ପ୍ରଧାନମନ୍ତ୍ରୀ ମୋଦୀ ଓ ଇମ୍ରାନଙ୍କୁ ଭେଟିବେ ଟ୍ରମ୍ପ୍; ଭାରତ-ପାକ ମଧ୍ୟରେ ଉତ୍ତେଜନା କମିଛି ବୋଲି କହିଲେ

ୱାସିିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟୁଛନ୍ତି  ଏବଂ ଏହି ଦୁଇ ଏସୀୟ ରାଷ୍ଟ୍ର ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ହ୍ରାସ ପାଇଛି ।

ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ଆମେରିକାର ହ୍ୟୁଷ୍ଟନରେ  ଆୟୋଜିତ ହେଉଥିବା ଭାରତୀୟ-ଆମେରିକୀୟଙ୍କ ସମ୍ମିଳନୀ ‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମରେ ଯୋଗଦେବା ସହ ସେଠାରେ ତାଙ୍କର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ହେବ । କିନ୍ତୁ ପାକିସ୍ତାନ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସହ ତାଙ୍କର କେଉଁଠାରେ ସାକ୍ଷାତ ହେବ ତାହା ସ୍ପଷ୍ଟ ହୋଇନାହିଁ ।

ହ୍ୱାଇଟ୍ ହାଉସରେ ସୋମବାର ସାମ୍ବାଦିକଙ୍କ ସହ ଔପଚାରିକ ଆଲୋଚନା ସମୟରେ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦେଖା ହେବି । ଉଭୟ ଭାରତ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଭେଟିବି । ତେବେ ଟ୍ରମ୍ପ କଶ୍ମୀରର ନାମ ନ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ଦିଗରେ ଅନେକ ଅଗ୍ରଗତି ହୋଇଛି ବୋଲି ମତ ରଖିଛନ୍ତି ।

‘ହାଓଡ଼ି ମୋଦୀ’କାର୍ଯ୍ୟକ୍ରମରେ ୫୦,୦୦୦ ଭାରତୀୟ-ଆମେରିକୀୟ ଏକତ୍ରିତ ହେଉଛନ୍ତି ଏବଂ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଟ୍ରମ୍ପ ଯୋଗ ଦେଉଛନ୍ତି । ତେବେ ନ୍ୟୁୟର୍କରେ  ଆୟୋଜିତ ହେବାକୁ ଥିବା ଜାତିସଂଘର ସାଧାରଣ ପରିଷଦ ବୈଠକ ସମୟରେ ସେ ଇମ୍ରାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧିତ ଖବର