ରାଷ୍ଟ୍ରପତିଙ୍କ ଅଭିଭାଷଣରେ କିଛି ନୂତନତା ନାହିଁ: ବିଜେଡି

ବିକାଶକୁ ନେଇ ସରକାରଙ୍କ ଦୃଷ୍ଟିକୋଣ ପ୍ରତିଫଳିତ ହୋଇଛି: ବିଜେପି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେଇ କେନ୍ଦ୍ର ସରକାରଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ଉପସ୍ଥାପନ କରିଛନ୍ତି। ତେବେ ଏହି ଅଭିଭାଷଣରେ କିଛି ନୂତନତା ନାହିଁ ବୋଲି ଆଜି ବିଜେଡି ସା‌ଂସଦମାନେ ନିଜ ପ୍ରତିକ୍ରିୟାରେ କହିଥିବାବେଳେ ବିକାଶକୁ ନେଇ ସରକାରଙ୍କ ଦୃଷ୍ଟିକୋଣ ପ୍ରତିଫଳିତ ହୋଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ରାଷ୍ଟ୍ରପତି କୋବିନ୍ଦଙ୍କର ଏହି ମିଳିତ ଅଧିବେଶନ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ। ସୋମବାର, ମଙ୍ଗଳବାର ଦିନ ଲୋକସଭାରେ ଏବଂ ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ବିତର୍କ ଶେଷରେ ବିରୋଧୀମାନେ ଉଠାଇଥିବା ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ଉତ୍ତର ରଖିବେ। ଏଥି ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଓଡ଼ିଶାର ବିଜେଡି, ବିଜେପି ଓ କଂଗ୍ରେସ ସାଂସଦମାନେ ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ କହିବା ଅନୁଯାୟୀ ରାଷ୍ଟ୍ରପତିଙ୍କ ଅଭିଭାଷଣରେ କୌଣସି ବିଶେଷତ୍ବ ବା ନୂତନତା ନ ଥିଲା। ଏହା ଏକ ଧାରାବାହିକ ପାରମ୍ପରିକ ଭାଷଣ ଥିଲା। ୨୦୧୪ରେ ରାଷ୍ଟ୍ରପତି ଦେଇଥିବା ଭାଷଣ କାର୍ଯ୍ୟରେ ପ୍ରତିଫଳିତ ହୋଇନାହିଁ। ଆଜି ରାଷ୍ଟ୍ରପତି ଯେଉଁ ଭାଷଣ ଦେଲେ ସେଥିରେ ବହୁ ନୂଆ ଯୋଜନା କଥା କହିଲେ, କିନ୍ତୁ ସେସବୁ କାର୍ଯ୍ୟକାରୀ ହେବା ଦରକାର। ଚାଷ ଓ ଚାଷୀ ସମସ୍ୟା କଥା କହିଲେ କିନ୍ତୁ ଏମଏସ୍‌ପି ବୃଦ୍ଧି କଥା କହିଲେ ନାହିଁ। ଓଡ଼ିଶା ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି କିନ୍ତୁ ଏ ସମ୍ପର୍କରେ ଅଭିଭାଷଣରେ କୌଣସି ଉଲ୍ଲେଖ ନ ଥିଲା। ରାଷ୍ଟ୍ରପତିଙ୍କ ଅଭିଭାଷଣ ଜରିଆରେ ସରକାରଙ୍କ ଯୋଜନାର କୌଣସି ନିର୍ଦ୍ଦିଷ୍ଟ ପ୍ରତିଫଳନ ନ ଥିଲା। ବେକାରୀ ସମସ୍ୟା, ନିଯୁକ୍ତି ସମସ୍ୟା ଉପରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ କୌଣସି ସ୍ଥାନ ନ ଥିଲା ବୋଲି ଶ୍ରୀ ଆଚାର୍ଯ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟ ବିଜେଡି ସାଂସଦମାନଙ୍କ କହିବା ଅନୁସାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସରକାରୀ ଦଳର ପ୍ରଚାର। ବହୁ ହିତକର ଯୋଜନା କଥା କହିଛନ୍ତି କିନ୍ତୁ ସମୟ କହିବ ତାହା କେତେ ବାସ୍ତବତାରେ ପରିଣତ ହେବ।

ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ରଙ୍କ କହିବା ଅନୁସାରେ ଧନ୍ୟବାଦ ପ୍ରସ୍ତାବରେ ଫନି କ୍ଷୟକ୍ଷତି ଭଳି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ; ଯାହା ଆଜିର ରାଷ୍ଟ୍ରପତିଙ୍କ ଅଭିଭାଷଣରେ ପ୍ରତିଫଳିତ ହୋଇନାହିଁ ।

ଅପରପକ୍ଷେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ସ୍ବାଗତ କରି ଏହା ଚମତ୍କାର ଥିଲା ବୋଲି କହିଛନ୍ତି। ସରକାରଙ୍କ ସମସ୍ତ ଉପଲବ୍ଧି ଆଗାମୀ ମିଶନ, ଭିଜନ, ଏଥିରେ ସବୁ ପ୍ରତିଫଳିତ ହେବା ସହ ସବ୍ କା ସାଥ୍, ସବ୍ କା ବିକାଶ ଏଥିରେ ପ୍ରତିଫଳିତ ହୋଇଛି ବୋଲି ସେ କହିଥିଲେ। ବିକାଶକୁ ସର୍ବୋଚ୍ଚ ସ୍ତରକୁ ନେବାକୁ ସରକାରଙ୍କ ଦୃଷ୍ଟିକୋଣ ଏହି ଭାଷଣରେ ଆତ୍ମବିଶ୍ବାସର ସହ ପ୍ରତିଫଳିତ ହୋଇଛି ବୋଲି ସେ କହିଛନ୍ତି।

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି ରାଷ୍ଟ୍ରପତିଙ୍କ ଅଭିଭାଷଣରେ ନିଯୁକ୍ତି ଉପରେ କୌଣସି ସ୍ପଷ୍ଟ ଭିଜନ୍‌ ନାହିଁ । ନିଯୁକ୍ତି କିପରି ସୃଷ୍ଟି ହେବ ସେନେଇ କୌଣସି କଥା ସେ କହିନାହାନ୍ତି । ମେକ୍ ଇନ୍ ଇଣ୍ଡିଆ, ଷ୍ଟାଟ୍‌ ଅପ୍ ଇଣ୍ଡିଆ ଉପରେ କିଛି ଶୁଣିବାକୁ ପାଇପାରିଲୁ ନାହିଁ। ଚାଷ ସମସ୍ୟା ଉପରେ ଥିବା ଯୋଜନା ସଲିଡ୍ ଯୋଜନା ନୁହେଁ । ଚାଷୀ ପାଇଁ ଆଉ କ’ଣ କରାଯାଇପାରିବ ତାହା ଚିନ୍ତା କରିବାକୁ ପଡ଼ିବ। କେବିକେ ଜିଲ୍ଲାଗୁଡ଼ିକ ଉପରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ କିଛି ବି ଉଲ୍ଲେଖ ନାହିଁ ବୋଲି ଶ୍ରୀ ଉଲ୍ଲାକା କହିଛନ୍ତି।

ସମ୍ବନ୍ଧିତ ଖବର