଳ କହିଥିଲେ, ତାହା ହୋଇପାରେ। ଯେତେବେଳେ ଦାବି ହେବ ସେତେବେଳେ କେନ୍ଦ୍ର ସରକାର ବିଚାର କରିବେ। କିନ୍ତୁ ସେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସହିତ ରାଷ୍ଟ୍ରପତି ଶାସନ ଜାରି ନେଇ କୌଣସି ଆଲୋଚନା କରିନାହାନ୍ତି।

ସମ୍ବନ୍ଧିତ ଖବର