ରାଷ୍ଟ୍ରପତିଙ୍କ ଅରୁଣାଚଳ ଗସ୍ତରେ ଚୀନ୍‌ ଖପା

ବେଜିଂ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ୪ଦିନିଆ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଚୀନ୍‌ ଆପତ୍ତି ଜାହିର କରିଛି। ବିବାଦୀୟ ସୀମା ଯୋଗୁଁ ସେଠାରେ ସମ୍ବେଦନଶୀଳ ପରିସ୍ଥିତି ଥିବା ବେଳେ ଭାରତ ରାଷ୍ଟ୍ରପତିଙ୍କ ଏପରି ଅରୁଣାଚଳ ପ୍ରଦେଶ ଗସ୍ତ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଚୀନ୍‌ ବୈଦେଶିକ ବ୍ୟାପାର ମନ୍ତ୍ରୀ ଲୁ କାଙ୍ଗ୍‌ କହଛନ୍ତି। ସୀମାକୁ ନେଇ ଲାଗି ରହିଥିବା ବିବାଦ ସମ୍ପର୍କରେ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହଥିବା ବେଳେ ଏହାଦ୍ୱାରା ଉଭୟଦେଶର ଦ୍ୱିପାକ୍ଷିକ ସମ୍ପର୍କରେ ବ୍ୟାଘାତ ସୃଷ୍ଟି ହେବ। ତେବେ ସୀମା ପ୍ରସଙ୍ଗରେ ଚୀନ୍‌ର ଲକ୍ଷ୍ୟ ଓ ଆଭିମୁଖ୍ୟ ସର୍ବଦା ସ୍ପଷ୍ଟ ରହିଥିବା ବେଳେ ଭାରତ ଏନେଇ ସତର୍କ ରହିବା ଜରୁରୀ ବୋଲି ଲୁ କାଙ୍ଗ୍‌ କହିଛନ୍ତି।
ଉଲ୍ଲେଖ ଥାଉ କି, ଚୀନ୍‌ ସବୁବେଳେ ନିଜର ବିସ୍ତାରବାଦ ନୀତି ଜାହିର କରି ଆସିଛି ଏବଂ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଏକ ଅଂଶ ବୋଲି ଦାବି କରି ଏହି ରାଜ୍ୟକୁ ଭାରତୀୟ ନେତାମାନଙ୍କ ଗସ୍ତକୁ ବିରୋଧ କରି ଆସୁଛି। ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅରୁଣାଚଳ ଗସ୍ତକୁ ନେଇ ମଧ୍ୟ ଚୀନ୍‌ କ୍ଷୋଭ ପ୍ରକାଶ କରିଥିଲା। ଅପରପକ୍ଷେ, ଅରୁଣାଚଳପ୍ରଦେଶର ସମଗ୍ର ଅଞ୍ଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତ କହି ଆସିଛି ଏବଂ ତଦନୁସାରେ କାର୍ଯ୍ୟପନ୍ଥା ସ୍ଥିର କରିଚାଲିଛି।

ସମ୍ବନ୍ଧିତ ଖବର