ୱାସିଂଟନ୍: ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବା ପରେ ବିଶ୍ବର କୂଟନୈତିକ ସମୀକରଣ ବଦଳିବା ଆରମ୍ଭ କରିଛି। ୟୁକ୍ରେନ, ନାଟୋ ଓ ରୁଷିଆ ସମ୍ପର୍କରେ ଆମେରିକାର ପରିବର୍ତ୍ତିତ ଆଭିମୁଖ୍ୟକୁ ନେଇ ଆଲୋଚନା କରିବାକୁ ଆସିଥିବା ବ୍ରିଟିସ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମେରଙ୍କୁ ଆଜି ରାଷ୍ଟ୍ରପତି ଟ୍ରମ୍ପ ଗଣମାଧ୍ୟମ ସମ୍ମୁଖରେ ସାଂଘାତିକ କଟାକ୍ଷ କରିଛନ୍ତି। ଏହାକୁ ନେଇ କେବଳ ବ୍ରିଟେନ ନୁହେଁ ସମଗ୍ର ୟୁରୋପରେ ହଇଚଇ ସୃଷ୍ଟି ହୋଇଛି।
ରାଷ୍ଟ୍ରପତି ଭବନରେ ଆଲୋଚନା ପରେ ବ୍ରିଟିସ ପ୍ରଧାନମନ୍ତ୍ରୀ ଷ୍ଟାର୍ମେର ଓ ରାଷ୍ଟ୍ରପତି ଟ୍ରମ୍ପ ଗଣମାଧ୍ୟମକୁ ମିଳିତ ପ୍ରେସ୍ବିବୃତି ଦେଇଥିଲେ। ଏହି ସମୟରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ଷ୍ଟାର୍ମେରଙ୍କୁ ଲକ୍ଷ୍ୟ କରି କହିଥିଲେ, ବ୍ରିଟେନ ଆମଠାରୁ ସହାୟତା ଚାହୁଛି ଏବଂ ସେ ବ୍ରିଟେନ ସହ ସର୍ବଦା ଅଛନ୍ତି। କିନ୍ତୁ ସେମାନଙ୍କୁ (ବ୍ରିଟେନକୁ) କୌଣସି ସହାୟତା ଲୋଡ଼ାନାହିଁ। ଅନେକବର୍ଷ ଧରି ବ୍ରିଟେନ ଅତି ଭଲ କାମ କରୁଛି ବୋଲି ଟ୍ରମ୍ପ କହିଥିଲେ। ଏହାର ଉତ୍ତରରେ ଷ୍ଟାର୍ମେର କହିଥିଲେ, ନିଶ୍ଚିତ ଭାବେ, ସେ ତାଙ୍କ ଦେଶ ପାଇଁ ଗର୍ବିତ।
ଆମେ ଦୁହେଁ (ଆମେରିକା-ବ୍ରିଟେନ୍) ପରସ୍ପରକୁ ସହାୟତା ଦେଉଛୁ। ଏହି ସମୟରେ ହଠାତ ଟ୍ରମ୍ପ ଷ୍ଟାର୍ମେରଙ୍କୁ କହିଥିଲେ, ଆପଣ କ’ଣ ଏକୁଟିଆ ରୁଷ୍ର ମୁକାବିଲା କରିପାରିବେ? ଏଥିରେ ଷ୍ଟାର୍ମେର ଚକିତ ହୋଇଯାଇଥିଲେ ମଧ୍ୟ ନିଜକୁ ସମ୍ଭାଳି ନେଇ ହସିଥିଲେ ଓ ତାଙ୍କୁ ଦେଖି ଟ୍ରମ୍ପ ମଧ୍ୟ ହସିଉଠିଥିଲେ। ଏହା ଶୁଣି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ରୁଷ୍ ପ୍ରସଙ୍ଗରେ ଟ୍ରମ୍ପଙ୍କ ଏଭଳି ତାତ୍ସଲ୍ୟ ସମଗ୍ର ୟୁରୋପରେ ହଇଚଇ ସୃଷ୍ଟି କରିଛି ଏବଂ ଅନେକ ଏହାର ସମାଲୋଚନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/01/kj1L4STBnLcpLiZXJdiM.jpg)